(କୋଶଲୀ ଭାଷାରେ ଗରା ଓ ଚରା ଦୁଇଟି ଶବ୍ଦ, ଯାହାର ଅର୍ଥ ହେଲା ଶିକାରକୁ ପ୍ରଲୋଭିତ କରିବା ପାଇଁ ଯେଉଁ ଚାରା ଦିଆଯାଏ ସେ ଚାରା ସଶ୍ୟ ଆଦି ହୋଇଥିଲେ ତାହାକୁ ଚରା କହନ୍ତି। ଚରା, ଅନ୍ନ ଓ ଭୋଜନ ଅର୍ଥରେ ବ୍ୟବହାର ହୋଇଥାଏ। ସଶ୍ୟ ବଦଳରେ କୌଣସି ଜୀବନ୍ତ ପ୍ରାଣୀକୁ ରଖିଲେ ତାହାକୁ ଗରା କୁହାଯାଏ। ଗରା ଛୋଟ ଚିଆଁ, ଛେଳୀମେଣ୍ଢା, ଘୋଡ଼ା ଆଦି ହୋଇଥାଏ; ସାମନ୍ତଙ୍କ ନିକଟରେ ମଣିଷ ବି ଗରା ହୋଇଥାଏ।)

ହଲଦି ଏକ ସଂସ୍କୃତି ସମ୍ପନ୍ନ ଗାଁ। ବଲାଙ୍ଗିର ଜିଲ୍ଲା, ଟିଟିଲାଗଡ଼ରୁ ଗୋପାଳପୁର-ରାୟପୁର ଜାତୀୟ ରାଜପଥରେ ବଙ୍ଗୋମୁଣ୍ଡା ଆସିଲାବେଳେ ହଲ୍‌ଦି ଗାଁ ପଡେ। ମୁଖ୍ୟତଃ କରମଣ୍ଡଳ କ୍ଷେତ୍ରରେ ଗାଁମାନଙ୍କ ନାମ ଦୈବୀ ପରମ୍ପରା ଅନୁସାରେ ଦିଆଯାଉଥିଲା। ଏହି ଗାଁ ମାନ ପ୍ରାୟତଃ ପ୍ରାଚୀନ। ପୂର୍ବଘାଟ ପର୍ବତମାଳା ନିଜର ଭୂସଂରଚନା ଯୋଗୁଁ ପୃଥିବୀର ପ୍ରଥମ ସଭ୍ୟତାକୁ ସଂରକ୍ଷିତ କରି ରଖି ପାରିଛି। ସାମାଜିକ ଇତିହାସ ଅଧ୍ୟୟନରୁ ଜଣାପଡେ ପୃଥିବୀର ପ୍ରଥମ ସଭ୍ୟତାର ମଣିଷ ସାଂସ୍କୃତିକ ଓ ସାମାଜିକ ଜୀବନରେ ସମ୍ପନ୍ନ ହୋଇ ପାହାଡ଼ରୁ ମାଟିକୁ ଓହ୍ଲେଇଲା। କନ୍ଧ ମିଥ କହେ ଧରତୀ ପ୍ରଥମେ ଲୁଦୁବୁଦୁ କରୁଥିଲା। ଧରତୀମାତା ଥିର ହେଉ ନଥାଇ। ନାନା ଉପାୟ ବାଦ କୁକୁଡା ବଳୀ ଦେବାପରେ ମାଟି ଥିର ହେଲା। ଅର୍ଥାତ ମାଟି ସନ୍ତସନ୍ତିଆ ଥିଲା। ପାହାଡରୁ ଆସି ମଣିଷ ସମତଳ ଅଞ୍ଚଳରେ ଚାଷକରି ବସବାସ କଲା। ବିଭିନ୍ନ ପାଟ ତିଆରିଲା। ସମଗ୍ର ଭାରତ ଭୂଖଣ୍ଡକୁ ଛତିଶ ପାଟକ କଲେ। ପାଟ ଅର୍ଥ ସନ୍ତସନ୍ତିଆ ଭୂମି। ଏହି ସନ୍ତସନ୍ତିଆ ଭୂମିକୁ କନ୍ଧମିଥ ଧରତୀ ଲୁଦୁବୁଦୁ କରୁଥିଲା ବୋଲି କହେ।
ଏତେବେଳକୁ ଏହି ସଭ୍ୟତାର ମଣିଷ ନିଜକୁ କୂଳ ଆଧାରରେ ପରିଚୟ ଦେଇ ଜାଣିଥିଲା। କୂଳର ମୌଳିକତା କୌଣସି ପଶୁ, ପକ୍ଷୀ, ସରିସୃପ ଅବା ଉଦ୍ଭିଦ ସହ ସଂଯୁକ୍ତ। ଗୋଟିଏ ପାଟରେ ଅନେକ କୂଳର ଲୋକ ରହିଲେ। ପାଟ କୌଣସି ଦେବୀଙ୍କ ଅଧିନରେ ରହୁଥିଲେ। ଦେବୀ ପାଟଦେବୀ, ଏଠାରେ ଗୋଟିଏ ମୁଖ୍ୟକଥା ଦେବ କ୍ୱଚିତ ପାଟଦେବତା ଅଛନ୍ତି। କିନ୍ତୁ ପାଟଦେବତା କୌଣସି ଦେବୀଙ୍କ ଅଧିନରେ ରହିବେ। ଏହି ପାଟର ସମ୍ବିଧାନ ଦେବୀଙ୍କ ନାମରେ ଚାଲିବ। ସେତେବେଳେ ଗଣତନ୍ତ୍ର ଯାହା ପ୍ରଭୂତ୍ୱ ବିହୀନ ଗୋଟିଏ ସମ୍ବିଧାନ ଆଧାରରେ ଚାଲୁଥିଲା। ମଣିଷ ଓ ଦେବତା ଉଭୟଙ୍କ ଜୀବନଶୈଳୀ ଗୋଟିଏ। ବ୍ୟବହାର୍ଯ୍ୟ ଉପକରଣ ଓ ସାମଗ୍ରି ମଧ୍ୟ ଗୋଟିଏ। ତଦୃପ ଖାଦ୍ୟପେୟ ମଧ୍ୟ। ହଲଦୀ ସାମାଜିକ ଜୀବନରେ ଏକ ପ୍ରମୁଖ ମହତ୍ୱ ରଖେ। ଏହାର ଗୁରୁତ୍ୱ ମଧ୍ୟ ରହିଅଛି। ହଲଦୀ ସହ ସଂଯୁକ୍ତ ଏକ କେନ୍ଦ୍ର ଥିବା ହେତୁ ହଲଦୀ ନାମକରଣ ହୋଇଅଛି। ତଦୃପ ଅନ୍ୟ ଅନେକ ଗାଁମାନଙ୍କ ନାମକରଣ ହୋଇଅଛି।
ହଲ୍‌ଦି ଗାଁ ନିକଟରେ ମାମୁଁଭଞ୍ଜା ଡୁଙ୍ଗରୀ। ଏହି ଡୁଙ୍ଗରୀରେ ଅନେକ ରେଖାଚିତ୍ର ପଥର ଉପରେ ରହିଅଛି। ଅନେକ ଏହାକୁ ଭୈରବ କହନ୍ତି। ଏହାର ପ୍ରକୃତ ଅଧ୍ୟୟନକୁ ଉପେକ୍ଷା କରାଯାଇ ଭୈରବ କୁହାଯାଏ। ଯାହା ପ୍ରକୃତରେ ଭୈରବ ଦର୍ଶନର ଶତାଧିକ ବର୍ଷ ପୁରୁଣା। ଏହି ସମସ୍ତ ପ୍ରସ୍ତର ଚିତ୍ର ଉପର ଆଲୋଚ୍ୟ ଇତିହାସର ମୂଳ ସହ ସଂଯୁକ୍ତ। ହଲ୍‌ଦି ଗାଁ ସେ ମୂଳ ସଂସ୍କୃତିର ଧାରଟିଏ।
ବୁଦ୍ଧଧମ୍ମର ବିଜ୍ଞମାନେ ଏହି ଦର୍ଶନକୁ ସହଜ ନାମକରଣ କରିଥିଲେ। ପରବର୍ତ୍ତି ସମୟରେ କରମଣ୍ଡଳ କ୍ଷେତ୍ରରେ ସମୃଦ୍ଧ ବୁଦ୍ଧଧମ୍ମ ମଙ୍ଗୋଲ ପର୍ଯ୍ୟନ୍ତ ଯାଇଥିଲା। ଓଡ଼ିଶାର ପଶ୍ଚିମ କ୍ଷେତ୍ର (ସମ୍ବଲପୁର ନିକଟସ୍ଥ ଧମା)ରୁ ଯାଇ ପଦ୍ମସମ୍ଭବ ତୀବବତକୁ ନିଜ ମାଟିର ମୂଳ ଦର୍ଶନ ଆଧାରରେ ରାଜନୀତିକ ରୂପ ଦେଇଥିଲେ। ହିନ୍ଦୁ ଧର୍ମ କିନ୍ତୁ ସେତେ ସଫଳ ହୋଇ ପାରି ନଥିଲା। ମାତୃ କୈନ୍ଦ୍ରିକ ବ୍ୟବସ୍ଥା ଓ ମୁରବୀ ଶୂନ୍ୟ ଗଣତନ୍ତ୍ର ନିକଟରେ ପିତୃ କୈନ୍ଦ୍ରିକ ସମାଜ ଓ ରାଜା କୈନ୍ଦ୍ରିକ ରାଜନୀତି ପରସ୍ପର ବିପରିତ ପ୍ରାୟ ଥିଲା। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଅମିମାଂସିତ।
ଏହି ଅଞ୍ଚଳକୁ ଭାଗ କରିବା ବେଳେ ଅମରକଣ୍ଟକ ଏବଂ ବାରପାହାଡ଼ର ଦକ୍ଷିଣ କ୍ଷେତ୍ରକୁ ଦକ୍ଷିଣ କୋଶଲ କୁହାଗଲା। ବିଭିନ୍ନ କାଗଜାତରୁ ଜଣାପଡେ ଦକ୍ଷିଣ କୋଶଲର ମାଟି ଉର୍ବର। ଘଞ୍ଚ ଜଙ୍ଗଲ ଓ ଉର୍ବରମାଟି ପୃଥିବୀର ପ୍ରାଚୀନ ସଭ୍ୟତାକୁ ଇଂରେଜମାନେ ମଧ୍ୟ ଏହି ଅଞ୍ଚଳକୁ ଆସିବାକୁ ଇଚ୍ଛା କରିନଥିଲେ। ୧୮୧୮ ମସିହାରେ ଇଂରେଜମାନେ ଯେତେବେଳେ ଆସିଲେ ସେ ସମୟରେ ଗମନାଗମନର ସୁବିଧାକଲେ। ଏଠାକାର ରାଜାମାନଙ୍କୁ ବାର୍ଷିକ ଖଜଣା ବଦଳରେ କିଛି କ୍ଷମତା ଦେଇ ରଖିଲେ।
ରାଜାମାନେ ପାଟଦେବୀଙ୍କ ସହ ନିଜକୁ ସଂଯୁକ୍ତ କରି ଅନେକ ପିଢ଼ିରୁ ଶାସନ କରି ଆସୁଥାନ୍ତି। ରାଜାମାହାପୁରୁ ଅର୍ଥାତ ଦେବତାଙ୍କ ପ୍ରତିରୂପ ରାଜା ଥିଲେ। ଇଂରେଜ ଅଧିନରେ ରହି ଶାସନ କରୁଥିବା ସମୟର ଚିତ୍ର ଅଞ୍ଚଳର ପ୍ରାଚୀନ ଧାରାକୁ ଖଣ୍ଡନ କରିଥାଏ। ଛୋଟଛୋଟ କ୍ଷେତ୍ରର ରାଜା, ଜମିଦାର ନିଜର ପ୍ରଭୂତ୍ୱର ପ୍ରଦର୍ଶନ ରାଜଅସ୍ମିତା ରକ୍ଷା ପାଇଁ ଏକ ସୁନ୍ଦର ଉପାୟ ଥିଲା। ଏହି ସମୟର ଏକ କାହାଣୀ ଗରାବନ୍ଧା। ଏହାକୁ ସତ କୁହାଯାଉ ଅବା କାଳ୍ପନିକ ଏହାର ଅର୍ଥ ସରିଯାଏ।
ଦୁଇ

ବଙ୍ଗୋମୁଣ୍ଡା ଜମିଦାର ପରିବାରର ରାଜମାତାଙ୍କ ନାମରେ ଖୋଳାଯାଇଥିବା ପୋଖରୀ ‘କିଆବନ୍ଧ’। ନିଜ ନିଜ ସମୟରେ ଗାଧୋଇ ସମସ୍ତେ ଫେରନ୍ତି। ପାହାନ୍ତିଆରୁ ସଂଧ୍ୟା ପର୍ଯ୍ୟନ୍ତ ଗାଧୋଇବା, ମାଛମାରିବା, କେବେ କେବେ ପୋଖରୀ ସଫା କରିବା, ଗାଈ ଜଗିବା ଲୋକ, ରାତିରେ ମାଛମାରିବା ଲୋକଙ୍କ ଭିଡ଼ ରହେ। ପ୍ର୍ରାୟତଃ ଖବର ଆଦାନପ୍ରଦାନର ପ୍ରମୁଖ କେନ୍ଦ୍ର କିଆବନ୍ଧ। ସ୍ୱ. ବୈଦ୍ୟ ନବୀନ ସା ଜଣେ ଲୋକର ଠିକଣା କହିଲେ। ଗରାବନ୍ଧା ବୁଢ଼ାର ପିଲା ଏବେ ନାଗପୁରରେ ରହୁଛି। ଗରାବନ୍ଧା ଜମି ଓ ଗରାବନ୍ଧା ପରିବାରକୁ ଅନେକ ଜାଣନ୍ତି। ବୋଧହୁଏ ଆମର ପୂର୍ବ ପିଢ଼ି ଗରାବନ୍ଧା ପରିବାରକୁ ଜାଣୁଥିଲେ। ଯୁଗ ବଦଳିଲାପରେ ଆମ ସମୟରେ ସେ ସମସ୍ତ ଜୀବନ୍ତ ଚରିତ୍ର ସଂସାରର ଭିଡ଼ରେ ଧିରେ ଧିରେ ହଜି ଯାଉଥିଲେ।
କେଉଁ ଦୂର ରାଇଜର ରାଜା ଜଣେ ଶିକାରକୁ ଗଲେ ବାଘକୁ ଆକୃଷ୍ଟ କରିବା ପାଇଁ ଜଣେ ଦଳିତ ଲୋକକୁ ବସଉଥିଲେ। ଲୋକଟିର ଆତ୍ମରକ୍ଷା ପାଇଁ ଗୋଟିଏ ଛୋଟ ଟାଙ୍ଗିଆ ମାତ୍ର ଦିଆ ଯାଉଥିଲା। ରାଜା ଜଙ୍ଗଲରେ ମଞ୍ଚ ଉପରେ ବସିବେ। ଗଛତଳେ ଦଳିତ ଜଣକ ବାଘକୁ ଆକୃଷ୍ଟ କରି ରାଜାଙ୍କ ଲକ୍ଷସୀମାକୁ ଆଣିବା ପାଇଁ ବସିଥିବ। ବାଘ ଆସିବ ରାଜା ଶିକାର କରିବେ ଏବଂ ଲୋକଟି ବସିଥିବ। ଗରାବନ୍ଧା ପରିବାରରେ କାହାଣୀଟିଏ ବି ଅଛି। ଏକଦା କେଉଁ ରାଜା ନିଦେଇ ଗଲେ। ବାଘ ଗରାବନ୍ଧାକୁ ଖାଇଦେଲା।
ଗରାବନ୍ଧା ପରିବାରକୁ ବଞ୍ଚିବାଲାଗି ରାଜା ନିଷ୍କର ଜମି ଖଞ୍ଜା କରିଛନ୍ତି। ବ୍ରାହ୍ମଣ, ପାଇକ, ଦେବତ୍ତୋର ଜମି ବାଦ ଗରାବନ୍ଧାର ନିଷ୍କର ଜମି ଥିବା ସତ୍ତ୍ୱେ ଗରାବନ୍ଧା ପରିବାରର ସମ୍ମାନ ନିଷ୍କର ଜମି ଭୋଗକାରୀଙ୍କ ସହ ସମାନ ହୁଏ ନାହିଁ। ସେ ଗାଁ ମୁଣ୍ଡ ଗଣାବସ୍ତିରେ ରହେ। ଦିନେ ଗରାବନ୍ଧା ନିଜ ଝିଅର କୁଣାବରା ଉତ୍ସବ ପାଳନ କରୁଥାଏ। ଏପଟେ ରାଜାଙ୍କ ଶିକାର ଇଚ୍ଛା ହେଲା। ଖବର ପାଇ ଗରାବନ୍ଧା ରାଜାଙ୍କ ଇଚ୍ଛାକୁ ଦିନଟିଏ ଟାଳିବାକୁ ଅନୁରୋଧ କଲା। ଖବରିଆ ଜଣକ ସମବେଦନା ଜଣାଇଲା। ତାସହ ରାଜାର କୃର ପ୍ରତିକ୍ରିୟା ପଟକୁ ବି ଇଙ୍ଗିତ କଲା। ବାଧ୍ୟ ହୋଇ ନିଜର ଛୋଟ ଟାଙ୍ଗିଆ ଧରି ଖବରିଆର ପଛେପଛେ ଗରାବନ୍ଧା ଗଲା।
ନିଜ ଦ୍ୱାରରେ ପାଞ୍ଚ ବନ୍ଧୁସହି ଅତିଥି ହୋଇଛନ୍ତି। ତାଙ୍କର ସେବା ଛାଡ଼ି ବାଘମୁହଁକୁ ଯିବ। ଜୀବନକୁ ଧିକ କଲା ଗରାବନ୍ଧା। ତାର ଅସହାୟତାକୁ ଛି’ଛାକର କଲା। ଗଛତଳେ ବସି ନିଜକୁ ନିଜେ ଗାଳିଦେବା ଛଳରେ ବିଧାତାକୁ ବହେ ଶୋଧୁଥିଲା। ଚିନ୍ତାରେ ବସିଥାଏ ଏତେବେଳକୁ ହଠାତ୍ ତା ସାମ୍ନାକୁ ବାଘ ଆସିବା କଥା ସେ ଜାଣି ପାରିଲା ନାହିଁ। ବାଘକୁ ଦେଖି ତାର ରାଗ ପଞ୍ଚମକୁ ଚଢିଗଲା। ଯଦି ଏହି ବାଘ ନଥାନ୍ତା ତାହେଲେ ସେ ଆଜି ବନ୍ଧୁବାନ୍ଧବକୁ ଏକଲା ଛାଡି ଆସି ନଥାନ୍ତା ଏହାର ମୁହଁକୁ। ନିଜର ଟାଙ୍ଗିଆରେ ବାଘକୁ ଗୋଟିଏ ଚୋଟ ମାରିଲା। ଟାଙ୍ଗିଆ ଚୋଟ ପାଇ ବାଘ ଘବରାଇ ଯାଇ ଗଛ ଉପରକୁ ଡେଇଁଲା। ବାଘର ରଡିରେ ରାଜାଙ୍କ ନିଶାନିଦ ଚଟକରି ଭାଙ୍ଗିଗଲା। ବାଘ ତଳେ ପଡିଛି ଏବଂ ଏହି ଅବସରରେ ଗରାବନ୍ଧା ବାଘକୁ ଚୋଟ ପରେ ଚୋଟ ମାରିଛି। ବାଘ ମରି ଯାଇଛି ଏବଂ ରାଜା ଦେଖିଛନ୍ତି ଗରାବନ୍ଧା ତାଙ୍କ ଜୀବନ ବଞ୍ଚେଇଛି।
ରାଜା ପୁରସ୍କାର ଦେବାକୁ ଚାହିଁଛନ୍ତି। ସମସ୍ତ ପ୍ରକରଣରେ ଗରାବନ୍ଧା ବୁଝିଛି ଯେ ରାଜା ତା ପ୍ରତି ସଦୟ ଅଛନ୍ତି। ଗରାବନ୍ଧା ରାଜାକୁ ପ୍ରଶ୍ନ କରିଛି ହଜୁର ଆପଣଙ୍କ ଆଦେଶ କେତେଦୂର ପର୍ଯ୍ୟନ୍ତ ପାଳନ ହୁଏ? ଉତ୍ତରରେ ରାଜା ନିଜ ରାଜ୍ୟ ସୀମାକଥା କହିଛନ୍ତି।
ଗରାବନ୍ଧା ବିନୟ ସହକାରେ ରାଜାଙ୍କୁ କହିଛି, ହଜୁର ଆପଣ ଯଦି ପୁରସ୍କାର ଦେବେ ତାହେଲେ ମତେ ଓ ମୋର ପରିବାରକୁ ଆପଣଙ୍କ ଆଦେଶ ପାଳନ ହେଉଥିବା ସୀମା ବାହାରକୁ ନିର୍ବାସିତ କରନ୍ତୁ।
ଗରାବନ୍ଧାକୁ ଆମ ଗାଁର ଲୋକ ଚିହ୍ନୁ କିପରି? କେଉଁ ଦୂର ରାଇଜରୁ ପରିବାର ନେଇ ଆସୁଥିବା ମୁକ୍ତିର ଆନନ୍ଦରେ ଅଧିର ପରିବାରକୁ ଆମ ଗାଁ ଜମିଦାର ଥଇଥାନ କରନ୍ତି। ତାପାଇଁ କିଛି ଜମି ଦିଅନ୍ତି। ସେହି ଜମି ଆମ ଗାଁରେ ବି ଲୋକମୁଖରେ ଗରାବନ୍ଧା ଜମି ବୋଲି ଚିହ୍ନିତ ହୁଏ।
ଜମିଦାର ମରିଯାଆନ୍ତି, ରାଜାମାନେ ଅପସରି ଯାଆନ୍ତି ଓ ବାବୁଭାୟା ଆସନ୍ତି। କେବେ କେବେ ନେତା। ଏହି ସମୟ ଚକରେ ଗରାବନ୍ଧା ଜମିକୁ ମହାଜନ ପାଖରେ ବନ୍ଧା ପକାଇ ଗରାବନ୍ଧା ବୁଢ଼ାର ଉତ୍ତର ପିଢ଼ୀ ବଡ଼ମକାର ପରେ ବଞ୍ଚିବାର ସଂଘର୍ଷ କରନ୍ତି। ଅସଫଳ ହୋଇ ନାଗପୁର ଯାଆନ୍ତି କାମ କରି ଖାଇବାକୁ।
ତିନି

ଉପର ବର୍ଣ୍ଣିତ ହଲଦି ଗାଁରେ ନାଟ୍ୟ ମହୋତ୍ସବ ହେଉଥାଏ। ଏହି ନାଟ୍ୟ ମହୋତ୍ସବକୁ ପଦମପୁର ଅଞ୍ଚଲ କଲେଜର ଅଧ୍ୟକ୍ଷ କେଶରଞ୍ଜନ ପ୍ରଧାନ ନିଜର ଌ ନାଟ୍ୟସଂସ୍ଥାକୁ ନେଇ ଆସିଥାନ୍ତି। ମଞ୍ଚରେ ତାଙ୍କର ନାଟକ ଯକ୍ଷପ୍ରଶ୍ନ ମଞ୍ଚସ୍ଥ ହେଉଥିଲା। ନାଟକ ସରିବା ପରେ ମୁଁ ଓ ପ୍ରଧାନ ସାର ଗପିଲୁ ଗୋଟିଏ କୋଣକୁ ଯାଇ। ନାଟକ ଓ ସାଧାରଣ ଦର୍ଶକ ଉପରେ ଆଲୋଚନା ଚାଲୁଥାଏ। ଆଲୋଚନା ମଝିରେ ଗୋଟିଏ ପ୍ରସଙ୍ଗରେ ମତ ଦେବାକୁ ଯାଇ ମୁଁ କହିଲି, ସାର! ବହୁତ ଦିନରୁ ଆପଣଙ୍କୁ ଗୋଟିଏ କାହାଣୀ କହିବାକୁ ଚାହୁଁଛି। ବୋଧହୁଏ ଆପଣଙ୍କ ଅନେକ କଥାର ସମାଧାନ ହୁଏତ ଏ କାହାଣୀଟି ଦେଇ ପାରିବ।
ସାର ଉତ୍ସୁକ ହେଲେ। ଗରାବନ୍ଧା କାହାଣୀ କହିଲି। କାହାଣୀଟି ସରିଲା ପରେ ସାରଙ୍କ ମୁହଁରୁ ସ୍ୱତଃ ବାହାରି ପଡିଲା ବାହ! ଏହାପରେ ଦୁଇବର୍ଷ ସାର ଗରାବନ୍ଧାକୁ ନେଇ ବିଚଳିତ ରହିଲେ। ଅନେକ ରାତି ୧୨ ଟାପରେ ଫୋନ କରିବେ ସାର। ଗରାବନ୍ଧାକୁ ନେଇ ଘଣ୍ଟାଘଣ୍ଟା ଗପିବେ। କାହାଣୀକୁ ନାଟ୍ୟରୂପ ଦେବାରେ ଦୀର୍ଘ ଦୁଇବର୍ଷର ଅଧ୍ୟୟନ ଓ ଅନୁଧ୍ୟାନ ଚାଲୁଥିଲା ସାରଙ୍କର।
ହଠାତ ଦିନେ ଫୋନ କଲେ ସାର! ରାଜୀବ ଆଜି ଗରାବନ୍ଧା ଷ୍ଟେଜ ହେଉଛି। ନାଟକଟି କେମିତି ହୋଇଥିବ? ମୁଁ ଦୁଇଘଣ୍ଟା ପରେ ଫୋନ କଲି। ଫୋନରେ ସାରଙ୍କ କଥାରୁ ତାଙ୍କ ତୃପ୍ତି ବାରି ହୋଇ ପଡୁଥାଏ।
ବଲାଙ୍ଗିର ସାଇଟ କେମ୍ପସରେ ନାଟକ ଦେଖିବାର ସୁଯୋଗ ମିଳିଲା। ରିତେଶ କୁମାର ଦାସ ଓ ମୁଁ ବାଇକରେ ବଲାଙ୍ଗିର ଗଲୁ ନାଟକ ଦେଖିବା ପାଇଁ। ରାତି ୧୧ ଟାରେ ନାଟକ ସରିଲା। ସାରଙ୍କୁ ବିଦାୟ ମାଗି ଫେରିଲୁ ଶହେ କିଲୋମିଟର ରାତିରେ। ଗରାବନ୍ଧା ମଞ୍ଚସ୍ଥ ହେଉଥାଏ ଏବଂ ସଂସ୍କାରିତ ବି ହେଉଥାଏ। ରାଷ୍ଟ୍ରୀୟ ମଞ୍ଚମାନଙ୍କ ସହିତ ୩୦ ରୁ ଅଧିକରେ ନାଟକଟି ଅଭିନିତ ହେଇସାରିଲାଣି। କଳାକାର ବଦଲୁଥାନ୍ତି। ନାଟକ ଚାଲୁଥାଏ। ଏକଦା କୋଲକାତାରେ ଗରାବନ୍ଧା ମଞ୍ଚସ୍ଥ ହେବାପରେ ଶବ୍ଦଗ୍ରହଣ ଠିକ ନଥିଲେ ବି କୋଲକାତା ଦୂରଦର୍ଶନ ନାଟକଟିକୁ ପ୍ରସାରିତ କରିଥିଲା।
କେଶରଞ୍ଜନ ସାରଙ୍କ ପରେ ଅନ୍ୟ ଜଣଙ୍କୁ କାହାଣୀଟି ବିଚଳିତ କରିଥିଲା। ସେ ହେଉଛନ୍ତି ଓଡ଼ିଶାର ଜଣେ ପ୍ରତିଷ୍ଠିତ କବୀ ଡ. ସ୍ୱପ୍ନା ମିଶ୍ର। କବିତା ସହ ଗପ ଓ ଉପନ୍ୟାସ ଲେଖନ୍ତି। ତାଙ୍କର ପ୍ରତିଟି ଲେଖାରେ ସେ ଚର୍ଚ୍ଚିତ ରହନ୍ତି। ଉପନ୍ୟାସଟି ପାଠକଙ୍କ ପାଖକୁ ଆସିନାହିଁ, ମୁଁ ତାର ପାଣ୍ଡୁଲିପି ଦେଖିଛି। ଗଡଜାତର ଅନେକ ସମସ୍ୟାକୁ ସେ ଆଣିବାର ଚେଷ୍ଟା କରିଛନ୍ତି। ଏ ଭିତରେ ଦଳିତର ସାମାଜିକ ମର୍ଯ୍ୟାଦା ସହ ସାମାଜିକ ଉପେକ୍ଷାକୁ ବେଶ କୌଶଳର ସହ ଉପସ୍ଥାପନା କରିଛନ୍ତି। କେଶରଞ୍ଜନ ସାରଙ୍କ ନାଟକରେ ବାଘଟି ଗରାବନ୍ଧା ବୁଢ଼ା ସହ କଥା ହେଉଛି। ସେ କହୁଛି ରାଜା ଶୋଷକ! ସେ ତତେ ବି ଶୋଷଣ କରୁଛି ଏବଂ ମତେ ବି। ତତେ ଗାଁରେ ମତେ ଜଙ୍ଗଲରେ। ତେଣୁ ତୁ ରଜାକୁ ମାରିବାକୁ ଦେ। ଉଭୟ ଜାଣୁଛନ୍ତି ଯେ ବାଘ ଓ ବାଗବୁଢ଼ା (ଗରାବନ୍ଧା) ଗୋଟିଏ ଜାତିର ଗୋଟିଏ ପରିବାର। ସମୟକ୍ରମରେ ଦୁହେଁ ଗାଁରେ ଓ ଜଙ୍ଗଲରେ ରହୁଛନ୍ତି। ଦୁହିଙ୍କ ଆଲୋଚନାର ବହୁ ଆୟାମି ଅର୍ଥ ରହିଛି। କିନ୍ତୁ ଡ. ମିଶ୍ରଙ୍କ ଉପନ୍ୟାସ ଗୋଟିଏ ଗାଁରୁ ବିସ୍ତରି ଯାଇଛି ରାଜ ଉଆସ ଓ ଜଙ୍ଗଲକୁ। ରାଜା ଓ ବାଘ ଦୁହିଙ୍କ ଭିତରେ ଗରାବନ୍ଧା (ଡୋଲେ) ଆବଶ୍ୟକ ଚରିତ୍ର। ଜଣକର ପେଟ ପାଇଁ ଜଣକର ପ୍ରଭୁତ୍ୱ ପାଇଁ!
ଉପସଂହାର
ଗରାବନ୍ଧା ଘଟଣାରେ ରାଜା ବାଘ ତୁଲ୍ୟ। ବାଘ ଓ ରାଜା ଦୁର୍ବିପାକ ଭଳି ବିପଦ। ରାଜାର ସମ୍ମୁଖରେ ଓ ଘୋଡ଼ାର ପଛରେ ଠିଆହେବା ବିପଦ ବୋଲି ସିଆନମାନେ ବାରଣ କରନ୍ତି। ସୁତରାଂ ସାଧାରଣ ଲୋକଙ୍କ ଜୀବନରେ ରାଜା ଏକ ଅପାଙକ୍ତେୟ ବିପଦ ଭଳି। ମୁରବୀ ଶୂନ୍ୟ ଗଣତନ୍ତ୍ରର ପରମ୍ପରାରେ ନିଶ୍ଚିତ ରାଜା ଏକ ବିପଦ। ତାହାର କୌଣସି ଆବଶ୍ୟକତା ନାହିଁ; ନଈ ବଢିଗଲେ, ଜଙ୍ଗଲରେ ନିଆଁ ଲାଗିଲେ କି ଗରେଲ (ବାତ୍ୟା) ଆସିଲେ ତାହାକୁ ନିୟନ୍ତ୍ରଣ କରି ହୁଏନାହିଁ। ଏସଭିଙ୍କ ପ୍ରକୋପକୁ ଭୋଗିବାକୁ ପଡିଥାଏ ଠିକ ସେହିଭଳି ରାଜାର ଶାସନ ଓ ବାଘର ଚରିତ୍ର।
ଲୋକେ ବାଘ ଶିକାର କରନ୍ତି ରାଜାକୁ ବି ବିରୋଧ କରନ୍ତି। ଏଭଳି ଅନେକ କାହାଣୀ ଗଡଜାତ ସମେତ ଦେଶର ପ୍ରତିଟି ସ୍ଥାନରେ। ଗରାବନ୍ଧା ଚରିତ୍ରଟି ଧିରେଧିରେ ପରାଧିନ ହୋଇ ସାମନ୍ତର ସଉକ ମେଣ୍ଟାଇବା ପାଇଁ ଏକ କ୍ରୀଡ଼ନକ ହୋଇଯାଇଛି। ତଥାପିବି ତା ଜୀବନର ଦୁଇଟି ଘଟଣାକୁ ସେ ବେଶ ଚତୁରତାର ସହ ପରିଚାଳନା କରିଛି। ଗୋଟିଏ ଜଙ୍ଗଲରେ ଓ ଗୋଟିଏ ରାଜ ଦରବାରରେ। ସେ ନିଜକୁ ଓ ନିଜର ଉତ୍ତର ପିଢ଼ୀକୁ ଦାସତ୍ୱରୁ ମୁକ୍ତ କରି ପାରିଛି।
ଏହି ଚରିତ୍ରମାନେ ସାଧାରଣ ଲୋକଙ୍କ ନିକଟରେ ନାୟକ ହୋଇଯାଆନ୍ତି। ସେମାନେ ବିକଟ ପରିସ୍ଥିତିରୁ ନିଜକୁ ମୁକୁଳେଇ ଆଣି ଗୋଟିଏ ଉଦାହରଣ ତିଆରି କରନ୍ତି ନିଜ ସ୍ତରରେ। ଏଭଳି ଅସଂଖ୍ୟ ଚରିତ୍ରମାନଙ୍କ ଉଦାହରଣ ଆମ ସମାଜରେ ରହିଅଛି। ଆମ ଲୋକକଥାରେ ରହିଅଛି। ବର୍ତ୍ତମାନ ଗରାବନ୍ଧା ପରିବାରରୁ କେହି ନାହାନ୍ତି। ଯେଉଁମାନେ ଅଛନ୍ତି ସେମାନଙ୍କ ବିସ୍ମୃତିକୁ ଚାଲିଯାଇଛି ତାଙ୍କ ଇତିହାସ।
ଏଇ ନିକଟରେ ତାଙ୍କ ପରିବାରର ଜଣକୁ ପଚାରିଲି

  • ତୁମର ଜମି କେତେ ଅଛି?
  • ଜମିଦାର କୁଡେ ଏକର ଜମି ଦେଇଥିଲେ, ଏବେ ମହାଜନ ନେଲାପରେ ତିନି ଚାରି ଏକର ଅଛି।
    ସେ ଜାଣେନାହିଁ ତାଙ୍କର ପୂର୍ବଜ ବାଘକୁ ଆକୃଷ୍ଟ କରିବା ପାଇଁ ନିଜେ ଗରା ହେଉଥିଲେ। ଇତିହାସ ଭୁଲି ଯିବାର ଅର୍ଥ ଯାହାବି ହେଉ ସେକଥା ଭିନ୍ନ ଗରାବନ୍ଧା ସାହିତ୍ୟର ଦୁଇଟି ଆୟାମକୁ ପ୍ରବେଶ କରିବା ଏକ ଖୁସିର କଥା। ଏହି ଅବସରରେ ଡ. କେଶରଞ୍ଜନ ପ୍ରଧାନ ଓ ଡ. ସ୍ୱପ୍ନା ମିଶ୍ରଙ୍କୁ ଧନ୍ୟବାଦ।