ସମ୍ବିଧାନିକ ନୀୟମ ହିସାବରେ ମାନବକୁ ପଣ୍ୟ ଭାବରେ ବ୍ୟବହାର କରାଯାଇ ପାରିବ ନାହିଁ। ନିଜର ଅବା ନିଜ ପରିବାରର ଆବଶ୍ୟକତା ପୁରା କରିବା ପାଇଁ ମାନବ, ମାନବ ଶିଶୁ ଅବା ନିଜ ଜନ୍ମିତ ସନ୍ତାନକୁ ପଣ୍ୟ ଭାବରେ ବ୍ୟବହାର କରିବା ନିଶ୍ଚିତ ବେଆଇନ କାର୍ଯ୍ୟ। ଏଭଳି କେତେକ ଖବର ଅନେକ ଯୋଜନା ପଣୟନରେ ସହାୟକ ହୋଇଛି। ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଯୋଜନା ସବୁ ପ୍ରଣୀତ ହୋଇ ସାରିଛି। ଏଭଳି ତିନୋଟି ଖବର ବ୍ରେକ କରିଥିବା ଜଣେ ପତ୍ରକାର ଭାବରେ ମୁଁ କିଛି କଥା ସ୍ପଷ୍ଟ କରିବାକୁ ଚାହିଁବି।
ପରମ୍ପରା ଦୃଷ୍ଟିରୁ ଗୋଟିଏ ମାନବ ଅନ୍ୟ ପରିବାର ଅବା ସମ୍ପ୍ରଦାୟ (ଜାତି) କୁ କେତେକ ସର୍ତ୍ତ ପାଳନ ପୂର୍ବକ ହସ୍ତାନ୍ତରିତ ହୋଇ ପାରେ। ଯେଉଁଠି ତାର ମାନବୀୟ ଓ ସାମାଜିକ ମାନ୍ୟତା ରହିଥାଏ। ଯେଭଳି ପୋଷ୍ୟ ସନ୍ତାନ। ପୋଷ୍ୟସନ୍ତାନ ଓ କ୍ରୀତଦାସ ମଧ୍ୟରେ ଭାବ ଓ ଅର୍ଥଗତ ଭିନ୍ନତା ରହିଥାଏ। ସେଭଳି ଆଲୋଚିତ ଶିଶୁବିକ୍ରୀ ଘଟଣାମାନ ନା ପୋଷ୍ୟସନ୍ତାନ ଭାବରେ ପ୍ରମାଣିତ ହୁଅନ୍ତି ନା କ୍ରୀତଦାସ ଭାବରେ। ଭାବଗତ କଥା ଭିନ୍ନ, ତେଣୁ ବିଗତ ଦିନମାନଙ୍କରେ ଶିଶୁବିକ୍ରୀ ଭଳି ଶବ୍ଦର ବ୍ୟବହାର କରିଅଛୁ। କାରଣ ଏହି ଘଟଣାକୁ ବ୍ୟାକ୍ଷା କରିବା ଭଳି ଶବ୍ଦ ଅଭିଧାନରେ ନଥିବା କାରଣରୁ ବିକ୍ରୀ ବୋଲି ଉଲ୍ଲେଖ କରାଯାଇଛି। ସଂପୃକ୍ତ ପରିବାରର ଅର୍ଥନୈତିକ ଓ ସାମାଜିକ ପରିସ୍ଥିତି ଦେଖିଲେ ଘଟଣାଟି ବିକ୍ରୀ ଭଳି ପ୍ରତିତ ହୋଇଥାଏ। ଏଣୁ ଗଣମାଧ୍ୟମରେ ଏହାକୁ ବିକ୍ରୀ ବୋଲି ଲେଖିଥାଉ। ବିକ୍ରୀ ଏଇଥିପାଇଁ ଲେଖାହୁଏ କାରଣ ଘଟଣାର ସମ୍ପୂର୍ଣ୍ଣ ବିବରଣୀ ମଧ୍ୟ ଦିଆ ଯାଇଥାଏ।
ଏକ ସୀମିତ ସମୟ ମଧ୍ୟରେ ବଲାଙ୍ଗୀର ଜିଲ୍ଲାରେ ତିନୋଟି ଶିଶୁବିକ୍ରୀ ଭଳି ଅଭିଯୋଗ ଆସିଅଛି। ପ୍ରଥମ ଘଟଣା ଗୋଟିଏ ଜନ୍ମିତ ଶିଶୁକୁ ଅନ୍ୟ ହାତକୁ ଟେକିଦେବା। ଆଇନତଃ ଏହି ଘଟଣାକୁ ସରଳ କରାଯାଇ ପାରିଥାନ୍ତା କିନ୍ତୁ ଗୋଟିଏ ଚାଲାକିର ମାର୍ଗ ନିଆଗଲା। ମୂଳରୁ କାଗଜପତ୍ରରେ ପାଳିତ ମାତାଙ୍କ ନାମ ପ୍ରକୃତ ମାତା ଭାବରେ ଲେଖା ଯାଇଥିଲା। ଏଭଳି ନକରି ମଧ୍ୟ ପାଳିତମାତା ଶିଶୁର ମାଁ ହେବାର ଅଧିକାର ପାଇ ପାରିଥାନ୍ତେ। ସଂଯୋଗ ଦେଖାଯାଉ ଏହି ଘଟଣା ଜିଲ୍ଲାର ସେହିଠାରେ ଘଟିଛି ଯେଉଁଠାରୁ ୫୦୦ ମିଟର ଦୂରରେ ୧୩ ମଇ, ୧୯୯୩ ଦିନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ୧୯୯୨ ମସିହାରେ ଘଟିଥିବା ବଲାଙ୍ଗୀର ବଙ୍ଗୋମୁଣ୍ଡା ବ୍ଲକର ଦୁଇଟି ଶିଶୁବିକ୍ରୀ ଘଟଣାର ଅଭିଯୋଗର ତଦନ୍ତ ପାଇଁ ଓହ୍ଲାଇ ଥିଲେ। ଏହି ଘଟଣାରେ ରାଜ୍ୟ ବାହାରର ଜଣେ ଦମ୍ପତ୍ତି ଯାହାଙ୍କ ବଲାଙ୍ଗୀର ଜିଲ୍ଲାସହ ଘନିଷ୍ଠ ସମ୍ପର୍କ ରହିଅଛି। ଘଟଣା ବାହାରେ ମୁଖ୍ୟକଥା ହେଲା ଶିଶୁଟିର ପ୍ରକୃତ ମାଁ ଗରିବ ଓ ପାଳିତ ମାତାପିତାଙ୍କ ଭଳି ଗୋଟିଏ ସୁସ୍ଥ ଜୀବନ ସେ ଦେଇ ପାରିବ ନାହିଁ। ଘଟଣାର ମୂଳରେ ଆବଶ୍ୟକତା ଅପେକ୍ଷା ଦାରିଦ୍ର୍ୟ ହିଁ ମୁଖ୍ୟ କାରଣ ଅଟେ।
ଦ୍ୱିତୀୟ ଘଟଣା ସୁବର୍ଣ୍ଣପୁର ଜିଲ୍ଲାରେ ବହା ହୋଇଥିବା ଜଣେ ଯୁବତୀ ବିଧବା ହେଲାପରେ କାମଦାମ କରି ଚଳିବା ପାଇଁ ନିଜ ଜିଲ୍ଲା ବଲାଙ୍ଗୀରକୁ ଆସିଲା। ପରଘରେ କାମ କରି ଚଳୁଥିବା ଯୁବତୀର ଗୋଟିଏ ସନ୍ତାନ ଜନ୍ମ ହେଲା। ସେ ଶିଶୁଟିକୁ ନିଜର ଭଉଣୀକୁ ପ୍ରତିପୋଷଣ ପାଇଁ ଦେଇଦେଲା। ଭଉଣୀ ସହ ପୂର୍ବ ମୌଖିକ ଚୁକ୍ତି ଅନୁସାରେ ଜନ୍ମିତ ସନ୍ତାନକୁ ଦେଇଥିଲା। ଏହି ଘଟଣାର ତର୍ଜମା କଲେ ଏହା ସମ୍ପୂର୍ଣ୍ଣ ଭାବେ ଗୋଟିଏ ପରିବାରିକ ମାମଲା। ତଥାପିବି ଆଇନତଃ ଏହାର ବୈଧ ଦିଗ ରହିଅଛି। କିନ୍ତୁ ଦେଖାଗଲେ ସନ୍ତାନ ପ୍ରତିପୋଷଣରେ ଅସମର୍ଥ ଯୁବତୀ ଜଣକ ନିଜର ସନ୍ତାନକୁ ଅନ୍ୟକୁ ଦେଇଦେବା ପଛରେ ଦାରିଦ୍ର୍ୟ ଗୋଟିଏ ମୁଖ୍ୟ କାରଣ।
ତୃତୀୟ ଘଟଣା ମଧ୍ୟ ବଲାଙ୍ଗୀର ଜିଲ୍ଲାର ଅଟେ। ଦୁଇଟି ସନ୍ତାନର ଜନନୀ ଭୀମଭୋଇ ମେଡିକାଲ କଲେଜ ହାସପାତାଲ, ବଲାଙ୍ଗୀରରେ ଜମଜ କନ୍ୟା ସନ୍ତାନର ଜନନୀ ହେଲା। ଅଭାବ କାରଣରୁ ଦୂର୍ଗର ଜଣେ ଦମ୍ପତ୍ତିଙ୍କୁ ପ୍ରତିପୋଷଣ ପାଇଁ ପାଞ୍ଚହଜାର ଟଙ୍କା ବିନିମୟରେ ଦେଇଥିବା ସ୍ୱୀକାର କରିଥିଲା।
ଉପରୋକ୍ତ ତିନୋଟି ଘଟଣାର ଆଇନଗତ ଦିଗ ରହିଅଛି ଯାହା ଫଳରେ କଥିତ ଶିଶୁମାନଙ୍କୁ ଖରିଦ କରିଥିବା ପିତାମାତା ଆଇନତଃ ଗ୍ରହଣ କରି ପାରିଥାନ୍ତେ। କିନ୍ତୁ ଏହା ହୋଇନାହିଁ। ଫଳରେ ଆଇନର ହସ୍ତକ୍ଷେପ ରହିଲା। ପ୍ରଥମ ଏବଂ ତୃତୀୟ ଘଟଣା ଉପରେ ଦୃଷ୍ଟି ଦେବା ଆବଶ୍ୟକ। ରାଜ୍ୟ ବାହାରକୁ ବିକ୍ରୀ ହୋଇଥିବା ଦୁଇଟି ଶିଶୁଙ୍କ ପାଇଁ ଦଲାଲ ବା ମଧ୍ୟସ୍ଥି ରହିଥିଲେ। ଏହି ମଧ୍ୟସ୍ଥିମାନେ କିଏ? ମଧ୍ୟସ୍ଥିମାନଙ୍କୁ ବୁଝିବାକୁ ହେଲେ ସାମାନ୍ୟ ବିସ୍ତାରରେ ଆଲୋଚନା ଆବଶ୍ୟକ। ଦାଦନ ଶ୍ରମିକ ଚାଲାଣ ଏବଂ ପ୍ରବାସୀ ଶ୍ରମିକଙ୍କ ଆବାଗମନ ସାରା ଦେଶରେ ହୋଇଥାଏ। ଦାଦନ ଶ୍ରମିକଙ୍କ କ୍ଷେତ୍ରରେ ଗୋଟିଏ ଗୋଟିଏ ସମୂହ ଜଣେ ଦଲାଲ ସହାୟତାରେ ନିଜର କାର୍ଯ୍ୟକ୍ଷେତ୍ରକୁ ଯାଇଥାନ୍ତି। ଯେଉଁମାନେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ କ୍ରୀତଦାସ ତୁଲ୍ୟ ଦୀର୍ଘ ମାସ କାମ କରିଥାନ୍ତି। ଏମାନଙ୍କ ସ୍ଥାନୀୟ ଲୋକଙ୍କ ସହ ସମ୍ପର୍କ ନଥାଏ। ବରଂ ଦଲାଲର ସମ୍ପର୍କ ଦାଦନ ଅପେକ୍ଷା ବେଶି ପ୍ରସାରିତ କ୍ଷେତ୍ରରେ ହୋଇଥାଏ। ପ୍ରବାସୀ ଶ୍ରମିକ ନିଜର ସ୍ୱାଧିନତା ଉପଭୋଗ କରିଥାନ୍ତି। କାର୍ଯ୍ୟକ୍ଷେତ୍ର ତଥା ପାଖଆଖ ଲୋକଙ୍କ ସମ ସେମାନଙ୍କ ସମ୍ପର୍କ ବଢିଥାଏ। କର୍ମ ନିୟୋଜନ ପାଇଁ ଅଥବା ଅନ୍ୟ ସମ୍ପର୍କ ଏମାନଙ୍କ ଦ୍ୱାରା କରା ଯାଇଥାଏ। ଯାହା ସ୍ୱଭାବିକ।
ବଡମକାର (୧୯୬୫ ମରୁଡି) ପରେ ପରେ ଗୋଟିଏ ସମୂହ ପଳାୟନ ମଧ୍ୟପ୍ରଦେଶର ରାୟପୁର, ଦୂର୍ଗ, ନାଗପୁର ଅଞ୍ଚଳକୁ ହୋଇଥିଲା। ରେଳମାର୍ଗର ସୁବିଧା ସହ ଇଂରେଜ ସମୟରେ ଶାସକୀୟ ସମ୍ପର୍କ ଏହି ସମୂହ ପଳାୟନକୁ ସହଯୋଗ କରିଥିଲା। ଏହା ପରେ ପରେ ଦାରିଦ୍ର୍ୟର ସୁଯୋଗ ନେଇ ଅନେକ ଝିଅଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରାଗଲା। ବିିଭିନ୍ନ କୌଶଳ ପ୍ରୟୋଗ କରି କିଛି ଲୋକ ଝିଅମାନଙ୍କୁ ନେଇ କୌଣସି ଅଘୋଷିତ ସଂଗଠନକୁ ଦେଉଥିଲେ ଅବା ବ୍ୟକ୍ତିଗତ ଭାବେ ଦେହ ବ୍ୟବସାୟରେ ନିୟୋଜିତ କରୁଥିଲେ। ଏତେବେଳେ ଦଲାଲମାନଙ୍କ ଅଭ୍ୟୁଦୟ ହୁଏ। ଦଲାଲମାନେ କେବଳ ଦେହ ବ୍ୟବସାୟରେ ମହିଳାଙ୍କୁ ନିୟୋଜିତ କରୁଥିଲେ ତାହା ନୁହେଁ ଅନେକ ଯୁବତୀ ସେଠାକାର ସ୍ଥାନୀୟ ଯୁବକ ଆଦିଙ୍କୁ ବାହା ହୋଇ ଘରସଂସାର କରିବା ବି ନଜିର ରହିଅଛି।
ଉତ୍ତରପ୍ରଦେଶ ଆଦି ପୂର୍ବାଞ୍ଚଳ ରାଜ୍ୟମାନଙ୍କର ଯୁବକମାନେ ବିବାହ କରିବା ଉଦ୍ଦେଶ୍ୟରେ ଓଡ଼ିଶାରୁ ଝିଅମାନଙ୍କୁ ଦଲାଲ ସହାୟତାରେ ଯୋଗାଡ କରିଥାନ୍ତି। ଏଭଳି ଅନେକ ଘଟଣା ଆଖି ସାମ୍ନାକୁ ଆସିଅଛି। ଯେପରି ସ୍ୱାମୀ ଅନିରୁଦ୍ଧଙ୍କ ଏକ ସଭାରେ ଜଣେ ପୌଢ ନିଜର ଅଳ୍ପବୟସ୍କା ସ୍ତ୍ରୀଙ୍କୁ ଓଡ଼ିଶାରୁ କିଣିଥିବା ସ୍ୱୀକାର କରିଥିଲା। ସ୍ୱାମୀଜୀଙ୍କ କାର୍ଯ୍ୟକ୍ରମରେ ପୌଢ ଜଣକ ସ୍ୱୀକାର କରିଥିଲା ଯେ ସେ ଝିଅଟିକୁ ଓଡ଼ିଶାରୁ ଅଶିହଜାର ଟଙ୍କା ଦେଇ କିଣିଥିଲା। ଏହା ବ୍ୟତୀତ ଜାତିବର୍ଣ୍ଣ ବାଦ ହିନ୍ଦୁ ଯୁବତୀଙ୍କୁ ବାହା ହେବାପାଇଁ ଅଣଓଡ଼ିଆ ଯୁବକମାନେ ବେଶ ଆଗ୍ରହ ଦେଖାଇ ଆସୁଛନ୍ତି। ନିଜ ସମ୍ପ୍ରଦାୟରେ ଝିଅଙ୍କ ଅଭାବ କାରଣରୁ ଓଡ଼ିଶାର ହିନ୍ଦୁଝିଅଙ୍କୁ ବାହା ହେବାପାଇଁ ବେଶ ଆଗ୍ରହ ଦେଖାଇଥାନ୍ତି। ଯାହାକୁ ତାଙ୍କ ସମାଜ ସ୍ୱୀକୃତି ଦେଇଅଛି। ଦେହ ବ୍ୟବସାୟ ବ୍ୟତୀତ ଏହି ବିବାହ ପ୍ରକରଣରେ କୌଣସି ଅପରାଧିକ ଘଟଣା ସମ୍ନାକୁ ଆସି ନଥିବା ବେଳେ ଏହି ଝିଅମାନଙ୍କୁ ଯୋଗାଡ କରିବା ପାଇଁ ମଧ୍ୟସ୍ଥିଙ୍କ ଆବଶ୍ୟକତା ହୋଇଥାଏ। କାରଣ ଏହି ମାମଲାରେ ମଧ୍ୟସ୍ଥିର ମଧ୍ୟ ବେଶ ଦୁଇ ପଇସା ରୋଜଗାର ହୋଇଥାଏ। ଦାରିଦ୍ର୍ୟ କାରଣରୁ ଝିଅମାନଙ୍କୁ ଠାବ କରିବା କଠିଣ ହୋଇ ନଥାଏ। ଏହି ମଧ୍ୟସ୍ଥିଙ୍କ ମାଧ୍ୟମରେ ଉପରୋକ୍ତ ପ୍ରଥମ ଓ ତୃତୀୟ ନବଜାତକଙ୍କ ବ୍ୟବସାୟ ହୋଇଥିଲା।
ଏହାର ପୂର୍ବ ଘଟଣାମାନଙ୍କ ପ୍ରକାର ଭିନ୍ନ।
୧୯୮୫ ମସିହାରେ କଳାହାଣ୍ଡିର ଝିଅ ବଲାଙ୍ଗୀର ଜିଲ୍ଲାରେ ବିକ୍ରୀ ହୋଇଥିଲା। ଯିଏ କିଣିଛି ବୋଲି ଅଭିଯୋଗ ହୋଇଥିଲା ସେ ତାହାର ସ୍ତ୍ରୀ ଭାବରେ ସାମାଜିକ ସ୍ୱୀକୃତି ପାଇଲା ଏବଂ ତାର ପୁଅଝିଅଙ୍କୁ ମଧ୍ୟ ବାହା ଦେଇ ସାରିଲାଣି। ଏହିବର୍ଷ କଳାହାଣ୍ଡିର ଅନ୍ୟଏକ ଘଟଣାରେ ଜଣେ ନବଜାତକର ବିକ୍ରୀ ଅଭିଯୋଗ ହୋଇଥିଲା। ଯିଏ ନିଜର ପାଳିତ ପିତାଙ୍କ ସହାୟତାରେ ଏକ ଉଚ୍ଚପଦସ୍ଥ କର୍ମଚାରୀ ହୋଇଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆସିଥିଲେ। ୧୯୯୨ ମସିହାରେ ବଲାଙ୍ଗୀର ଜିଲ୍ଲାର ଦୁଇଟି ଘଟଣା ହୋଇଥିଲା। ପ୍ରଥମ ଘଟଣା ଜଣେ ଆଦିବାସୀ ଝିଅ ବିକ୍ରୀ ହେବାସହ ଜଣେ ଦଳିତ ପୁଅ ବିକ୍ରୀ ହୋଇଥିବା ଅଭିଯୋଗ ହୋଇଥିଲା। ଯାହାର ତଦନ୍ତ ପାଇଁ ପି.ଭି.ନରସିଂହ ରାଓ ବଲାଙ୍ଗୀର ଗସ୍ତରେ ଆସିଥିଲେ। ଆଦିବାସୀ ଝିଅଟି ନିଜର ଘରସଂସାର କରି ରହୁଥିବା ବେଳେ ଦଳିତ ମହିଳା ଓ ବିକ୍ରୀ ହୋଇଥିବା ପୁଅ କୁଆଡେ ଗଲେ ଆଜି ପର୍ଯ୍ୟନ୍ତ ଠାବ ହୋଇ ନାହାନ୍ତି। ଏମାନେ କାହିଁକି ଗାଁରୁ ପଳେଇଲେ ବୋଲି ପଚାରିଲେ ସ୍ଥାନୀୟ ଲୋକେ କହନ୍ତି ବିଡିଓ ଓ ସବକଲେକ୍ଟର ବାରମ୍ବାର ଗାଁକୁ ଆସି ଧମକଚମକ କରିବା ପରେ ଭୟରେ ସେମାନେ ଗାଁ ଛାଡି ପଳେଇ ଥିବା କହିଥାନ୍ତି। ସେ ଯେଉଁଠାରେ ଓହ୍ଲାଇଥିଲେ ସେହିଠାରୁ ୫୦୦ ମିଟର ଦୂରରେ ଆଲୋଚିତ ପ୍ରଥମ ଘଟଣା ଘଟିଛି। ୧୯୯୬ ମସିହାରେ ଗୋଟିଏ ଅନାହାର ମୃତ୍ୟୁର ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବଗୌଡା ବଲାଙ୍ଗୀର ଆସିଥିଲେ। ସେ ଯିବାର ଦୁଇଦିନ ପରେ ଜଣେ ବିଧବା ମାଁ ନିଜର ଝିଅକୁ ବିକ୍ରୀ କରିଥିବାର କଥା ଗଣମାଧ୍ୟମ ସାମ୍ନାରେ ସ୍ୱୀକାର କରିଥିଲା। ୨୦୦୧ ମସିହାରେ ଜଣେ ଦଳିତ ଝିଅ ବିକ୍ରୀ ହେବାର ଅଭିଯୋଗ ହେଲା। ଯାହାକୁ କିଣିଥିବା ବ୍ୟକ୍ତି ଜଣକ ଝିଅ କରି ରଖିବାର କଥା କହିଥିଲା।
ଏହି ବହୁଚର୍ଚ୍ଚିତ ଘଟଣାମାନଙ୍କ ପରେ ୧୯୮୫ ମସିହାରେ ଗୋଟିଏ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ଆର.ଏଲ.ଟି.ଏ.ପି ଲାଗୁ ହେଲା। ପାଖାପାଖି ୩୯୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ୧୯୯୨ ଘଟଣା ପରେ କେ.ବି.କେ ଯୋଜନା ଲାଗୁହେଲା। ୨୦୦୧ ଘଟଣା ପରେ ରୋଜଗାର ଓ ଖାଦ୍ୟ ସୁରକ୍ଷା ଉପରେ ବିଭିନ୍ନ କାର୍ଯ୍ୟକ୍ରମମାନ ପ୍ରଣିତ ହୋଇଥିଲା। ଲୋକଙ୍କୁ କାମ ଯୋଗାଇବାର ବିଭିନ୍ନ ଯୋଜନା ପରେ ସେପ୍ଟେମ୍ବର ୨୦୦୫ ମସିହାରେ ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ପାରିତ ହେଲା। ଫେବୃୟାରୀ ୨୦୦୬ ମସିହାରେ ଦେଶର ୨୦୦ ଜିଲ୍ଲାରେ ଆରମ୍ଭ ହୋଇ ୨୦୦୭-୦୮ ମସିହାରେ ଅଧିକ ୧୩୦ ଜିଲ୍ଲାକୁ ସାମିଲ କରାଗଲା। ଏହାପରେ ଏପ୍ରିଲ ୧, ୨୦୦୮ ମସିହାରେ ସମଗ୍ର ଦେଶରେ ଏହାକୁ ଲାଗୁ କରାଗଲା। ଯାହା ୨୦୦୯ ମସିହା ଗାନ୍ଧୀ ଜୟନ୍ତି ଦିନଠାରୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ଭାବରେ ପରିଚିତ ହେଲା। ୨୦୧୩ ମସିହାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପାରିତ ହେଲା। ଏହି ଯୋଜନା ଆଧାରରେ ଦେଶର ୮୦ କୋଟି ଲୋକଙ୍କୁ ମାଗଣା ମୁଣ୍ଡପିଛା ପାଞ୍ଚ କିଲୋ ଖାଦ୍ୟାନ୍ନ ଯୋଗା ଯାଉଥିବା କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହନ୍ତି।
ରାଷ୍ଟ୍ରୀୟ ସ୍ତରରେ ଏହି ସବୁ ଜନମଙ୍ଗଳକାରୀ ଯୋଜନା ଆଇନର ରୁପ ନେଲା। ଏହା ବଲାଙ୍ଗୀର ଜିଲ୍ଲାର ଘଟଣାମାନଙ୍କୁ ନେଇ ହୋଇଥିଲା ବୋଲି କହିଲେ ଅତିରଞ୍ଜିତ ହୋଇପାରେ କିନ୍ତୁ ବଲାଙ୍ଗୀର ଶିଶୁବିକ୍ରୀ ଘଟଣାମାନ ଅନେକ ଜନମଙ୍ଗଳକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ବେଶ ସହାୟକ ହୋଇଥିଲା। ଏହିସବୁ ଯୋଜନା କାର୍ଯ୍ୟକାରୀ ହେବାର ଦଶନ୍ଧୀରୁ ଉର୍ଦ୍ଧ୍ୱ ସମୟ ବିତି ସାରିବା ପରେ ଜିଲ୍ଲାରେ ତିନୋଟି ଶିଶୁବିକ୍ରୀ ଘଟନା ସାମ୍ନାକୁ ଆସେ।
ଏକବିଂଶ ଶତାବ୍ଦୀର ଆରମ୍ଭକୁ ଯଦି କେନ୍ଦ୍ରବିନ୍ଦୁ ଭାବରେ ଗ୍ରହଣ କରାଯିବ ତାହେଲେ ଏହା ପୂର୍ବ ଘଟଣା ଏବଂ ପର ଘଟଣାମାନଙ୍କରେ ଗୋଟିଏ କଥା ଲକ୍ଷ କରାଯାଏ ଯେ ଏହି ସମସ୍ତ ଘଟଣା ପଛରେ ଦାରିଦ୍ର୍ୟ ହିଁ ଏକମାତ୍ର କାରଣ ରହିଅଛି।
ପୂର୍ବ ଘଟଣାମାନ ଯେତେବେଳେ ଘଟିତ ହେଲା ସେ ସମୟରେ ସରକାରଙ୍କ ଜନମଙ୍ଗଳକାରୀ ଯୋଜନାମାନ ସେତିକି ନଥିଲା। ସେ ସମୟର ଘଟଣାମାନଙ୍କୁ ସରକାର ଅବା ପ୍ରଶାସନ ମିଛ ବୋଲି ପ୍ରମାଣ କରିବା ପାଇଁ ବାର୍ଦ୍ଧକ୍ୟ, ବିଧବା ଏବଂ ଭିନ୍ନକ୍ଷମ ଭତ୍ତାକୁ ଆଧାର କରୁଥିଲେ। ପ୍ରଶାସନ ନିକଟରେ ଏହା ବଳିଷ୍ଠ ପ୍ରମାଣ ଭାବେ ଦେଖାଉଥିଲେ ଯେ ଅଭିଯୋଗ ଭିତ୍ତିହୀନ ବୋଲି। କିନ୍ତୁ ବର୍ତ୍ତମାନ ସରକାରଙ୍କ ଯେତେସବୁ ଯୋଜନା ଚାଲୁଅଛି ଅନ୍ତତଃ କ୍ଷୁଧା କାରଣରୁ ଶିଶୁବିକ୍ରୀ ଭଳି ଅମାନବୀୟ ଘଟଣା ଘଟୁଥିବା କଥା ଭିତ୍ତିହୀନ ବୋଲି ପ୍ରଶାସନ ଜୋର ଦେଇ ପାରିବ। ଆଇନଗତ ଦୃଷ୍ଟିରୁ ବିଚାର କଲେ ଏହା ଅପରାଧ ନିଶ୍ଚୟ। ଘଟଣା ସହ ଅନେକ କାରଣ ଯୋଡିହୋଇ ରହୁଥିବାରୁ ପ୍ରଶାସନ ନିକଟରେ ଯୁକ୍ତିର ବିଭିନ୍ନ ମାର୍ଗ ରହିଅଛି। ଅତୀତ ଏବଂ ବର୍ତ୍ତମାନର ପ୍ରଶାସନିକ ଦକ୍ଷତାକୁ ଯଦି ତର୍ଜମା କରାଯାଏ ତାହେଲେ ବର୍ତ୍ତମାନ ସରକାର ଏବଂ ପ୍ରଶାସନ ଉଭୟ ବେଶ କ୍ଷମତାଶାଳୀ।
ଅଭିଯୋଗମାନଙ୍କ ସତ୍ୟତା ଉପରେ କୌଣସି ବିତର୍କ ନରଖି ଗୋଟିଏ କଥା ଦେଖାଯାଉ ଏହା ପଛରେ ଦାରିଦ୍ର୍ୟ ହିଁ କାରଣ ରହିଅଛି। କେବଳ ବଲାଙ୍ଗୀର ଜିଲ୍ଲା ନୁହେଁ ସମଗ୍ର ଦେଶର ସ୍ଥିତି ଯଦି ବିଚାରକୁ ନିଆଯାଏ ତାହେଲେ ଯୋଗାଯୋଗ କ୍ଷେତ୍ରରେ ଏତେ ବିକାଶ ହୋଇଥିବା ବେଳେ ନିଶ୍ଚିତ କହିହେବ ଯେ ବିକାଶର ଚାକଚକ୍ୟରେ ଦାରିଦ୍ର୍ୟ ଘୋଡି ହୋଇ ରହିଛି ମାତ୍ର। ଯାହା ସାଧାରଣ ଆଖିକୁ ସବୁବେଳେ ଅଦୃଶ୍ୟ ହୋଇ ରହିଅଛି। ଏହା ହିଁ ଶାସନର ଗୋଟିଏ ବଡ ଉପଲବ୍ଧି।
April 23, 2025 at 11:48 pm
The website design looks great—clean, user-friendly, and visually appealing! It definitely has the potential to attract more visitors. Maybe adding even more engaging content (like interactive posts, videos, or expert insights) could take it to the next level. Keep up the good work!
May 8, 2025 at 7:58 pm
dhanyabaad sir
namaskar