ନୂଆପଡ଼ା ଜିଲ୍ଲାର ଖଡ଼ିଆଲ ଓ ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ ସୀମା। ରାୟପୁର-ଗୋପାଲପୁର ଜାତୀୟ ରାଜପଥକୁ ଲାଗିଥିବା ଅବା ଅନତିଦୂରରେ ଥିବା ଗାଁ ମାନଙ୍କର କିଛି ଘଟଣା ଦେଶର ସର୍ବୋଚ୍ଚ ଶାସନକର୍ତ୍ତା ପ୍ରଧାନମନ୍ତ୍ରୀଙ୍କୁ ଟାଣି ଆଣିଛି। ଶ୍ରୀମତୀ ଇନ୍ଦିରା ଗାନ୍ଧୀ ୧୯୬୫ ବଡ଼ମକାର ପରିସ୍ଥିତି ଦେଖି ଆସିଥିଲେ। ଶ୍ରୀ ରାଜୀବ ଗାନ୍ଧୀ ୧୯୮୫ ବହୁ ଚର୍ଚ୍ଚିତ ଛୁଆବିକ୍ରି ଘଟଣାର ଅନୁସନ୍ଧାନରେ ଆସିଥିଲେ। ୧୯୯୨ ଛୁଆବିକ୍ରି ଘଟଣାର ଅନୁସନ୍ଧାନରେ ପି.ଭି.ନରସିଂହରାଓ ଆସିଥିଲେ। ୧୯୯୬ ଅନାହାର ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଏଚ.ଡ଼ି.ଦେବଗୌଡ଼ା ଆସିଥିଲେ। ଅବଶ୍ୟ ୨୦୦୦ ଅନାହାର ମୃତ୍ୟୁ ଘଟଣାର ପ୍ରତିକ୍ରିୟା ଘଣ୍ଟାଏ ମଧ୍ୟରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଥୁରାର ଏକ ଜନସଭାରୁ ଦେଇଥିଲେ।
ଦୁଇଟି ଜିଲ୍ଲାର ଏ ସୀମା ଗୋଟିଏ ଭୂଗୋଳ; କାହିଁକି ଏତେ ବିକ୍ଷାତ ଯେ ଏହାର ଗୋଟିଏ ଗୋଟିଏ ଘଟଣା ଦିଲ୍ଲୀକୁ ଥରାଇ ଦିଏ? ପ୍ରଧାନମନ୍ତ୍ରୀମାନଙ୍କୁ ବାରମ୍ବାର ଗସ୍ତ କରିବାକୁ ବାଧ୍ୟ କରିଥାଏ କୌଣସି ଉତ୍କର୍ଷ ପାଇଁ ନୁହେଁ ବରଂ ଦାରିଦ୍ର‌୍ୟ ପାଇଁ। ଏ ଦାରିଦ୍ର‌ ଅବଧାରିତ ଯେମିତି।
ଅଞ୍ଚଳର ପ୍ରମୂଖ ରାଜନେତା ଶ୍ରୀ କପିଳ ନାରାୟଣ ତିୱାରୀ ସମଦୃଷ୍ଟି ସଙ୍ଗେ ଆଲୋଚନା ବେଳେ, ୧୯୮୫ ବହୁଚର୍ଚ୍ଚିତ ଛୁଆବିକ୍ରି ଘଟଣାକୁ ନେଇ ନିଜର ମତ ସ୍ପଷ୍ଟ କରିଥିଲେ। ରାୟପୁରକୁ ସଂଯୋଗ କରୁଥିବା ରାସ୍ତା(ରାୟପୁର-ଗୋପାଳପୁର ଜାତୀୟ ରାଜପଥ) ଯାହା ଉପରେ ପ୍ରତିଦିନ ଶହ ଶହ ଟ୍ରକ ସରୁ ଚାଉଳ ଯାଇଥାଏ ସେ ରାସ୍ତାକୁ ଲାଗି ଥିବା ଗାଁରେ ଦାରିଦ୍ର‌୍ୟ ଯେପରି ଅଛି ବୋଡ଼େନ ବ୍ଲକର ଅଗମ୍ୟ ଅଞ୍ଚଳରେ ମଧ୍ୟ ତଦୃପ ଦାରିଦ୍ର‌୍ୟ ରହିଅଛି।
ବିଷୟ ପ୍ରବେଶ
ବଲାଙ୍ଗିର ଜିଲ୍ଲା ବଙ୍ଗୋମୁ୍‌ଣ୍ଡା ବ୍ଲକ ବଲଧା ଗ୍ରାମ ପଞ୍ଚାୟତର ବରଲାବେହେଲି ଗାଁ। ଗାଁ ସୀମା ନୂଆପଡ଼ା ଜିଲ୍ଲା ସୀମାକୁ ଛୁଇଁଛି। ଅଧିକାଂଶ ପରିବାର ପ୍ରବାସୀ ଶ୍ରମିକ ପରିବାର। ଯେଉଁମାନେ ଗାଁରେ ରହନ୍ତି ସେମାନେ ଛୋଟଛୋଟ କାମ, ସରିଆସୁଥିବା ଜଙ୍ଗଲ ଓ ଭାଗ୍ୟର ଭରସାରେ ରହନ୍ତି। ଏହି ଗାଁର ବିଧବା ବାଲମତୀ ଶବର(ନାଏକ) ନାମ୍ନୀ ବିଧବାଙ୍କ ଅକାଳରେ ମୃତ୍ୟୁ ହୁଏ। ଏହା ଏକ ଅନାହାର ଜନିତ ମୃତ୍ୟୁ ବୋଲି ଅଭିଯୋଗ ହୁଏ। ଘଟଣା ପୂର୍ବ ଘଟଣାମାନଙ୍କ ପରି ଚର୍ଚ୍ଚିତ ହେଲା। ୧୪ ନଭେମ୍ବର, ୧୯୯୬ ଦିନ ପ୍ରଧାନମନ୍ତ୍ରୀ ଏଚ.ଡ଼ି.ଦେବଗୌଡ଼ା ବରଲାବେହେଲି ଗସ୍ତରେ ଆସନ୍ତି। ଭାଲୁମୁଣ୍ଡାରେ ତିଆରି ଅସ୍ଥାୟୀ ହେଲିପେଡ଼ରେ ଓହ୍ଲାନ୍ତି ଯେଉଁଠି ଦଶବର୍ଷ ପୂର୍ବରୁ ରାଜୀବ ଗାନ୍ଧୀ ଓହ୍ଲାଇ ଥିଲେ। ବରଲାବେହେଲି ଗାଁକୁ ପ୍ରଧାନମନ୍ତ୍ରୀ ସୁରକ୍ଷା କାରଣରୁ ଯାଇ ପାରନ୍ତି ନାହିଁ। ମୃତକର ବଡ଼ ସାବତ ପୁଅ ସୁଶୀଳ ସହ ହେଲିପେଡ଼ରେ ସାକ୍ଷାତ ହୁଅନ୍ତି।
କାହାଣୀ
ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ବାଲମତୀକୁ ଦ୍ୱିତୀୟ ବିବାହ କରନ୍ତି ସୁଶୀଲଙ୍କ ବାପା। ଛୋଟ ଚାଷୀ ପରିବାର। ଚାଷ ଏବଂ ଅନ୍ୟାନ୍ୟ କାମକରି ପରିବାର ଚଳି ଯାଆନ୍ତି। ସୁଶୀଲଙ୍କ ବାପା ରୋଗରେ ପଡ଼ିଲେ। ବହୁ ଖର୍ଚ୍ଚାନ୍ତ ହେବାପରେ ସେ ଆଉ ବଞ୍ôଚଲେ ନାହିଁ। ଏତେବେଳକୁ ସୁଶୀଲକୁ ପନ୍ଦର ବର୍ଷ ଓ ଗୁଣଧରକୁ ପାଞ୍ଚବର୍ଷ ହେଉଥାଏ। ପରିବାରର ବୋଝ ବାଲମତୀଙ୍କ ଉପରେ ପଡ଼ିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ଚାଷ ସମୟରେ ଜାଣିଲେ ଯେ ତାଙ୍କ ଜମି ଜଣେ ସ୍ଥାନୀୟ ମହାଜନଙ୍କ ଅକ୍ତିଆରକୁ ଚାଲି ଯାଇଛି। ମହାଜନର କହିବା ଅନୁସାରେ ରୋଗରେ ପଡ଼ିଲା ବେଳକୁ ଜମି ବଦଳରେ ଟଙ୍କା ନିଆ ହୋଇଛି। ଏ କଥା ବାଲମତୀ ଜାଣି ନ ଥିବା ନିଶ୍ଚିତ ଅସମ୍ଭବ କଥା। କିନ୍ତୁ ମହାଜନ, ତା ଉପରକୁ କେହି କିଛି କହି ପାରିବେ ନ।।ହିଁ। ସେହି ଦିନରୁ ଜମିର ମୁହଁ ଦେଖି ନାହନ୍ତି ସୁଶୀଲ ଓ ଗୁଣଧର ଦୁଇଭାଇ।
ପରିବାର ପ୍ରତିପୋଷଣ ପାଇଁ ସୁଶିଲ ଛୋଟମୋଟ କାମ କରନ୍ତି ଏବଂ ବାଲମତୀ ମଜୁରୀ କରନ୍ତି। ଦୁଇ ମାଁ ପୁଅଙ୍କ ରୋଜଗାରରେ ପେଟକୁ ଦୁଇମୁଠା ମିଲୁଥାଏ। ଦିନେ ମଜୁରି ନ ଗଲେ ପେଟ ଅଚଳ। ଚାଷ ଆରମ୍ଭର କିଛିଦିନ ପରେ କୃଷି ଶ୍ରମିକଙ୍କ ପାଇଁ କାମର ଅଭାବ ହୁଏ। ଏହି ଅଭାବ ବଢ଼ି ବଢ଼ି ଚାଲିଲା। ୧୯୯୬ ମସିହା ମରୁଡ଼ିର ବର୍ଷ। ପ୍ରଧାନମନ୍ତ୍ରୀ ଦେବଗୌଡ଼ା ସ୍ୱୀକାର କଲେ ଚଳିତ ବର୍ଷର ମରୁଡ଼ି ୧୯୬୫ର ସ୍ଥିତିକୁ ବଲିଗଲା। ବାଲମତୀ ଦୀର୍ଘ ଉପବାସ ଯୋଗୁଁ ରୋଗିଣା ହୋଇଯାନ୍ତି। କାମ କରି ପାରନ୍ତି ନାହିଁ। ଛୋଟ ଗାଁ; ଏ ମୁଣ୍ଡ ଘରୁ ଡାକ ଦେଲେ ଶେଷ ମୁଣ୍ଡର ଲୋକ ଶୁଣିବେ। ଗାଁ ସାରା ଲୋକ ତଳି ରୋଇବାକୁ ଯାଇଥାନ୍ତି। ରୋଗିଣା ବାଲମତୀଙ୍କୁ ଛଅ ବର୍ଷର ପୁଅ ଗୁଣଧର ଜଗି ଥାଏ। ସଂଧ୍ୟାରେ ଲୋକେ ଜମିକାମ ସାରି ଫେରିଲେ। ବାଲମତୀକୁ ଦେଖି ଆସିଲେ, ସେ କେତେବେଳୁ ମରି ସାରିଥାଏ। ଗୁଣଧରକୁ ଜଣେ କିଏ ବାହାରକୁ ଧରି ଆଣିଲା। ଗାଁ ଲୋକ ମିଶି ଶେଷକୃତ୍ୟ କଲେ।
ମାଁଙ୍କ ସହ ସେହି ଶେଷ ସମୟ ଆଜି ବି ଗୁଣଧରକୁ ଭାବୁକ କରିଦିଏ। ସକାଳୁ ମାଁଙ୍କ ପାଖେ ବସିଥିବା ଗୁଣଧର ଜାଣିପାରିଲା ନାହିଁ ଯେ ମୃତ୍ୟୁ କେତେ ସନ୍ଦର୍ପଣରେ ଆସି ତାର ମାଁଙ୍କୁ ନେଇଗଲା। ମାଁଙ୍କୁ ମଝିରେ ମଝିରେ ଡାକୁଥାଏ; ଚୁପ ହୋଇ ମାଁ ଉଠିବା ସମୟକୁ ଅପେକ୍ଷା କରୁଥାଏ।
ଘଟଣା ଖବର ହୋଇଗଲା। ବେଶ ଚହଳ ପକାଇଲା। କ୍ରମାଗତ ଶିଶୁବିକ୍ରି, ଅନାହାର ମୃତ୍ୟୁ ପରି ଅଭିଯୋଗ ସବୁ ଲୋକଙ୍କ ଦେହସୁହା ହୋଇ ସାରିଥାଏ। ପତ୍ରକାର ଓ ନେତାଙ୍କ ସୁଅ ଛୁଟିଲା ବରଲାବେହେଲିକୁ।


ରାଜନୈତିକ ସ୍ଥିତି
ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୬ ଦିନର ପ୍ରଧାନମନ୍ତ୍ରୀତ୍ୱ ପରେ ଏଚ.ଡ଼ି.ଦେବଗୌଡ଼ା ପ୍ରଧାନମନ୍ତ୍ରୀ ହୋଇଥାନ୍ତି। କୌଣସି ନିର୍ଦ୍ଦିଷ୍ଟ ଦଳକୁ ବହୁମତ ନ ମିଲିବା କାରଣରୁ କେନ୍ଦ୍ରର ସ୍ଥିତି ଦୋଦୁଲ୍ୟମାନ ଥାଏ। ତମାମ ରାଜନୈତିକ ଦଳ ନିଜ ନିଜକୁ ନିର୍ବାଚନ ପାଇଁ ପ୍ରସ୍ତୁତ କରୁଥାନ୍ତି। ରାଜ୍ୟରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ଥାଏ।
ଅଞ୍ଚଳର ପୂର୍ବ ଘଟଣାମାନ କେନ୍ଦ୍ର ଉପରେ ପ୍ରଭାବ ପକାଇ ଥାଏ। ତିନି ତିନି ଜଣ ପ୍ରଧାନମନ୍ତ୍ରୀଙ୍କ ଗସ୍ତ; ସ୍ୱୟଂ ରାଜୀବ ଗାନ୍ଧୀଙ୍କ ଦୁଇଥର ଗସ୍ତ ଏବଂ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓଙ୍କ ଗସ୍ତ ସରିଥାଏ, ନିଜ ନିଜ ସମୟରେ। ଶହ ଶହ କୋଟିର ଅନୁଦାନ କୌଣସି କାମରେ ଲାଗି ନ ଥାଏ। ନବେ ଦଶକରେ ଦେଶ ବିଶ୍ୱାୟନକୁ ଗ୍ରହଣ କରି ସାରିଥାଏ। ବିକାଶକୁ ଦେଖାଇବା ପାଇଁ ଦାରିଦ୍ର‌୍ୟରୁ ରୋଚକ ଉଦାହରଣ ନ ଥାଏ କେତେବେଳେ ବି। ଓଡ଼ିଶା ମଧ୍ୟ ବେଶ ଆର୍ôଥକ ଦୁଃସ୍ଥିତିରେ ଥାଏ। ମୂଖ୍ୟମନ୍ତ୍ରୀ ଏବଂ ଉପ ମୂଖ୍ୟମନ୍ତ୍ରୀ ବିଦେଶ ଗସ୍ତ କରୁଥାନ୍ତି ଓଡ଼ିଶାରେ ବ୍ୟବସାୟ କରିବା ପାଇଁ ବ୍ୟବସାୟୀ ଖୋଜିବାକୁ।
ଏ ସମୟରେ ଏନଜିଓ ସଂସ୍କୃତିକୁ ଲୋକାଭିମୂଖି କରିବା ପାଇଁ ଅନେକ ଏନଜିଓ ନିଜ ନିଜର ବ୍ୟବସାୟିକ ଏଜେଣ୍ଡା ପ୍ରସ୍ତୁତ କରୁଥାନ୍ତି। ଖୁବ କମ ଦିନ ପୂର୍ବରୁ କେବିକେ ଯୋଜନାର ଘୋଷଣା ବି ସରିଥାଏ। ସେ ସମୟର ତିନୋଟି ଜିଲ୍ଲା ପାଇଁ ଚାରିହଜାର ସାତଶହ କୋଟି ଟଙ୍କାର ଦୀର୍ଘ ମିଆଦି ଯୋଜନାର ଘୋଷଣା କରି ପି.ଭି.ନରସିଂହରାଓ ଅନେକ ବିଶ୍ଲେଷକଙ୍କ ହତମ୍ଭବ କରି ସାରିଥାନ୍ତି। ପରବର୍ତ୍ତି ନିର୍ବାଚନରେ କୌଣସି ଦଳକୁ ଦେଶବାସୀ ବହୁମତ ଦେଇ ନ ଥାନ୍ତି। ପ୍ରଧାନମନ୍ତ୍ରୀ ବଦଳ ଗୋଟିଏ ଅସ୍ଥିରତା ମଧ୍ୟରେ ଦେଶକୁ ରଖିଥାଏ।
ଏ ସମୟରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର କାମ ପ୍ରାଥମିକ ସ୍ତରରେ ଆରମ୍ଭ ହୋଇ ସାରିଥାଏ। ଠିକ ଏତିକି ବେଳେ ଶୁଣିବାକୁ ମିଳିଲା ଯେ କେବିକେ ଯୋଜନା ବନ୍ଦ ହେବା ସହ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ମଧ୍ୟ ବନ୍ଦ ହୋଇଯିବ।
ଠିକ ଏତିକି ବେଳକୁ ବାଲମତୀଙ୍କ ମୃତୁୁ ହୁଏ। ଘଟଣାଟି ବହୁ ପ୍ରଚାରିତ ମଧ୍ୟ ହୁଏ।
ପ୍ରଧାନମନ୍ତ୍ରୀ ଆସିଲେ
ଶିଶୁ ଦିବସ; ୧୪ ନଭେମ୍ବର, ୧୯୯୬ ପ୍ରଧାନମନ୍ତ୍ରୀ କେବିକେ ଗସ୍ତରେ ଆସନ୍ତି। ତାଙ୍କୁ ମରୁଡ଼ିର କରାଳତାକୁ ଦେଖାଉ ଥାନ୍ତି। ସେ ଭାଲୁମୁଣ୍ଡା ଆସନ୍ତି। ସେଠାରୁ ଆଠ କିଲୋମିଟର ବରଲାବେହେଲି। ଗାଁକୁ ରାସ୍ତା ନାହିଁ। ସ୍ଥାନୀୟ ପ୍ରଶାସନ ବି ପ୍ରଧାନମନ୍ତ୍ରୀଙ୍କ ଯିବାପାଇଁ ରାସ୍ତା ତିଆରି ନ ଥାନ୍ତି। ବେଶ ଆଶ୍ୱସ୍ଥ ଥାନ୍ତି ଯେମିତି ପ୍ରଧାନମନ୍ତ୍ରୀ ବରଲାବେହେଲି ଯିବେ ନାହିଁ। ସୁରକ୍ଷା କାରଣରୁ ସେ ଗଲେ ନାହିଁ ଅଥବା ତାଙ୍କୁ ଯିବାକୁ ଦିଆ ନ ଯିବାର ଯୋଜନା ପୂର୍ବ ପ୍ରସ୍ତୁତ ଥାଏ। ସେ ଯାହା ହେଉ କିନ୍ତୁ ପ୍ରଧାନମନ୍ତ୍ରୀ ସୁଶୀଲଙ୍କୁ ଭେଟିଲେ ଅସ୍ଥାୟୀ ହେଲିପେଡ଼ ଭାଲୁମୁଣ୍ଡାରେ। ଯେଉଁଠାରେ ୨୧ ଜୁନ, ୧୯୮୫ ମସିହାରେ ରାଜୀବ ଗାନ୍ଧୀ ସପରିବାର ଓହ୍ଲାଇଥିଲେ। ଏକ ଶିଶୁବିକ୍ରି ଘଟଣାର ଅନୁସନ୍ଧାନରେ ଆସି।
ସୁଶୀଲକୁ ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଲେ। ସୁଶୀଲ ଯାହା ବୁଝିଲା ତାର ଅର୍ଥ ହେଲା, ‘ତୁମର ଦୁଃଖ ଯିବ’। ସୁଶୀଲ ଖୁସି ହେଲା। ସେ ବୁଝି ପାରୁନ ଥାଏ ଏତେବଡ଼ ଲୋକ କଣ କହିଲେ। ସେ ବୁଝୁଥାଏ ତାର ଘର ହେବ, ଜମି ଫେରି ପାଇବ, ପିଲାଛୁଆ ପାଠ ପଢ଼ିବେ ଏମିତି ନାନା କଥା।
ପ୍ରଧାନମନ୍ତ୍ରୀ ବିମାନରେ ଉଡ଼ିଯିବା ପୂର୍ବରୁ ସାମ୍ବାଦିକଙ୍କୁ କହିଲେ ଚଳିତ ବର୍ଷର ମରୁଡ଼ି ୧୯୬୫ର ସ୍ଥିତିକୁ ବି ବଳି ଯାଇଛି। ଲୋୟର ଇନ୍ଦ୍ର ଓ କେବିକେ ଯୋଜନା କାର୍ଯ୍ୟକାରୀ ହେବ; ଏହି ଦୁଇ ଯୋଜନାକୁ ବନ୍ଦ କରାଯିବ ନାହିଁ। ଏଠାରେ ସୂଚନାଯୋଗ୍ୟ ଯେ ଏହି ଦୁଇଟି ଯୋଜନା ଦଶନ୍ଧୀରୁ ଅଧିକ ସମୟ ପର୍ଯ୍ୟନ୍ତ ପ୍ରାୟ ପନ୍ଦର ହଜାର କୋଟି ଟଙ୍କା ଓଡ଼ିଶାକୁ ଦେଇ ସାରିଥିଲା। ଅର୍ଥାତ ରାଜ୍ୟ ବାର୍ଷିକ ହଜାରେ କୋଟିରୁ ଅଧିକ ଟଙ୍କା ଅନୁଦାନ ପାଇଲା କେବଳ ତିନୋଟି ଜିଲ୍ଲା ପାଇଁ।
ଏହା ସହ ପ୍ରଧାନମନ୍ତ୍ରୀ ସ୍ଥିତି ସମ୍ଭାଳିବାକୁ ୫୦ କୋଟି ଟଙ୍କା ଦେଲେ। ସେତେବେଳେ ଅବଶ୍ୟ ଗୋଟିଏ କଥା ଚର୍ଚ୍ଚାରେ ଥିଲା ଯେ ଏହି ୫୦ କୋଟି ଟଙ୍କାରୁ ପ୍ରଥମ କିସ୍ତି ୩୫ କୋଟି ପାଇବା ପରେ ରାଜ୍ୟ ସରକାରଙ୍କ ଦରମା ସମସ୍ୟା ଦୂର ହେଲା। ପରେ ପନ୍ଦର କୋଟି ଟଙ୍କା ରାଜ୍ୟ ପାଇଲା।
ସ୍ଥାନୀୟ ପ୍ରଶାସନ ବିଡ଼ିଓଙ୍କ ଠାରୁ ଜିଲ୍ଲାପାଳ ପର୍ଯ୍ୟନ୍ତ ଗୋଟିଏ ଚାପରେ ଆସିଗଲେ। ଏଥି ପୂର୍ବରୁ ପ୍ରଶାସନ ନିଜର କ୍ଷମତାର ଅପପ୍ରୟୋଗ କରିବା ଅନେକ ଉଦାହରଣ ରହିଅଛି। ଫାନସ ପୁଞ୍ଜିଙ୍କ ଘଟଣା ସମୟରୁ ନାନା ପ୍ରକାର କୌଶଳ ଅବଲମ୍ବନ କରି ଆସିଥିବା ଉଦାହରଣ ଅନେକ। ୧୯୮୫ ମସିହାରେ ବୋଡ଼େନ ବ୍ଲକର ଧୋବେଇ ଗାଁକୁ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ କେମିତି ନ ପହଞ୍ôଚ ପାରିବେ ସେଥିର ସୁନ୍ଦର ବ୍ୟବସ୍ଥା ହୋଇଥିଲା। ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ସାଇକେଲରେ ବସାଇ ପ୍ରଧାନମନ୍ତ୍ରୀ କିଛିଦୂର ଯିବାପରେ ଦେଖାଗଲା, ଧୋବୀ ଜୋରରେ ପାଣିର ବେଗ ପ୍ରବଳ ଅଛି। ବର୍ଷା ହେଲେ ଜୋର ର ଚରିତ୍ର ଏହା। ନଦୀ ସ୍ରୋତଠୁ ଜୋରର ସ୍ରୋତ କ୍ଷିପ୍ର ଓ ବିପଦପୂର୍ଣ୍ଣ ଥାଏ। ଫଳତଃ ଜଣେ ସ୍ଥାନୀୟ ଲୋକ ରାଜୀବ ଗାନ୍ଧୀଙ୍କୁ କାନ୍ଧରେ ବସାଇ ଜୋର ପାର କରିବା ପ୍ରସ୍ତାବରେ ପ୍ରଧାନମନ୍ତ୍ରୀ ରାଜି ହେଲେ। କିନ୍ତୁ ସୁରକ୍ଷା ପାଇଁ ତାଙ୍କୁ ବାରଣ କରାଗଲା। ସେତେବେଳେ କପିଳ ନାରାୟଣ ତିୱାରୀଙ୍କୁ ଗୋଟିଏ ପ୍ରକାର ନଜରବନ୍ଦ କରି ରଖାଯାଇଥିଲା। ସେ ଜଣେ ବେପାରୀ ବେଶରେ ଅମଲାପାଲି ଗାଁକୁ ଆସି ସବୁ ସ୍ଥିତି ବୁଝି ଯାଇଥିଲେ।
ପରେ ରାଜନୀତି ଦାର୍ଶନିକ କିଶାନ ପଟ୍ଟନାୟକ ଏବଂ କପିଳ ନାରାୟଣ ତିୱାରୀ ସର୍ବୋଚ୍ଚ ନ୍ୟାୟାଳୟକୁ ଏକ ପତ୍ର ଲେଖିଥିଲେ। ଯାହାକୁ ବିଚାରପତି ପି.ଏନ.ଭଗବତୀ ଆବେଦନ ଭାବେ ଗ୍ରହଣ କରି କହିଥିଲେ, ‘ହୁଏତ ଆବେଦନକାରୀମାନେ କଥାକୁ ଅତିରଞ୍ଜିତ କରିଥାଇ ପାରନ୍ତି; ସେଠାରେ ଦାରିଦ୍ର‌୍ୟ ନାହିଁ ଏକଥା କହିବା ଭୁଲ ହେବ।’
୧୯୯୨ ମସିହାରେ, ଭାଲୁମୁଣ୍ଡା ଶିଶୁ ବିକ୍ରି ପରେ ୨୦୦୦ ମସିହାରେ ପ୍ରେମଶିଳା ଅନାହାର ମୃତ୍ୟୁ ଓ ହେମା ତାଣ୍ଡି ବିକ୍ରି ଅଭିଯୋଗ ତଥା ଅନ୍ୟ ଘଟଣା ମାନଙ୍କରେ ଏହି ପତ୍ରକାର ଉପରେ ଯେଉଁ ପ୍ରକାର ସରକାରୀ ଓ ରାଜନୈତିକ ଚାପ ରହିଲା ଯଦି ସେ ସମୟରେ ବାହାର ରାଜ୍ୟରୁ ଶୁଭେଚ୍ଛୁଙ୍କ ସହଯୋଗ ରହି ନ ଥିଲେ ଘଟଣା ସାଂଘାତିକ ହୋଇଥାନ୍ତା। ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହି ପତ୍ରକାରର ଉଭୟ ବାପା ଏବଂ ମାଁ ପ୍ରାଥମିକ ଶିକ୍ଷକ। ନିଜର ଭାବମୂର୍ତ୍ତି ବଦଳରେ ଦୂର ଏବଂ ଅଗମ୍ୟ ଗାଁ ସ୍କୁଲମାନଙ୍କୁ ବଦଳି କରାଗଲା। ଦୁର୍ନୀତି ଅଭିଯୋଗ ଥିବା ସ୍କୁଲ ଏସ.ଆଇ ମାନେ ବାହାବା ନେଲେ ଯେ ଆମେ ହଇରାଣ କରୁଛୁ। ସେମାନେ ଏପରି ଲୋକ ଥିଲେ ଜଣେ ଶିକ୍ଷକଙ୍କ ଅବସର କାଳିନ ପାଉଣା ହଡ଼ପ କରି ଶିକ୍ଷକ ଜଣକୁ ଅନାହାରରେ ମରିବାକୁ ବାଧ୍ୟ କଲେ। ଏହି ଘଟଣା ସେ ସମୟରେ ବରିଷ୍ଠ ସାମ୍ବାଦିକ ରବି ଦାସ ନିଜର ପର୍ଯ୍ୟବେକ୍ଷକ ଦୈନିକ କାଗଜରେ ସମ୍ପାଦକୀୟରେ ଲେଖିଥିଲେ। ତା’ପରେ ସରକାର ଅବସରକାଳିନ କେତେକ ପ୍ରକ୍ରିୟାକୁ ସରଳ କରିଥିଲେ।
ସୁତରାଂ ସ୍ଥାନୀୟ ପ୍ରଶାସନ ନିଜକୁ ସନ୍ଥ ପ୍ରତିପାଦିତ କରିବା ପାଇଁ ବେଶ କୃର ହୋଇଥାଏ। ଅନେକ ସପ୍ରମାଣ ଉଦାହରଣ ରହିଅଛି। ବାଲମତୀ ଅନାହାର ମୃତ୍ୟୁ ସମୟରେ ବି ତଦୃପ ହୋଇଥିଲା। କିନ୍ତୁ ପୂର୍ବତନ ବିଧାୟକ ପ୍ରଶନ୍ନ କୁମାର ପାଲ ପ୍ରଶାସନିକ ଓ ସ୍ଥାନୀୟ ରାଜନୈତିକ ଆକ୍ରମଣରୁ ସୁରକ୍ଷା ଦେବା ପାଇଁ ଗୁଣଧରକୁ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରେଇ ଥିଲେ। ଅବଶ୍ୟ ଗୁଣଧରର ସ୍ୱାସ୍ଥ୍ୟ ଖରାପ ଥିଲା।
ପ୍ରଧାନମନ୍ତ୍ରୀ ଆଗାମୀ ଦଶବର୍ଷ ପାଇଁ ଦାରିଦ୍ର‌୍ୟ ବିମୋଚନ ନାମରେ ପନ୍ଦର ରୁ କୋଡ଼ିଏ ହଜାର କୋଟି ଟଙ୍କାର ଉପହାର ଦେଇ ଗଲେ। ଅନେକ ପ୍ରକଳ୍ପର ନାମ ଶୁଣାଗଲା। ଗୁଣଧର ପରବର୍ତ୍ତି ଦୁଇବର୍ଷ ସ୍କୁଲ ଗଲା। ତା’ପରେ ନିଜ ଘରୁ ୫୦ ମିଟର ଦୂର ସ୍କୁଲ ଯିବାକୁ ଅସମର୍ଥ ରହିଲା। ଶିଶୁ ଶ୍ରମିକ ହୋଇଗଲା। ବୟସ ବଢ଼ିବା ସଙ୍ଗେ ସଙ୍ଗେ ଜଣେ ଶ୍ରମିକ ଭାବରେ ତାର ଦକ୍ଷତା ବି ବଢ଼ିଲା। ନିକଟସ୍ଥ ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ସହରର କୌଣସି ଦୋକାନରେ କାମକରେ, ରାୟପୁର ଯାଏ, ବୟସ ବଢ଼ିଲା ପରେ ଦାଦନ ଶ୍ରମିକ ହେଲା। ବାହା ହୋଇ ପରିବାର ନେଇ ଦାଦନ ଯାଇ କାମ କଲା।
ସୁଶୀଲ ବହା ହୋଇ ସଂସାର କଲେ। ଗୁଣଧରର କ୍ଷାତି ପାଖଆଖ ଅଞ୍ଚଳରେ ବଢ଼ିଗଲା। ସେ ରାଜନୀତି କରି ଜାଣିଲା ନାହିଁ। କମିହା ପିଲା ତେଣୁ ଶ୍ରମିକ ହେଲା। ତାକୁ ଅନେକ ଦିନ ପର୍ଯ୍ୟନ୍ତ ଗାଁରେ ଗୁଣ କି ଗୁଣଧର ବଦଳରେ ଅନାହାର ବୋଲି କଦାକାର ନାମରେ ଡାକିଲେ। ସେ ସ୍ୱୀକାର କରେ। କାରଣ ତା ଜୀବନରେ ତା ପାଖରେ ବହୁତ ବଡ଼ ଘଟଣା ଘଟିଛି। ଯାହାର କୌଣସି ପ୍ରତିକ୍ରିୟା ନାହିଁ। ଯଦି ପ୍ରଧାନମନ୍ତ୍ରୀ ତା ନିକଟକୁ ଆସି ନ ଥାନ୍ତେ ତା’ହେଲ ବି ତାର ଭାଗ୍ୟ ଅପରିବର୍ତ୍ତିତ ରହିଥାନ୍ତା।
କିନ୍ତୁ ଦୁଇଟି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ପ୍ରଧାନମନ୍ତ୍ରୀ ଗୁଣଧର ନିକଟକୁ ଆସିବା ବହୁତ ଆବଶ୍ୟକ ଥିଲା।
ଏ ଭିତରେ ୨୫ ବର୍ଷ ଅତିକ୍ରାନ୍ତ ହୋଇ ଯାଇଛି। କେବିକେ ଯୋଜନା ମୂଷା ଲେଞ୍ଜିଆ ହୋଇ (ମୋଟାରୁ ସରୁ ହେବା) ଏବେ ବି ରହିଛି। ସିଏଜି ସ୍ପଷ୍ଟ କହିଛି; ଉପଯୁକ୍ତ ଯୋଜନା ଓ ସମନ୍ୱୟ ଅଭାବରୁ ଏତେବଡ଼ କେବିକେ ଯୋଜନା ବ୍ୟର୍ଥ ହୋଇଗଲା। ଦ୍ୱିତୀୟ ପ୍ରତିଶୃତି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ; ପୁରା ହୋଇ ସାରିଲାଣି। ମୂଖ୍ୟ କେନାଲର ଗୋଟିଏ ଅଂଶ ଗୁଣଧରର ଗାଁ ବରଲାବେହେଲିକୁ ଲାଗି ଯାଇଛି।
ଗୁଣଧର ସ୍ତ୍ରୀ ରଶ୍ମୀତା ଓ ଦୁଇ ଛୁଆଙ୍କୁ ନେଇ ସଂସାର କରେ। ସୁଶୀଲଙ୍କ ବଡ଼ ଝିଅ ଭାଲୁମୁଣ୍ଡା ପ୍ରସନ୍ନ ପାଲ ମହାବିଦ୍ୟାଳୟରେ +୨ ପାସ କରି ସାରିଛି।
ପ୍ରଶାସନିକ ଦୃଷ୍ଟିକୋଣ
କୌଣସି ପରିବର୍ତ୍ତନ ହୋଇ ନାହିଁ। ଯେଉଁ ବ୍ଲକକୁ ଚାରି ଚାରି ଜଣ ପ୍ରଧାନମନ୍ତ୍ରୀ ଆସିଛନ୍ତି ସେ ବ୍ଲକ ପ୍ରଶାସନ କେତେ ଦାୟିତ୍ୱ ମୁଣ୍ଡେଇ ନ ଥିବେ? ଏହା ଏକ ପ୍ରଶାସନିକ ପ୍ରହେଳିକା। କୌଣସି କାମ ନାହିଁ। ସ୍ଥାନୀୟ ଟାଉଟରଙ୍କ ସହଯୋଗରେ ପ୍ରଶାସନିକ ଅଧିକାରୀମାନେ ଏକ ସୁନ୍ଦର କାହାଣୀ ରଚନା କରନ୍ତି। ବଙ୍ଗୋମୁଣ୍ଡା ଅଞ୍ଚଳ ଏକ ବିପଦ ପୂର୍ଣ୍ଣ ଅଞ୍ଚଳ। ଏଠାକୁ କୌଣସି ଉଚ୍ଚ ଅଧିକାରୀ ଆସିବାକୁ ପସନ୍ଦ କରନ୍ତି ନାହିଁ। ତେଣୁ ଯାହା ବି କରାଯାଇ ପାରେ। ପି.ସିର ମାତ୍ରା ସବୁଠୁ ଅଧିକ। ଏକଦା ଏହି ଅଞ୍ଚଳ ଗସ୍ତ ସମୟରେ ଓଡ଼ିଶାର ଜଣେ ବରିଷ୍ଠ ପତ୍ରକାର ବଙ୍ଗୋମୁଣ୍ଡା ବ୍ଲକକୁ ଗଲେ। ତାଙ୍କୁ ଜଣେ ଠିକାଦାର ଭାବିଲେ ଅଧିକାରୀ ଜଣ। ସେ ହିସାବ କରି ଲେଖିଦେଲେ ଗୋଟିଏ କାଗଜରେ କାହାକୁ କେତେ ପି.ସି ଦିଆଯାଏ। ସେହି କାଗଜ ଗୋଟିଏ ରାଷ୍ଟ୍ରିୟ ଦୈନିକରେ ବେଶ ଚର୍ଚ୍ଚିତ ହେଲା। ବ୍ଲକର ଜଣେ କିରାଣୀ ଉପରେ ପ୍ରତିଶୋଧ ନେଲା ଭଳି କାମ କରାଗଲା। ତାଙ୍କୁ ନିଲମ୍ବିତ କରାଗଲା।
ଅନେକ କାହାଣୀ ତିଆରି ହେଲା। ଯେମିତି ଉଦ୍ଦଣ୍ଡ ନାଚ ନାଚିବାକୁ ଆସନ୍ତି ଅଧିକାରୀ ମାନେ। ଏପରି ହେଲା ଯେ ଶିକ୍ଷକ ବିଦ୍ୟାଳୟ ନ ଯିବାକୁ ଅଧିକାରୀଙ୍କୁ ଟଙ୍କା ଦେଲେ। କେତେକ ବିଦ୍ୟାଳୟରେ ସ୍ଥାନୀୟ ଶିକ୍ଷିତ ବେକାର ନିଯୁକ୍ତି ପାଇଲେ ମାସିକ ଦୁଇ ତିନି ହଜାର ଟଙ୍କାରେ। ଅର୍ଥାତ ଜଣେ ଶିକ୍ଷକ ଯଦି ତାଙ୍କ ଗାଁରେ ନିଜ ବେପାର ଅଛି ଅଥବା ସେ ରାଜନୀତି କରନ୍ତି ତା ହେଲେ ଅଧିକାରୀ ଗୋଟିଏ ସୁରକ୍ଷିତ ସ୍କୁଲକୁ ବଦଳି କରିବେ। ସେହି ଗାଁର ଜଣେ ଶିକ୍ଷିତ ଯୁବକ ତାଙ୍କ କାମ କରିବ। ଉଭୟ ଏସ.ଆଇ ଏବଂ ଯୁବକ ମାସିକ ପାଉଣା ପାଇବେ।
ଆଜି ମଧ୍ୟ ଏହି ଧାରା ଅପରିବର୍ତ୍ତିତ ରହିଅଛି।
ଗତ ବର୍ଷ ଗୁଣଧର ପରିବାର ନେଇ ଦକ୍ଷିଣ ରାଜ୍ୟକୁ ଯାଇଥିଲା। କୋଭିଦ-୧୯ ମହାମାରୀ ଯୋଗୁଁ ଘରକୁ କାମ ସାରି ଫେରିଲା। ଟଙ୍କା ପାଇଲା। ଫେରିଲା ବେଳେ ଟ୍ରେନରେ ନୂଆପଡ଼ା, ତାପରେ ବସରେ ବଲାଙ୍ଗିର। ବଲାଙ୍ଗିରରୁ ବସରେ ବଙ୍ଗୋମୁଣ୍ଡା ଏବଂ ବଙ୍ଗୋମୁଣ୍ଡା ବ୍ଲରେ ଗୋଟିଏ ରାତି ଅପେକ୍ଷା କଲାପରେ ବ୍ଲକ ପ୍ରଶାସନ ତାଙ୍କୁ ଗୋଟିଏ ଛୋଟ ଗାଡ଼ିରେ ନେଇ ଗାଁରେ ଛାଡ଼ିଲା।
ଚଳିତ ବର୍ଷ ତାକୁ ବୁଝାଗଲା। ସରକାର ଏମଜିଏନଆରଇଜିଏ ନାମରେ ଏକ କାମ କରୁଛନ୍ତି। ସେ କାମ କଲା। ପାଉଣା ପାଇଲା ନାହିଁ। ଗାଁ ଲୋକ ଦୀର୍ଘଦିନ ହେବ ପାଉଣା ନ ପାଇବାରୁ ‘ଦଳିତ ଅଧିକାର ମଞ୍ଚ’ ନିକଟରେ ଫେରାଦ ହେଲେ। ଦଳିତ ଅଧିକାର ମଞ୍ଚ ଲୋକଙ୍କ ଅଧିକାର ପାଇଁ କାମ କରେ। ପ୍ରତ୍ୟହ ସାଧାରଣ ଲୋକ ନିଜର ଅଧିକାରରୁ କିପରି ବଞ୍ôଚତ ନ ହୁଅନ୍ତୁ ସେହି ଉଦ୍ଦେଶ୍ୟ ନେଇ ଆନ୍ଦୋଳନ ଆଦି କରିଥାଏ। କୋଭିଦ ଦ୍ୱିତୀୟ ଲହର ବେଳେ ସରକାର ସାଧାରଣ ଲୋକଙ୍କ ପାଇଁ ଆଖି ବୁଜି ଦେଲେ। ଏହି ସମୟରେ ଦଳିତ ଅଧିକାର ମଞ୍ଚ କୋଭିଦ ମୃତକ ପରିବାର ମାନଙ୍କୁ ଯାଇ ଖାଦ୍ୟ ବ୍ୟବସ୍ଥା କରିଥିଲା। ଏହା ସହିତ ଅକ୍ଷମ ଲୋକଙ୍କୁ ଖାଦ୍ୟ ସହଯୋଗ ଦେଇଥିଲା। ଦଳିତ ଅଧିକାର ମଞ୍ଚ ଗୁଣଧର ଗାଁର ଅଭିଯୋଗ ନେଇ ବଙ୍ଗୋମୁଣ୍ଡା ବ୍ଲକରେ ଜୁଲାଇ ୨, ୨୦୨୧ ଦିନ ଧାରଣା ଦେଇଥିଲେ।
ଏବେ ଗୁଣଧର ଏତିକି ବୁଝେ ଯେ ପାଠ ପଢ଼ିଲେ କିଏ ଖାଇବାକୁ ଦେବ? କାମ କଲେ ଖାଇବାକୁ ମିଳେ! ଏ କଥା ବି ସତ ଯେ ପ୍ରାଥମିକ ବିଦ୍ୟାଳୟ ମାନଙ୍କୁ ମଧ୍ୟାନ୍ନ ଭୋଜନ ବ୍ୟବସ୍ଥା ହୋଇ ସାରିଥିଲା। କିନ୍ତୁ ରାତିର ଖାଇବା ଗୁଣଧର ପାଇଁ କିଏ ଦେବ ଯଦି ସେ ରୋଜଗାର ନ କରିବ?
ସୁତରାଂ ପ୍ରକଳ୍ପ ମାନଙ୍କୁ ରାଜନୈତିକ ପ୍ରତିକୂଳତା ମଧ୍ୟରେ କାର୍ଯ୍ୟକାରୀ କରିବା ଥିଲା। ସେଥିପାଇଁ ଗୋଟିଏ କାହାଣୀର ଆବଶ୍ୟକତା ଥିଲା। ସେ କାହାଣୀର ନାୟିକା ଗୋଟିଏ ମୃତ ଦେହ। ଯାହାର ନାଁ ବାଲମତୀ। ସବୁଠାରୁ ବିଚିତ୍ର କଥା ହେଲା କାହାଣୀରେ ଶତ ପ୍ରତିଶତ ସତ୍ୟତା ଥିଲା। କିନ୍ତୁ ସତ୍ୟ ଗୁଣଧର କି ସୁଶୀଲର ଭାଗ୍ୟ ପରିବର୍ତ୍ତନ ପାଇଁ ନୁହେଁ। ପ୍ରକଳ୍ପମାନଙ୍କ କାର୍ଯ୍ୟକାରୀ ପାଇଁ।
ଗୁଣଧର ଏତିକି ଜାଣେ; ମାଁ ମରିଗଲା। ଭଗବାନ ତୁଲ୍ୟ ଦେବପୁରୁଷ ଜଣେ ଆକାଶ ମାର୍ଗରେ ଗଲା ବେଳେ ସେ କଥା ଦେଖିଲେ। ଦିନେ ତା ପାଖକୁ ଆସିଲେ। ତା ବଡ଼ଭାଇକୁ ଭେଟିଲେ। ଆକାଶକୁ ଉଡ଼ିଗଲେ। ତା କଥା ଭୁଲିଗଲେ।