ବିଦ୍ୟାଳୟକୁ ଶିକ୍ଷକ ଆସିଲେ ନାହିଁ ବୋଲି ପାଠ ପଢିନଥିବା ଅଥବା ଫେଲ ସାର୍ଟିଫିକେଟଧାରୀ ଅନେକ ଯୁବକ ଓଡିଶାର ପ୍ରତି ଗାଁରୁ ବାହାରିବେ।ଏମିତି ଗୋଟିଏ ଗାଁ କଥା। ବାପାମାଁ ଦାଦନ ଯାଇ ପାଠ ପଢ଼ଉଛନ୍ତି। କାହାର ବାପା କାମକୁ ପାରୁନି ବୋଲି ସେଠ କମ ପଇସା ଦେଇଛି ଅବା ମାଁ କି ବଡ଼ଭାଇ ରୋଗରେ ଅଛନ୍ତି ବୋଲି ତାଙ୍କୁ ଛାଡ଼ି ବାକି ଦାଦନ ଯାଇଛନ୍ତି। ଏ ବର୍ଷର ରୋଜଗାର ନିଅଣ୍ଟ ହେବ। ଏମିତି +୩ ପାଠ ପଢ଼ୁଥିବା କିଛି ଯୁବକ ଚିନ୍ତାକଲେ ସେମାନେ ମୁମ୍ବାଇ ଯିବେ। ଅନେକ ଛାତ୍ର ଏମିତି କରନ୍ତି, ପରୀକ୍ଷା ସମୟରେ ଆସନ୍ତି। ଛଅ ଜଣଙ୍କୁ ଦଶ ହଜାର ଟଙ୍କା ଦରକାର। ମୁମ୍ବାଇ ଯିବେ, ସମସ୍ତେ ସେଠାରେ ଥିବା ନିଜ ଲୋକ ସହାୟତାରେ କାମ ଖୋଜିବେ। ଏକାଠି ରହିବେ ଆଦି ଯୋଗାଡ଼ ପାଇଁ ଦୁଇ ତିନିଦିନ ଲାଗିଯାଇ ପାରେ। ଛଅ ହଜାର ଟଙ୍କା ନିଅଣ୍ଟ ହେଲା। ବହୁ ଚିନ୍ତାପରେ ସମସ୍ତେ ଚୋରୀ କରିବା ପାଇଁ ମନସ୍ତ କଲେ। ପାଖ ଗାଁ ମହାଜନ କପାଚାଷ କରିବା ପାଇଁ ପୂଜାରୀ ସମେତ ଅନେକ ଲୋକଙ୍କ ଜମି ଭଡାରେ ନେଇଛି। ଉପର ମୁଣ୍ଡ ନରିହା (ଗାଁ ଗଉଡ଼) ଘର ପାଞ୍ଚ ଏକର ଜମି ଆବୋରି ଧାନ ପନିପରିବା ଆଦି କରୁଛି। ଦୁଇ ଏକର ନିଜ ନାମରେ ପଟ୍ଟା ବି କଲାଣି। ତାର ପାଣି ମୋଟର ନେବା। ଲୋକ ବି ଠିକ କଲେ ଛଅ ହଜାର ଟଙ୍କାରେ ସମାନ ବିକେଇ ଦେବାକୁ।ଛଅଜଣ ସାଙ୍ଗ ଗାଁ ଗୁଡିକୁ ଯାଇ ଦେବୀଙ୍କୁ ନିଜ ଅସୁବିଧା କଥା କହିଲେ। ମହାଜନର ଅନ୍ୟାୟ କରୁଥିବା ଚରିତ୍ର ବିଷୟରେ ସୂଚନା ଦେଇ ନିଜର ସୁରକ୍ଷା ପାଇଁ ପ୍ରାର୍ଥନା କଲେ।ମହାଜନ ବଡ ଚତୁର, ପୂଜାରୀ ଡାକି ଦିନବେଳା ଲୋକଙ୍କ ଉପସ୍ଥିତିରେ ପୂଜା କରେଇଲା ଦେବୀଙ୍କୁ। ଚୋର ମାନଙ୍କୁ ଲୋକ ଚିହ୍ନନ୍ତୁ ଓ ସାମୁହିକ ଦଣ୍ଡ ଦିଅନ୍ତୁ। ଥାନାଗାଡି ଦୁଇଥର ଇଝାର କରି ଗଲାଣି।ଛଅ ସାଙ୍ଗ ବିଚାର କଲେ ଘଟଣା ଶାନ୍ତ ହେଲେ ଗାଁ ଛାଡିବେ। ସମସ୍ତେ ଆଶ୍ଚର୍ଯ୍ୟ ମୋଟର ନେଲା କିଏ? ମୋଟରର କାଗଜାତ ମାଗିଲା ପୋଲିସ। ମୋଟର କୂଅ ସୋଲାର ବିହନ ସବସିଡି ଆଦିର ମାଲିକ ଗାଁ ନରିହା ଅଟେ ମହାଜନ ନୁହେଁ। ଏପଟେ ନରିହା ସପରିବାର ଦାଦନ ଖଟି ଯାଇଛି। ଏତେବେଳକୁ ଦିଲ୍ଲୀରୁ କେଉଁ ଗୋଟିଏ ବଡବାବୁ ଏନଜିଓ ପିଲାଙ୍କ ସହ ଦାଦନ କଥା ବୁଝି ବୁଲୁଥାନ୍ତି। ସାଙ୍ଗରେ ସରକାରୀ ଗାଡି ଦୁଇଟିରେ ବିଡିଓ ନିଜ ଅନୁଚରଙ୍କ ସହ ଥାଆନ୍ତି। ଦିଲ୍ଲୀର ବଡବାବୁ ନରିହା କାହିଁକି ଦାଦନ ଯାଉନାହିଁର କାହାଣୀ ପଢ଼ି ଆଗ୍ରହରେ ସଦଳବଳେ ନରିହାକୁ ଦେଖିବାକୁ ଆସିଲେ। ସେ ଦେଖିଲେ ନରିହା ଦ୍ଵାରରେ କଣ୍ଟା ଝାପ ଦେଇଛି ଓ ତାର ବଗିଚାକୁ ଠିକ କଣ୍ଟାଝାପ ପରି ମହାଜନ ମାଡି ବସିଛି। ବିଡିଓ ବରଡା ପତ୍ର ଭଳି ଥରୁଥାନ୍ତି, ସରକାରୀ ଉପକରଣ ପାଇପ, ସୋଲାର ପ୍ଳେଟ ଆଦି ବି ସଠିକ ମାନର ନୁହେଁ ଯାହା କାଗଜରେ ଉଲ୍ଲେଖ ଅଛି। ତାକୁ ମହାଜନର ସମ୍ପର୍କୀୟ ଜଣେ ଯୋଗାଇ ଥାନ୍ତି। ଦିଲ୍ଲୀର ବଡବାବୁ ଇଂରାଜୀରେ ଶୋଧୁଥାନ୍ତି ବିଡିଓଙ୍କୁ ଓ ଏନଜିଓ ପିଲାମାନେ ସାଧ୍ଯମତେ ଗାଲିର ଖାନାପୁରି କରୁଥାନ୍ତି। ବିଡିଓ ଜବାବ ଦେଇ ପାରୁ ନଥାନ୍ତି, ସବୁଜିମା ଭରା ବଗିଚାର ମାଲିକ ଦାଦନ ଗଲା କାହିଁକି?ମାଇକ୍ରୋ ଫାଇନାନ୍ସରେ ଋଣ ନେଲେ ପରିବାର ଘିଅ ମହୁରେ ଭାସିବାର ଉପଦେଶ ଦେଉଥିବା ଏନଜିଓ ପିଲା ଦିଲ୍ଲୀ ବାବୁଙ୍କୁ ଇଂରାଜୀରେ କଣ କଣ କହିଲା। ବିଡିଓଙ୍କ ଆଖି ଦୁଇଟି ସାମାନ୍ୟ ଉଜଳ ଦିଶିଲା। ଘଟଣା କେଉଁ ଆଡ଼କୁ ଯାଉଛି ଛଅସାଙ୍ଗ କିଛି ବୁଝି ପାରୁନଥାନ୍ତି।ଏ ଦିନ ରାତିସାରା ବ୍ଲକରେ କାମ ଚାଲିଲା। କେତେ ଗାଡିମଟର କିଏ ଦେଖେ !ଆକାଶରେ ସିନ୍ଦୁରା ଫାଟିଲା ବେଳକୁ ମହାଜନ ନୂଆଁ ମୋଟର ଲଗେଇ ଦେଇ ସାରିଥିଲା। ଗାଁର ମୁଖିଆ ମାନଙ୍କୁ ଡାକି ପ୍ରଥମେ ନରିହାର କଣ୍ଟାଝାପ କାଟି ଫିଙ୍ଗେଇଲା। ସଭାରେ କହିଲା ଯେତେ ଖର୍ଚ୍ଚ ହେଉ ପଛେ ଆଜି ରାତି ପର୍ଯ୍ୟନ୍ତ ନରିହାକୁ ଗାଁକୁ ଆଣିଦିଅ। ଏତକ କହି ସଭାକୁ ସାଷ୍ଟାଙ୍ଗ ହେଲା।ସଭା ଜାଣିଲା ଟଙ୍କାଟିଏ ଛାଡ଼ୁ ନଥିବା ମହାଜନ ଉରକୁଲେ ପଡିଛି। ଜଣେ ସିଆନ କହିଲେ, ‘ଦେଖ ମହାଜନ ! ହାଦ୍ରାକେ କେନ ନିକେ ନୁରିଯିବୁ? ତୋର ଦୁଃଖ ହୋ ତୁଇ ସାର ନା।- ଏ ବୁଆମନେ ହେନ୍ତା ନାଇ ମାର ବୁଆମନେ ମକେ। ଦୟାକର ମୋର ପିଲାଛୁଆ କେ ଦେଖ। ମତେ ପଛେ ପିଟ।- ଦେଖ ମହାଜନ ! ତାର ସର୍ଦ୍ଦାର ତୋ ଇନେ ନେଇନା, ସେ ବି ଲେବର ନେଇକରି ହାଦ୍ରା ଯାଇଛେ। ତୋର ଲୋକବାକ ଅଛନ ତୁଇ ଦେଖ ହୋ ବୁଆ।ମହାଜନ ଭୋ ଭୋ କାନ୍ଦିଲା। ଦୀର୍ଘ ସମୟ ପରେ ଶେଷକୁ ନିଷ୍ପତି ହେଲା ମହାଜନ ସମସ୍ତଙ୍କ ଜମି ଋଣ ମାଫି କରିଦେବ। କପା ବି ଗାଁ ବାଲା ନେବେ। ଆହୁରି ବି ନିଷ୍ପତ୍ତି ହେଲା ନରିହାର ସବୁ ଜମି ମହାଜନ ଫେରେଇ ଦେବ।ସଭା ହରିବୋଲ ଡାକ ଦେଲା। ମହାଜନ ଖୁସି ହୋଇ ଦେବୀଙ୍କୁ ବୋଦା ଦେଲା। ଗାଁ ବାଲାଙ୍କୁ ପ୍ରସାଦ ସେବନ ପାଇଁ ପାଞ୍ଚ ହଜାର ଟଙ୍କା ବି ଦେଲା।ଦିନ ଦ୍ବିପହର ଯାକେ ସାମ୍ବାଦିକ ଆସିଲେ। ଯିଏ ଆସିଲେ ତାଙ୍କୁ ଏନଜିଓ ଓ ବ୍ଲକବାବୁ ମାନେ ମିଳିତ ହୋଇ ଆଦରରେ ନିଜ ସଙ୍ଗେ ନେଇ ଯାଉଥାନ୍ତି।ଛଅସାଙ୍ଗ ଭକୁଆ ହେଇ ଯାଇଥିଲେ।ଦୁଇଦିନ ପରେ ମୋଟର ନେଇଥିବା ଲୋକଟି ଛଅସାଙ୍ଗଙ୍କୁ ଦଶ ହଜାର ଟଙ୍କା ଆଣି ଦେଲା। ଏତେବଡ଼ ବିପଦ ଟଲିଗଲା ହେଲେ କେହି ଧରା ପଡିଲେ ନାହିଁ।ଛଅସାଙ୍ଗ ଦେବୀଙ୍କୁ କୁକୁଡ଼ା ଦେଲେ। ଖୁସିରେ ଅଧିର ହୋଇ ଦେବୀଙ୍କୁ ମୁଣ୍ଡିଆ ମାରିଲେ, ‘ ମାଁ ତୁଇ ଏକା ସତ୍, ନିଜର ବାଲବଚାର ଗୁହାରି ଶୁନସୁ। ଦେଖ ତୋ କେଡେକେଡେ ଚୋର ଫାନ୍ଦେ ପରିଗଲେ ଯେ…’ !ସନ୍ଧ୍ୟାରେ ଜଣକୁ ଦୁଇଟି କରି ବିୟର ପିଇଲେ ଛଅସାଙ୍ଗ।ପରଦିନ ସକାଳୁ ଖୁସିରେ ଖୁସିରେ ମୁମ୍ବାଇ ଗଲେ।
Leave a Reply