ଭାନୁ ମାଝୀ ଜଣେ ସିଆନ ସିଆଲମାଲ ଗାଁର। ଗାଁଟି ରାଜସ୍ୱ ଖାତାରେ ଚଢ଼ି ନାହିଁ। ଜଙ୍ଗଲବିଭାଗ ଲୋକଙ୍କ ସହ ସଂଘର୍ଷ ହୋଇଗଲା। ଗାଁ ତିନୋଟି ପଡ଼ାର ଷାଠିଏ ପରିବାରଙ୍କ ନିକଟରେ ବିକଳ୍ପ ନ ଥିଲା। ପାହାଡ଼ ଧସିଗଲାରୁ ସେମାନେ ତଳକୁ ଆସି ସିଆଲମାଲ ଗାଁ ବସେଇଲେ। ପୋଲିସ ଓ ଜଙ୍ଗଲ ବିଭାଗର ଫୌଜ ଆସି ଗାଁ ଲୋକଙ୍କୁ ଘେରିଗଲେ। ୧୭ ଜଣଙ୍କୁ ଗିରଫ କରି ନେଇଗଲେ। ଭାନୁ ମାଝୀଙ୍କ ସମେତ ୧୭ଜଣ ଗାଁ ଲୋକ ମାସେ ଦୁଇଦିନ ଜେଲରେ ରହିଲେ।
ଘଟଣା ଏତେ ସରଳ ନ ଥିଲା। ଗୋଟିଏ ମୌଖିକ ରାଜିନାମା ପରେ ଜଙ୍ଗଲ ବିଭାଗ ଜଙ୍ଗଲ ଭିତରେ ସାଗୁଆନ ଗଛ ଲଗେଇଲେ। ଲୋକଙ୍କ ଘର କାନ୍ଥ ଲାଗି ଗଛ ଲଗାଇବା ପାଇଁ ଖାଲ କଲେ। ତାର ପ୍ରତ୍ୟୁତ୍ତରରେ ପ୍ରତି ଘରୁ ଦୁଇଜଣ ମହିଳା ବାହାରି ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ପ୍ରତିରୋଧ କଲେ। ପ୍ରତିରୋଧ ଖଣ୍ଡଯୁଦ୍ଧ ହୋଇଗଲା। ବିଭାଗର ଲୋକ ମୌଖିକ ହୁଲେର ଜାରି କଲେ ଯେ ଭାନୁ ମାଝୀକୁ ବନ୍ଧୁକରେ ଲାଛିଦେବେ। ଭୟରେ ଭାନୁ ମାଝୀ ଜଙ୍ଗଲରେ ଚାରିଦିନ ଲୁଚିଲେ। ଅସୁରଗଡ଼ ବୀର କମଳ କ୍ଷେତ୍ରର ସଭାପତି ଶ୍ରୀ ଦୁର୍ଯୋଧନ ମାଝୀଙ୍କ ମଧ୍ୟସ୍ଥତାରେ ଭାନୁ ମାଝୀ ଆତ୍ମସମର୍ପଣ କଲେ। ଜଙ୍ଗଲ ଗାଁ ଟି କୁରମେଲ ଗ୍ରା.ପ, ନର୍ଲା ବ୍ଲକ କଳାହାଣ୍ଡି ଜିଲ୍ଲା ଅଧିନରେ ଆସେ।
ପରିଣାମ ଏହା ହେଲା ଯେ ବିଭାଗ ୬୨ ଜଣଙ୍କ ନାମରେ ଗିରଫ ପରୱାନା ଜାରି କଲେ। ପ୍ରତି ଅଭିଯୋଗ ହେବାପରେ ଆପୋଷ ସମାଧାନ ହୋଇଗଲା।
ସେହିପରି ଏହି ବ୍ଲକର ବାଲିସିଂଘା ଗ୍ରା.ପ ଅନ୍ତର୍ଗତ ଟେର୍ଲୋ ମୁନିଗୁଡ଼ା ଗାଁର କଥା। ୬୬ ପରିବାର ତିନୋଟି ପଡ଼ା କରି ରହନ୍ତି। ଏହି ଗାଁରେ ମଧ୍ୟ ସଂଘର୍ଷ ହେଲା ପୂର୍ବପରି। ଲୋକେ ନିଜର ଦାବୀରେ ଅଟଳ ରହିବା ପରେ ବିଭାଗ ତରଫରୁ ଚାରି ଚାରି ଡେସିମିଲ୍‌ର ଘରବାରି ପଟ୍ଟା ଦେଲେ। ପରବର୍ତ୍ତୀ ସମୟରେ କଳାହାଣ୍ଡି ଜିଲ୍ଲାପାଳ ପୁଷ୍ଟିକଲେ ଯେ ଏହି ପଟ୍ଟା ନକଲି ଅଟେ। ଯାହାର କୌଣସି ରାଜସ୍ୱ ବିଭାଗର ସ୍ୱୀକୃତି ନାହିଁ।
ଜାନୁୟାରୀ ୨୦୨୦, ୨୭ ତାରିଖ ଦିନରୁ ଆଠଦିନ ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସୁନାବେଡ଼ା ଅଭୟାରଣ୍ୟ ଓ ତତ୍‌ସଂଲଗ୍ନ ଗାଁମାନଙ୍କରୁ ହଜାର ହଜାର ବନବାସୀ ପୁରୁଷ ମହିଳା ସମସ୍ତେ ଆସି ନିଜର ଜଙ୍ଗଲ ଉପରେ ଅଧିକାର ସାବ୍ୟସ୍ତ କରି ବସିଲେ। ଆଠଦିନର ଧାରଣା ପରେ ଜିଲ୍ଲାପାଳ କ୍ରମାନ୍ୱୟରେ ଜମି ଅଧିକାର ଦେବାର ପ୍ରତିଶୃତି ଦେଲେ। ପ୍ରତିଶୃତି ପରେ ପରେ କୋଭିଡ଼-୧୯ ମହାମାରୀର ସମୟ ଆସିଲା। ପ୍ରତିଶୃତି ପାଳନ ପାଇଁ କୌଣସି ସୁଯୋଗ ଜିଲ୍ଲାପାଳ ପାଇଲେ ନାହିଁ କି ପୁନଃ ଆନ୍ଦୋଳନ ପାଇଁ ଲୋକ ଭୟ କଲେ।
କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଶଗଡ଼ା ଗ୍ରା.ପର ମଖାଗୁଡ଼ା ପାହାଡ଼ ଉପରେ ଥିବା ଏକ ରାଜସ୍ୱ ଗାଁ। ଏହି ଗାଁର ତିନିଜଣଙ୍କ ନାମରେ ଜମି ପଟ୍ଟା ରହିଅଛି। ବର୍ଷାଯୋଗୁଁ ପାହାଡ଼ ଧସିଲା। ଚାଷଜମି ନଷ୍ଟ ହୋଇଗଲା। ଲାଗ ଲାଗ ଦୁଇବର୍ଷ ପାହାଡ଼ ସ୍ଖଳନ ଫଳରେ ଲୋକେ ପାହାଡ଼ରୁ ଓହ୍ଲାଇ ରାଜେଶତୁଣ୍ଡା ସଂରକ୍ଷିତ ଜଙ୍ଗଲରେ ଗାଁ କରି ରହୁଥିଲେ। ଏପ୍ରିଲ ୨୪, ୨୦୨୦ କୋଭିଡ଼୍‌-୧୯ ଲକଡ଼ାଉନ ସମୟରେ ପୋଲିସ ଓ ଜଙ୍ଗଲ ବିଭାଗ ଲୋକେ ତିଆରିଥିବା କୁଡ଼ିଆମାନଙ୍କୁ ଭାଙ୍ଗିଦେଇ ସମସ୍ତଙ୍କୁ ବାସ୍ତୁହରା କରିଦେଲେ। ଏ ବିଷୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିବାଦ ହେବାପରେ ମଧ୍ୟ ସମସ୍ତେ ଗୋଟିଏ ଅମୀମାଂସିତ ସ୍ଥିତିରେ ରହିଅଛନ୍ତି।
ବର୍ଷା ଆସିଲା। ନୂଆପଡ଼ା ଜିଲ୍ଲା, ବୋଡ଼େନ ଓ ସିନାପାଲି ବ୍ଲକ ଅଞ୍ଚଳ ହୋଇ ହାତୀ ପାଟଧରା ଦେଇ ସୁନାବେଡ଼ାକୁ ଆସିଲେ। ଫସଲ ନଷ୍ଟକଲେ, ପୂର୍ବବର୍ଷମାନଙ୍କ ପରି। କିଛି ଲୋକ କ୍ଷତିପୂରଣ ପାଇଲେ କିନ୍ତୁ ଅନେକ ଲୋକ ପାଇଲେ ନାହିଁ, ଯେଉଁମାନେ ଜଙ୍ଗଲ ଜମିରେ ଚାଷ କରିଥିଲେ। ପାଟଧରା ଓ ସୁନାବେଡ଼ା ପାର୍ବତ୍ୟାଞ୍ଚଳରେ କିଏ ଜଣେ ପ୍ରଚାର କଲେ ଯେ ଗଣେଶ ପୂଜା କଲେ ହାତୀ ଆସନ୍ତି ନାହିଁ। ଲୋକେ ନିଷ୍ଠାର ସହ ସମବେତ ହୋଇ ପାହାଡ଼ି ଗାଁ ମାନଙ୍କରେ ଗଣେଶ ପୂଜା କଲେ, କିନ୍ତୁ ହାତୀ ଆସିବା ବନ୍ଦ ହେଲା ନାହିଁ।
କଳାହାଣ୍ଡି ଜିଲ୍ଲା ଜଙ୍ଗଲ ଗାଁ ଟେର୍ଲୋରୁ ସିଆଲମାଲ ଗଲାବେଳେ ଜଙ୍ଗଲ ଭିତରେ ଗୋଟିଏ ଦେବୀ ମନ୍ଦିର ଦେଖିଲୁ। ଯେଉଁ ଦେବୀ ଆଦିବାସୀଙ୍କ ଦୈବୀ ପଙକ୍ତିରେ ଆସନ୍ତି ନାହିଁ।
ବାଲିସିଂଘା ଆଦିବାସୀ ସଂଘ ସଭାପତି ଶ୍ରୀ ମଦନ ମାଝୀ କହନ୍ତି, ପାହାଡ଼ ଉପରେ ରହୁଥିବା କେତେକ ପରିବାର ଅସୁବିଧା କାରଣରୁ ସିଆଲମାଲରେ ଆସି ରହିଲେ। ଜଙ୍ଗଲ ବିଭାଗ ଏବଂ ଜନୈକ ଅଣଆଦିବାସୀ ସରପଞ୍ଚ ସିଆଲମାଲରେ ରହୁଥିବା ଲୋକଙ୍କୁ ଘଉଡ଼ାଇବା ପାଇଁ ଡେଙ୍ଗୁରା ଦେଲେ। ଏହି ଘଟଣାକୁ ସ୍ଥାନୀୟ ଲୋକ ସମେତ ଆଦିବାସୀ ସଙ୍ଗଠନ ବିରୋଧ କଲା। ଜଙ୍ଗଲବିଭାଗର ଦମନ କାରଣରୁ ଚାରିଦିନ ଜଙ୍ଗଲରେ ଲୁଚି ରହିଲେ। ପରେ ଗିରଫ ହୋଇ ସତର ଜଣ ଗ୍ରାମବାସୀ ମାସେ ଜେଲ ବି ଭୋଗିଲେ। ସେମାନେ ପାହାଡ଼ରୁ ତଳକୁ ଓହ୍ଲାଇଛନ୍ତି। ତାଙ୍କୁ ଜଙ୍ଗଲ ଭିତରେ ରହିବା ଅଧିକାର ଅଛି। ଆମେ ସିଆଲମାଲ, ଟେର୍ଲୋ ତଥା ଆଖପାଖ ସାତ/ଆଠ ଗାଁରେ ରହୁଥିବା ବନବାସୀଙ୍କ ଅଧିକାର ସପକ୍ଷରେ ରହିଅଛୁ।
ଅସୁରଗଡ଼, ‘ବୀର କମଲ ମୈଦାନ’ ସଭାପତି ଶ୍ରୀ ଦୁର୍ଯ୍ୟୋଧନ ମାଝୀ କହନ୍ତି, ଜଙ୍ଗଲ ବିଭାଗର ଆତଙ୍କରେ ଆତଙ୍କିତ ଭାନୁ ମାଝୀ ଚାରିଦିନ ଜଙ୍ଗଲରେ ରହିବା ପରେ ମୋ ପାଖକୁ ଲୋକ ପଠେଇଲେ। ମୁଁ ତାଙ୍କୁ ନେଇ ଥାନାକୁ ଗଲି, ସେ ଆତ୍ମସମର୍ପଣ କଲେ। ୬୨ଜଣ ଲୋକଙ୍କ ନାମରେ ଗିରଫ ପରୱାନା ଜାରି ହେଲା। ପ୍ରତି ଅଭିଯୋଗ ହେବାପରେ ବିଭାଗ ଗାଁ ଲୋକଙ୍କ ସହ ରାଜିନାମା କଲେ।
ସଭାପତି ଶ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କ କହିବା ଅନୁସାରେ ଝିଅବୋହୂଙ୍କ ପ୍ରତି ବି ଆକ୍ରମଣ ଓ ଅସଦାଚରଣର ଅନେକ ଉଦାହରଣ ରହିଅଛି।
ଦମନର ଅନେକ ଚରିତ୍ର, କିନ୍ତୁ ଉଦ୍ଦେଶ୍ୟ ଗୋଟିଏ। କେମିତି ସମସ୍ତ ବନବାସୀଙ୍କୁ ଜଙ୍ଗଲରୁ ବେଦଖଲ କରିବା। ଏହି ଘଟଣାର ସତ୍ୟତା ଅନୁସନ୍ଧାନ ପାଇଁ ଏହି ପତ୍ରକାର ଏହି ଗାଁସବୁକୁ ଗସ୍ତରେ ଯାଇଥିଲା। ପ୍ରଶାସନିକ ମନୋଭାବ ଗୋଟିଏ, କିନ୍ତୁ ଉଦାହରଣ ଓ କ୍ଷେତ୍ର ଭିନ୍ନ ଭିନ୍ନ।
ଜଙ୍ଗଲର ସଂକ୍ଷିପ୍ତ ଇତିହାସ ଏହିପରି। ୧୯୨୭ ମସିହାରେ ଜଙ୍ଗଲ ଓ ରାଜସ୍ୱ ବିଭାଗ ତିଆରି ହୁଏ। ଜଙ୍ଗଲ ଉପରେ କଟକଣା ବସେ। ଦେଶ ସ୍ୱାଧିନ ହୁଏ, ଆଇନରେ ପରିବର୍ତ୍ତନ ହୁଏ ନାହିଁ। ୧୯୨୭ ଜଙ୍ଗଲ ଆଇନ ଧାରା ୪ ର ଗ୍ରାମସଭା ଅଧିନରେ ଥିବା ସମସ୍ତ ଜମି ଜଙ୍ଗଲ ବିଭାଗ ହାତକୁ ଯାଏ। ବନଜୀବୀ ଜଙ୍ଗଲ ଉପରୁ ନିଜର ଅଧିକାର ହରେଇ ବସନ୍ତି। ୧୯୭୦ ପରବର୍ତ୍ତୀ ସମୟରେ କ୍ରମାଗତ ଜଙ୍ଗଲ ଅଧିକାର ଉପରେ ଆନ୍ଦୋଳନ ହୁଏ। ନବେ ଦଶକ ପରବର୍ତ୍ତୀ ସମୟ ଏନଜିଓ ଜଙ୍ଗଲ ଅଧିକାର ଆନ୍ଦୋଳନରେ ସାମିଲ ହୁଏ। ଅନେକ ଏନଜିଓଙ୍କ ପାଇଁ ଏହା ଏକ ସୁଯୋଗ ହେଲା। ସେମାନେ ଆନ୍ଦୋଳନ କରୁଛନ୍ତି ଅର୍ଥାତ ଗୋଟିଏ ବଡ ସଙ୍ଗଠନ ତାଙ୍କ ସହ ଠିଆ ହୋଇଛି। ଏନଜିଓମାନେ ଜଙ୍ଗଲ ବ୍ୟବସାୟ କଲେ। ଶତାଧିକ ଗାଁ ବସେଇ ହଜାର ହଜାର ହେକ୍ଟର ଜଙ୍ଗଲ ଜମି ଉପରେ ନିଜ ଲୋକଙ୍କୁ କବଜା କରି ମଗେଇଲେ। ଏହି ବ୍ୟବସାୟ ବେସ ସୁରକ୍ଷିତ ଚାଲିଲା। କାରଣ ଅନେକ ଉଦାହରଣ ଅଛି ଏନଜିଓ (ପ୍ରକୃତ ଜଙ୍ଗଲ ଗ୍ରାମ ବ୍ୟତିତ) ନିଜ ଲୋକଙ୍କୁ ନେଇ ବସେଇଥିବା ଗାଁ ପ୍ରତି ବନବିଭାଗର କାର୍ଯ୍ୟାନୁଷ୍ଠାନମାନଙ୍କୁ ଏତେ ଅତିରଞ୍ଜିତ କରି କହନ୍ତି ଯେ ଅନେକ ଘଟଣାର ଅନୁସନ୍ଧାନ ପାଇଁ କେନ୍ଦ୍ରରୁ ଅନୁସନ୍ଧାନକାରୀ ଦଳ ଆସିଛନ୍ତି। ମାନବାଧିକାର କମିଶନ ନିୟମିତ ଆସିବା ଦେଖା ଯାଉଥାଏ। ଜଙ୍ଗଲ ବିଭାଗ ବାବୁମାନେ ବି ଚତୁର ଲୋକ। ସେମାନେ ନିଜର କର୍ତ୍ତବ୍ୟ କଲେ ଅଭିଯୁକ୍ତ ହେଉଛନ୍ତି। ତେଣୁ ସେମାନେ ବି ଏନଜିଓ ସହ ମିଶିଗଲେ। ଚୋର ଓ ଜଗୁଆଳି ମଇତ୍ର ହେଲେ। ବିଭାଗ ସହ ମିଶି ଅନେକ ଜଙ୍ଗଲ ଗାଁ ତିଆରି କରନ୍ତି ଏବଂ ଜଙ୍ଗଲ ଅଧିକାର ଆନ୍ଦୋଳନରେ ନିଜର ଭାଗିଦାରୀ ସାବ୍ୟସ୍ତ କରନ୍ତି।
୨୦୦୬ମସିହାରେ ସରକାର ଜଙ୍ଗଲ ଅଧିକାର ଆଇନ ପ୍ରସ୍ତୁତ କଲାବେଳେ ସ୍ୱୀକାର କରନ୍ତି ଯେ ଆଦିବାସୀ ଓ ବନବାସୀଙ୍କ ପ୍ରତି ଐତିହାସିକ ଅନ୍ୟାୟ ହୋଇଛି। ଆଇନ ତିଆରି ହୁଏ। ଏନ୍‌ଜିଓ ଜଙ୍ଗଲ ଆନ୍ଦୋଳନରୁ ଓହରି ଯାଏ ଅଥବା ତାର ସୀମିତ କାମକୁ ପୁରା କରିଦିଏ। ତାର ତିଆରିଥିବା ଗାଁମାନଙ୍କ ଲୋକ ଅସହାୟ ହୋଇ ପଡ଼ନ୍ତି। ନିଜର ଅଧିକାର କିପରି ସାବ୍ୟସ୍ତ କରିବେ ସେ ବିଷୟରେ ଅନଭିଜ୍ଞ ବାରମ୍ବାର ସ୍ଥାନୀୟ ସାମନ୍ତ, ବିଭାଗ ଓ ପୋଲିସ ଜୁଲମର ଶିକାର ହୁଅନ୍ତି।
୨୦୦୬ ଜଙ୍ଗଲ ଅଧିକାର ଆଇନ ସଂଶୋଧିତ ହୋଇ ୨୦୧୨ ଜଙ୍ଗଲ ଆଇନ ପ୍ରସ୍ତୁତ ହୁଏ। ଏଥିରେ ବ୍ୟକ୍ତିଗତ, ସାମୂହିକ ଅଧିକାରର କଥା କୁହାଯାଏ। ଆଇନ ତିଆରି ହେବାର ୧୪ବର୍ଷ ପରେ ମଧ୍ୟ ଜଙ୍ଗଲ ଅଧିକାର ଦିଆନ ଯାଇ ବନବାସୀଙ୍କ ଉପରେ ଆକ୍ରମଣର କ୍ରମ ଜାରି ରହିବା ଗୋଟିଏ ସରକାର ବିରୋଧି ସ୍ୱର ଜଙ୍ଗଲ ଭିତରେ ଶୁଣାଯାଏ।
ଦୀର୍ଘ ସଂଘର୍ଷ ଓ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ହେବ ବନବାସୀଙ୍କ ଉତ୍ପୀଡ଼ନ କମ୍ ହୋଇ ନାହିଁ। ବିରୋଧ ସ୍ୱର ଶୁଭେ, କିନ୍ତୁ ସରକାରଙ୍କ ଆଇନ ଓ ବନବାସୀଙ୍କ ଅଧିକାର ଭିତରେ ଦୂରତା କମ୍ ହେବାର ନା ନିଏ ନାହିଁ।

ଲଢ଼ୁଛୁଁ ତୋ ଆଜ୍ଞା! ପଟ୍ଟା ଦେବାର ତକ ଜୀବନ ଜହେସି

କି ଯାଏସି ଯେ!- ଭାନୁ ମାଝୀ, ସିଆଲମାଲ
ସେଦିନ ପୋଲିସ ଓ ଜଙ୍ଗଲ ବିଭାଗର ଫୋର୍ସ ଆସିଲେ। ଆମ ଗାଁକୁ ଚାରିଦିଗରୁ ଘେରିଗଲେ। ବନ୍ଧୁକ ଧରି ଆମ ଗାଁକୁ କାବୁ କରିଦେଲେ। ଆମକୁ ପଚାରିଲେ ଏଠାରେ କଣ କରୁଛ? ମୁଁ କହିଲି ଆମେ ଗାଁ ବସେଇ ରହୁଛୁ। ଏହା ଅପରାଧ, ତୁମେ ଜେଲ ବି ଯିବ ଏଠାରେ ରହିଲେ। ନହେଲେ ଗାଁ ଛାଡ଼ିଦିଅ।
ମୁଁ କହିଲି କେନ ବାଟ ଯିମୁଁ ସରକାର ତମେ ଆମକେ ଜହଲ କରିଦିଅ ଇ କଥା ସହେମୁଁ। ଦୁଇଟି ଗାଡ଼ିରେ ଆମ ଗାଁର ୧୭ ଜଣଙ୍କୁ ନେଇଗଲେ। ସେମାନେ ମାସେ ଦୁଇଦିନ ଜେଲରେ ରହିଲେ। ତା’ପରେ ଛାଡ଼ ପାଇଲେ।
କିଛିଦିନ ପରେ ଜଙ୍ଗଲ ବାବୁ ଆସିଲେ। ଆମକୁ କହିଲେ କିଛି ଜାଗା ଛାଡ଼ିଦିଅ, ଆମେ ଗଛ ଲଗାଇବୁ। ମୁଁ କହିଲି ଭଲକଥା ଆପଣମାନେ ଗଛ ଲଗାନ୍ତୁ ଆମର ବିରୋଧ ନାହିଁ।
ସେମାନେ ଶାଗୁଆନ ଚାରା ଆଣିଲେ। ଆମ ଘରମାନଙ୍କ କାନ୍ଥକୁ ଲାଗି ଖାଲ କଲେ। ପ୍ରତି ଘରୁ ଦୁଇଜଣ ମହିଳା ବାହାରି ଜଙ୍ଗଲ ବିଭାଗ ଲୋକଙ୍କୁ ପ୍ରତିବାଦ କଲେ। ଆମର ମା ବହେନ ସେମାନଙ୍କୁ ଆକ୍ରମଣ କଲେ, ସେମାନେ ବି ଆମର ମା ବହେନ ଉପରେ ଆକ୍ରମଣ କଲେ। ଖଣ୍ଡଯୁଦ୍ଧ ହେଲା। ବିଭାଗ ମୌଖିକ ଫତ୍‌ୱା ଜାରି କଲା। ଭାନୁ ମାଝୀକେ ଦେଖଲେ ବନ୍ଧୁକ ଥି ଲାଛି ଦେମୁଁ। ମୁଁ ଡରିକରି ଜଙ୍ଗଲରେ ଚାରିଦିନ ଲୁଚିଲି। ଅସୁରଗଡ଼ ବୀର କମଲ ମାଏଟର ସଭାପତି ଦୁର୍ଯ୍ୟୋଧନ ମାଝୀଙ୍କ ନିକଟକୁ ଖବର ପଠାଇଲି। ସେ ନିର୍ଭୟ ଦେଲେ ଓ ମତେ ନେଇ ଥାନାକୁ ଗଲେ। ଜଙ୍ଗଲ ବିଭାଗ ଆମ ୬୨ଜଣଙ୍କ ନାମରେ ଗିରଫ ପରବାନା ଜାରି କରିଥାଏ। ମାଝୀ ଆଜ୍ଞା ପ୍ରତିବାଦ କଲେ। ଏକତରଫା କେଶ୍ ହେବ ନାହିଁ। ସିଆଲମାଲ ଲୋକଙ୍କ ଅଭିଯୋଗ ବି ଗ୍ରହଣ କରାଯାଉ।
ପରେ ପରେ ବିଭାଗ ଓ ଆମ ଭିତରେ ବୁଝାମଣା ହେଲା। ଆମେ ଘରକୁ ଫେରିଲୁ।
ଲଢ଼ୁଛୁଁ ତୋ ଆଜ୍ଞା! ପଟ୍ଟା ଦେବାର ତକ ଜୀବନ ଜହେସି କି ଯାଏସି ଯେ

ଓଡ଼ିଶା ସରକାର କହନ୍ତି ଆମ ରାଜ୍ୟ ଦେଶରେ ପ୍ରଥମ ଯିଏ ଜଙ୍ଗଲ ଅଧିକାର ଆଇନକୁ ଲାଗୁ କରି ଲୋକଙ୍କୁ ତାଙ୍କ ଅଧିକାର ଦେଇଛି। ଆଇନ ଓ ବାସ୍ତବତା ଉପରେ ଗୋଟିଏ ବିଭେଦ ଦେଖିବାକୁ ମିଳିଥାଏ। ଏହାର କାରଣ ଉପରେ ଏବଂ ପ୍ରକୃତ ସତ୍ୟ ଉପରେ ଅଖିଳ ଭାରତୀୟ ବନଜୀବୀ ସଙ୍ଗଠନ ଏକ ସର୍ବଭାରତୀୟ ସଙ୍ଗଠନର କାର୍ଯ୍ୟକର୍ତ୍ତା ଅମିର ସେରବାନୀଙ୍କ ସହ ଆଲୋଚନା ହୋଇଥିଲା। ତାହାର ଏକ ସଂକ୍ଷିପ୍ତ କଥୋପକଥନ…

ଜରିଆ – ଓଡ଼ିଶାରେ ବନବାସୀଙ୍କ ସ୍ଥିତି କଣ ଦେଖିଲେ? ବନଅଧିକାର ଦେବାରେ ରାଜ୍ୟ ନିଜକୁ ଦେଶର ପ୍ରଥମ ବୋଲି କହିଥାଏ।
ଅମିର – ନିଃସନ୍ଦେହ ଅନ୍ୟରାଜ୍ୟ ଅପେକ୍ଷା ଓଡ଼ିଶାରେ ବନଅଧିକାର ଉପରେ ଭଲ କାମ ହୋଇଛି। କିନ୍ତୁ ପ୍ରକୃତ ଅଧିକାର ଆଜି ମଧ୍ୟ ଲୋକେ ପାଇପାରି ନାହାନ୍ତି। ଲୋକେ ନିଜର ପାରମ୍ପରିକ ଜୀବନ ଶୈଳୀ ନେଇ ଆଜି ମଧ୍ୟ ଜଙ୍ଗଲ ଭିତରେ ଅଛନ୍ତି। ଇତିହାସକୁ ଅଧ୍ୟୟନ କଲେ ଆମେ ଦେଖୁ ଆଦିବାସୀ ଓ ବନବାସୀ ଜଙ୍ଗଲର ସୁରକ୍ଷା କରିଛନ୍ତି। ତାଙ୍କର ଜୀବନଶୈଳୀ ଜଙ୍ଗଲ ନଷ୍ଟ ନୁହେଁ, ଜଙ୍ଗଲ ସୁରକ୍ଷା ହିଁ ଅଟେ। କିନ୍ତୁ ତାଙ୍କୁ ଜଙ୍ଗଲରୁ ଅନ୍ତର କରିବା ପାଇଁ ସରକାର, ପୋଲିସ, ଖଣି ମାଲିକ ମାଫିଆ ଆଦିଙ୍କ ଦ୍ୱାରା ଆକ୍ରମଣର ଶିକାର ହେଉଛନ୍ତି। ଆକ୍ରମଣର ପ୍ରକାର ଭିନ୍ନ ଭିନ୍ନ କିନ୍ତୁ ଚରିତ୍ର ଗୋଟିଏ। ଓଡ଼ିଶାରେ ମଧ୍ୟ ସ୍ଥିତି ଅନ୍ୟରାଜ୍ୟ ପରି।
ଜରିଆ – ପ୍ରକୃତ ଅଧିକାର କଣ? ଜଙ୍ଗଲ ଆଇନ ୨୦୦୬ କଣ କହେ?
ଅମିର- ହଜାର ଲକ୍ଷ ବର୍ଷର ଇତିହାସକୁ ବାଦ୍ ଦେଇ ଆମେ ଯଦି ଇଷ୍ଟ୍‌ଇଣ୍ଡିଆ କମ୍ପାନୀ ଇତିହାସକୁ ଦେଖିବା, ତା’ହେଲେ ଗୋଟିଏ ସତ୍ୟ ଏହା ଯେ ଇଂରେଜ ବିରୋଧରେ ବନବାସୀ ଆଦିବାସୀ ହିଁ ପ୍ରଥମେ ସଂଗ୍ରାମ କରିଛନ୍ତି। ନିଜର ଅସ୍ତିତ୍ୱ ଓ ଅସ୍ମିତା ପାଇଁ ଅନେକ ଐତିହାସିକ ଆନ୍ଦୋଳନ କରିଛନ୍ତି। ଅନେକ ମହାନ ଆଦିବାସୀ ନେତା ନିଜର ନେତୃତ୍ୱ ଦେଇଛନ୍ତି। ଆନ୍ଦୋଳନରୁ ସ୍ୱତଃ ବାହାରି ଆସିଛନ୍ତି। ସାନ୍ଥାଲ ବିଦ୍ରୋହ, ବୀର ତିଲକା ମାଝୀ, ବୀର ବିର୍ସା ମୁଣ୍ଡା, କଳାହାଣ୍ଡିର ବୀର ରେଣ୍ଡୋ ମାଝୀ ଏମିତି ଅନେକ ମହାନ ବିଭୂତି ନିଜ ସମୂହର ଅଧିକାର ପାଇଁ ଲଢ଼ିଛନ୍ତି।
୧୯୨୭ରେ ଜଙ୍ଗଲ ବିଭାଗ ଓ ରାଜସ୍ୱ ବିଭାଗ ତିଆରି ହୁଏ। ଏହି ବିଦ୍ରୋହର ଜବାବ ଥିଲା ଉପନିବେଶବାଦୀ ସରକାରର। ନିଃସନ୍ଦେହ ଆଇନ ମଧ୍ୟ ତିଆରି ହୁଏ। ଆଇନ ଅପରିବର୍ତ୍ତିତ ରହେ ସ୍ୱାଧୀନତାର ଅନେକ ଦଶନ୍ଧି ପର୍ଯ୍ୟନ୍ତ। ସ୍ୱାଧୀନତା ପରେ ମଧ୍ୟ ଏହି ଦୁଇଟି ଆଇନ ବଳବତ୍ତର ରହେ। ବନସମ୍ପଦାର ଉପଭୋଗ ପାଇଁ ଯେଉଁ ଆଇନ ଉପନିବେଶବାଦୀ ସରକାର ତିଆରି କରିଥିଲେ, ତାହାକୁ ଦେଶୀୟ ସରକାର ମଧ୍ୟ କାଏମ ରଖିଲେ। ସତୁରୀଦଶକ ପରେ ବନଅଧିକାର ଉପରେ ଆନ୍ଦୋଳନ ହେଲା। ଦୁଃଖର ବିଷୟ ସ୍ୱାଧିନତ୍ତୋର ଭାରତର ଆନ୍ଦୋଳନମାନଙ୍କ ଇତିହାସ ଉପରେ ଆମେ ଉଦାସୀନ। କିନ୍ତୁ ସଂଘର୍ଷ କମ୍ ନ ଥିଲା। ପରେ ସରକାର ସ୍ୱୀକାର କଲେ ଆଦିବାସୀଙ୍କ ଉପରେ ଐତିହାସିକ ଅନ୍ୟାୟ ହୋଇଛି। ୨୦୦୬ ଜଙ୍ଗଲ ଆଇନ ତିଆରି କଲେ। ୨୦୧୨ରେ ଏହି ଆଇନର ସଂଶୋଧନ କରି କିଛି ଅତିରିକ୍ତ ବିଷୟ ଯୋଡ଼ାଗଲା। ସାମୂହିକ ଅଧିକାରର କଥା କହେ ୨୦୦୬ ଜଙ୍ଗଲ ଆଇନ। ୧୨ଗୋଟି ଅଧିକାର ମଧ୍ୟରୁ ପ୍ରଥମ ତିନୋଟି ଅଧିକାର ବ୍ୟକ୍ତିଗତ ଅଧିକାର ଅଟେ। ବାକି ୯ଗୋଟି ଅଧିକାର ସାମୂହିକ ଅଧିକାର। ଜଙ୍ଗଲଜାତ ଦ୍ରବ୍ୟର ସଂଗ୍ରହ ବିପଣନ ଓ ବିନିଯୋଗର ଅଧିକାର ମଧ୍ୟ ରହିଅଛି। ଓଡ଼ିଶା ସରକାର କେବଳ ବ୍ୟକ୍ତିଗତ ଅଧିକାର ଦେଇଛନ୍ତି। ଅନ୍ୟ ୯ ଗୋଟି ସାମୂହିକ ଅଧିକାର ବର୍ତ୍ତମାନ ମଧ୍ୟ ଲୋକଙ୍କୁ ଦେଇ ନାହାନ୍ତି।
ଜରିଆ – ସାମୂହିକ ଅଧିକାର ଉପରେ ସ୍ପଷ୍ଟ କରିବେ?
ଅମିର- ଦେଖାଯାଏ ଯେ ଭାରତର କ୍ଷେତ୍ରଫଳର ୨୪ପ୍ରତିଶତ ବନ ବିଭାଗ ଅଧିନରେ ରହିଅଛି। ୨୦୦୬ ଆଇନ କୌଣସି ଅନୁଦାନଭିତ୍ତିକ ନୁହେଁ। ଏହା ଦୀର୍ଘ ପଚିଶ ଦଶନ୍ଧିର ସଂଘର୍ଷର ପରିଣାମ। ଆଇନରେ ଲେଖା ଯାଇଛି ଧାରା ୧୨ (୩), ସର୍ବଶ୍ରେଷ୍ଠ ଅଧିକାର ଗ୍ରାମ ବନ ଅଧିକାର ସମିତିର ଗ୍ରାମସଭା। ଗ୍ରାମସଭାକୁ ପୂର୍ଣ୍ଣ କ୍ଷମତା ଦିଆଯାଇଛି ଯେ ବନୌଷଧି ଓ ବନ ଉପଜ ଉପରେ ବନବାସୀ, ଆଦିବାସୀଙ୍କ ପୂର୍ଣ୍ଣ କ୍ଷମତା ରହିଅଛି। ନିୟମଗିରି ଆନ୍ଦୋଳନର ଗୋଟିଏ ଅନ୍ତରାଳ ଥିଲା ଗ୍ରାମସଭା। ଯାହାଦ୍ୱାରା ବେଦାନ୍ତ କବଳରୁ ନିୟମଗିରିକୁ ଲୋକେ ବଞ୍ଚାଇ ପାରିଲେ। ଗ୍ରାମସଭା, ୨୦୦୬ଆଇନର ଏକ ବିଶେଷ ଅଧିକାର ଅଟେ। ଗ୍ରାମ ବନଅଧିକାର ସମିତି, ଯାହାର ଏକ ପ୍ରକ୍ରିୟା ରହିଅଛି। ଏହି ପ୍ରକ୍ରିୟା ଗ୍ରାମସଭାକୁ ସାମୂହିକ ସମ୍ପଦାର ବିନିଯୋଗ ପାଇଁ ଅଧିକାର ଦିଏ।
ସାମୂହିକ ଅଧିକାର ଅର୍ଥାତ ବନଗ୍ରାମର ଲୋକ ଯେଉଁ କ୍ଷେତ୍ର ପର୍ଯ୍ୟନ୍ତ ଜଙ୍ଗଲ ବ୍ୟବହାର କରୁଛନ୍ତି। ଜଙ୍ଗଲ ଜମି, ବନୌଷଧି, ବନଉପଜ ଅର୍ଥାତ ଲଘୁ ବନଜାତ ଦ୍ରବ୍ୟ ଆଦିର ସଂଗ୍ରହ ବିପଣନ ପ୍ରକ୍ରିୟାକରଣ ବଜାର ଆଦିର ଅଧିକାର ଦେଇଥାଏ।
ଜରିଆ –୨୦୦୬ ଆଇନ ଅଧିକାର ଦେବାରେ ଅସୁବିଧା କଣ ଅଛି ବୋଲି ଭାବୁଛନ୍ତି?
ଅମିର-ଦେଶର ସାମଗ୍ରିକ ସ୍ଥିତିକୁ ଦେଖାଗଲେ ଗୋଟିଏ ଦୁଃଖଦ ଚିତ୍ର ସାମ୍ନାକୁ ଆସେ। ଆନୁପାତିକ ଜନସଂଖ୍ୟା ଦୃଷ୍ଟିରୁ ଦେଖାଗଲେ ଆଦିବାସୀ, ଦଳିତ ଏବଂ ପଛୁଆବର୍ଗର ପ୍ରତିନିଧିତ୍ୱ ନାହିଁ। କିନ୍ତୁ ଗୋଟିଏ ଜନମଙ୍ଗଳ ରାଷ୍ଟ୍ର ସଂଖ୍ୟା ଅପେକ୍ଷା ସମୂହର ଅଧିକାର ଉପରେ ଧ୍ୟାନ କେନ୍ଦ୍ରିତ କରିବା କଥା। କିନ୍ତୁ ଗୋଟିଏ ସତ୍ୟ ଯେ ପୁଞ୍ଜି ଏବଂ ସାଧାରଣଙ୍କ ଭିତରେ ଗୋଟିଏ ସଂଘର୍ଷ ତାର କ୍ରମ ରଖିଅଛି। ଯେଉଁଠି ଖଣିଜ ରହିଅଛି ସେଠାରେ ଜଙ୍ଗଲ ଓ ଜଙ୍ଗଲବାସୀ ରହିଛନ୍ତି। ସରକାରଙ୍କ ବିସ୍ଥାପନ ନୀତି ଓ ବନବାସୀଙ୍କ ଜୀବିକା ଭିତରେ କୌଣସି ତାଳମେଳ ନାହିଁ। ଲୋକେ ବିସ୍ଥାପନ ପାଇଁ ରାଜି ନୁହନ୍ତି। ଏହିସବୁ ଝମେଲାରୁ ନିସ୍ତାର ପାଇଁ ଲୋକଙ୍କ ମୁଖ୍ୟତଃ ବନବାସୀଙ୍କ ଅଧିକାରକୁ ସୀମିତ ରଖିବା। ଏହା ହିଁ କାରଣ ବନବାସୀଙ୍କୁ ଆଇନତଃ ଅଧିକାର ଦିଆଯାଇ ପାରୁନାହିଁ।
ଜରିଆ – ସମାଧାନ କଣ?
ଅମିର-ସମାଧାନ ଯଦି ଦେଖିବା ଆଇନତଃ କାମ କରିବା ଉଚିତ। ବନବାସୀ ଲୋକ, ତାଙ୍କ ଅଧିକାର ପାଇଁ ଲଢ଼ୁଥିବା ଲୋକ ଆଇନକୁ ପୂର୍ଣ୍ଣତଃ ଲାଗୁ କରିବା ପାଇଁ ସଚେତନ ଓ ଆଗଭର ହେବା କଥା। ଦମନର ପ୍ରତିବାଦ କରୁଛନ୍ତି ଲୋକେ କିନ୍ତୁ ଅଧିକାର ପାଇଁ ମଧ୍ୟ ଲଢ଼ିବା କଥା। ବ୍ୟକ୍ତିଗତ ଅଧିକାର ପରେ ସାମୂହିକ ଅଧିକାର କଥା କୁହାଯାଏ। ଯାହା ଫର୍ମ (କ) ବ୍ୟକ୍ତିଗତ ଅଧିକାର କଥା କହେ, ଫର୍ମ(ଖ) ଓ (ଗ) ସାମୂହିକ ଅଧିକାର ଓ ଉପଯୋଗର କଥା କହିଥାଏ।
ଗୋଟିଏ ଗାଁ ଯେଉଁ କ୍ଷେତ୍ର ପର୍ଯ୍ୟନ୍ତ ଜଙ୍ଗଲ ବ୍ୟବହାର କରେ ସେ କ୍ଷେତ୍ର ଗାଁର ସାମୂହିକ ଅଧିକାରରେ ଆସିଥାଏ। ଏହି ଅଧିକାର ସାବ୍ୟସ୍ତ କରିବା ପାଇଁ ଔଷଧୀୟ ଗଛ, ଅନ୍ୟାନ୍ୟ ଗଛ, ଜୀବଜନ୍ତୁ ଆଦିର ଏକ ସ୍ପଷ୍ଟ ତାଲିକା ପ୍ରସ୍ତୁତ କରିବା। ଗୋଟିଏ ପୂର୍ଣ୍ଣ ନକ୍‌ସା ସହ ନିଜର ଇତିହାସକୁ ଗେଜେଟିୟର, ଅନ୍ୟାନ୍ୟ ଉଦାହରଣ, ଏପରିକି ସତୁରୀ ପଞ୍ଚସ୍ତରୀ ବୟସ୍କ ସିଆନଙ୍କ କଥା ବି ଉଲ୍ଲେଖ ରହିବା ଉଚିତ। ଫର୍ମ ଖ ଓ ଗ ଦାଖଲ କଲାବେଳେ ଏ ସମସ୍ତ ନଥି ରହିବା ଆବଶ୍ୟକ। ଏହାଦ୍ୱାରା ଆଇନତଃ ଲୋକଙ୍କ ଅଧିକାରରେ ଜଙ୍ଗଲ କ୍ଷେତ୍ର ଆସିଯିବ। ଏହି ସୀମା ଭିତରେ ଆଦିବାସୀ ବନବାସୀଙ୍କ ଅଧିକାର ହିଁ ରହିବ। ଦେଖାଯାଇଛି ଜଙ୍ଗଲ ବିଭାଗର କାମ ହେଲା ଜଙ୍ଗଲର ସୁରକ୍ଷା, ଦମନ ନୁହେଁ। ଆଇନରେ ପ୍ରାବଧାନ ବି ରହିଅଛି ଯେ ଆଇନକୁ ଲୋକେ ହିଁ ଲାଗୁ କରିବେ। ଜଙ୍ଗଲ ବିଭାଗ ସହଯୋଗୀ ମାତ୍ର। ଗ୍ରାମସଭାର କ୍ଷମତା ଅଛି ତାହାର ପ୍ରସ୍ତାବ ହିଁ ସବାଶେଷ ନିଷ୍ପତ୍ତି।
ଚଳନ୍ତି ସମୟରେ ପୃଥିବୀର ସର୍ବଶ୍ରେଷ୍ଠ ଜମିଦାର ଭାରତର ଜଙ୍ଗଲ ବିଭାଗ ଅଟେ। ଆଇନତଃ ବନବାସୀ ଆଦିବାସୀ ବନବିଭାଗରୁ ନିଜ ଅଧିନକୁ ଜଙ୍ଗଲ କ୍ଷେତ୍ରକୁ ଆଣି ପାରିବେ। ନିଜର ଅଧିକାର ଉପଭୋଗ କରି ପାରିବେ।
ଜରିଆ –ଲୋକଙ୍କ ଅଧିକାରକୁ ଆସିଗଲେ ଜଙ୍ଗଲ କ୍ଷୟ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ?
ଅମିର- ଇତିହାସ ଦେଖିଲେ ଜଙ୍ଗଲ ଉପରେ ନିର୍ଭର କରୁଥିବା ଲୋକ ହିଁ ଆଜି ପର୍ଯ୍ୟନ୍ତ ଜଙ୍ଗଲ ସୁରକ୍ଷା କରି ରଖିଛନ୍ତି। ତାଙ୍କର ଆଜୀବିକା ଜଙ୍ଗଲ ଉପରେ ହିଁ ନିର୍ଭର କରିଥାଏ। ଜଙ୍ଗଲ ନଷ୍ଟହେଲେ ତାଙ୍କର ଆଜୀବିକା ନଷ୍ଟ ହୋଇଯିବ। ଏହା ଏକ ଅବାନ୍ତର ଚିନ୍ତା ଯେ ଲୋକଙ୍କ ଅଧିକାରକୁ ଜଙ୍ଗଲ ଗଲେ ତାହା କ୍ଷତି ହେବ। ଜଙ୍ଗଲ ନଷ୍ଟ ହୁଏ ଖନନ ଦ୍ୱାରା, ଶିଳ୍ପ ପ୍ରତିଷ୍ଠା ଦ୍ୱାରା, ବଡ଼ବଡ଼ ନିର୍ମାଣ ଦ୍ୱାରା। ଆଦିବାସୀ କି ବନବାସୀଙ୍କ ଦ୍ୱାରା ନୁହେଁ। ସେମାନେ ଜଙ୍ଗଲକୁ ଆଧାର କରି ବଞ୍ôଚବେ, ନିଶ୍ଚୟ ନଷ୍ଟ କରି ନୁହେଁ।
ଜରିଆ – ୨୦୦୬ ଅଧିକାର ପରେ ଜଙ୍ଗଲ ସୁରକ୍ଷା ହେବ ଓ ଆମଦାନୀରେ କୌଣସି ଅସୁବିଧା ହେବ ନାହିଁ?
ଅମିର- ନିଶ୍ଚିତ ଗୋଟିଏ ସରକାରୀ ତଥ୍ୟ ଦେଖାଯାଉ; ବାର୍ଷିକ ୫୦ହଜାର କୋଟି ଟଙ୍କା ଜଙ୍ଗଲଜାତ ଦ୍ରବ୍ୟରୁ ରାଜସ୍ୱ ଆସିଥାଏ। ପ୍ରକୃତ ପରିମାଣ ଏହାର ଚାରି ପାଂଚଗୁଣ ଅଟେ। ଯଦି ରାଜସ୍ୱ ଅନୁପାତରେ ଉପଜକୁ ଦେଖାଯାଏ, ତାହେଲେ ଗୋଟିଏ ବଡ଼ସମୂହକୁ ଦାରିଦ୍ର‌୍ୟରୁ ମୁକ୍ତି ଦେବାପାଇଁ ଯଥେଷ୍ଟରୁ ଅଧିକ ନିଶ୍ଚୟ। ୧୬-୨୮ ଲରଭ ୨୦୨୧