
ଗଉର ବା ଗଉଡ ଜାତିର ପ୍ରାଚୀନତା ଉପରେ କୌଣସି ପ୍ରଶ୍ନ ହିଁ ନାହିଁ। ଗଉଡ ଜାତି ପଶୁପାଳନ ବା ଗୋପାଳନ କରି ଭାରତ ଭୂଖଣ୍ଡର ଅର୍ଥନୀତିକୁ ବେଶ ସମୃଦ୍ଧ କରିଥିଲେ। ଗଉଡ ଜାତି ବୈଶ୍ୱିକ ସ୍ତରରେ ଯାଦବ ବା ଅହିର ଜାତି ଭାବରେ ପରିଚିତ ହୁଅନ୍ତି। ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ ଅଞ୍ଚଳରେ ଗଉଡ ଜାତି ନରିହା ଜାତି ନାମରେ ମଧ୍ୟ ପରିଚିତ ହୁଅନ୍ତି। ନରିହା ଦାସପ୍ରଥା ସମୟରେ ଲୋକଙ୍କ ଦ୍ୱାରା ପ୍ରଦତ୍ତ ଏକ ନାମ। ଅହିରମାନଙ୍କ ଶାସନ ସମୟରେ ଭାରତବର୍ଷ ବେଶ ଉତ୍କୃଷ୍ଟ ରହିଥିଲା। ଆର୍ଯ୍ୟ ଜାତିପ୍ରଥାର ଚତୁର୍ବର୍ଣ୍ଣରେ ଯାଦବ ବା ଅହିର କୂଳ କୌଣସି ବର୍ଣ୍ଣରେ ଆସନ୍ତି ନାହିଁ। କିନ୍ତୁ ସାମନ୍ତିୟ ପ୍ରଥାରେ ଗଉଡ ଜାତିର ଲୋକଙ୍କୁ ଘର ଓ ଅନ୍ୟାନ୍ୟ କାମରେ ନିୟୋଜିତ କରି ଇତିହାସର ସବୁଠାରୁ ଅଧିକ ନଷ୍ପେଶିତ କରି ରଖି ଆସିଛନ୍ତି।
ଶ୍ରୀକୃଷ୍ଣଙ୍କୁ ଅବତାରବାଦର ଏକ ଚର୍ଚ୍ଚିତ ଦେବତା ଭାବରେ ଗ୍ରହଣ କରି ଗଉଡଙ୍କୁ ଯେଉଁ ଶୋଷଣ କରାଯାଇ ଆସୁଅଛି ତାହା ବିଶ୍ୱ ଇତିହାସରେ ବିରଳ। ଆତ୍ମଶ୍ଲାଘା ଶୋଷଣର ପରମ୍ପରାକୁ ବେଶ ଆଳଙ୍କାରିକ କରି ଘୋଡି ଦେବାରେ ସହାୟକ ହୋଇଥାଏ। ଏଣୁ ଗଉଡ ଜାତିକୁ ଲୋକ ପ୍ରବାଦରେ ବୋକା ବା ଭକୁଆ ବୋଲି କହିଥାନ୍ତି। ଷାଠିଏ ବର୍ଷରେ ଗଉଡଙ୍କ ବୁଦ୍ଧି ଉଦୟ ହୁଏ ବୋଲି କୌତୁକରେ କହିଥାନ୍ତି।
ଚତୁଃବର୍ଣ୍ଣ ଓ ଗଉଡ ଜାତି
ଗଉଡ ଜାତି ମୁଖ୍ୟତଃ ଚତୁଃବର୍ଣ୍ଣରେ ଆସନ୍ତି ନାହିଁ। କାରଣ ଜାତି ଆଧାରରେ ବର୍ଣ୍ଣ ବିଭାଗ ହୋଇଅଛି। ଶ୍ରୀକୃଷ୍ଣ ଭଗବାନ; କଂଶ ଏବଂ ଜରାସନ୍ଧ ଅସୁର; ନନ୍ଦବଂଶ, ସମ୍ରାଟ ଅଶୋକ, ଛତ୍ରପତି ଶିବାଜୀ ମହାରାଜ ଶାସକ, ଏଥି ସହିତ ବ୍ୟବସାୟୀ, ବୁଦ୍ଧିଜୀବୀ, ରାଜନେତା ଅନେକ ଅଛନ୍ତି। ଗଉଡ ଜାତିର ସବୁଠାରୁ ବଡ ସଂଖ୍ୟା ଦାସ ଆକାରରେ ଆଜି ବି ରହିଛନ୍ତି। ସମାଜର ସର୍ବନିମ୍ନ ସ୍ତରରୁ ଉଚ୍ଚତର ସ୍ତରଯାଏ ଗଉଡ ଜାତିର ଲୋକଙ୍କୁ ଦେଖା ଯାଇଥାଏ। ଏହି ବିବିଧତା ମଧ୍ୟରେ କୌଣସି ନିର୍ଦ୍ଦିଷ୍ଟ ବର୍ଣ୍ଣରେ ସୀମିତ କରିବା କଠିଣ। ତେଣୁ ଗଉଡ ବା ଯାଦବ ଜାତି ବର୍ଣ୍ଣ ବ୍ୟବସ୍ଥା ବାହାରେ ରହନ୍ତି। ବାଧ୍ୟ କରି ସାଧାରଣତଃ ଗଉଡ ଜାତିକୁ ଶୁଦ୍ରବର୍ଣ୍ଣରେ ସାମିଲ କରା ଯାଇଥାଏ। ଏହାକୁ ଗ୍ରହଣ ବି କରି ନିଆଯାଇଛି। ଆଜି ପର୍ଯ୍ୟନ୍ତ ନା ତ ଏହାର ବିରୋଧ ହୋଇଛି ନା କୌଣସି ବର୍ଣ୍ଣରେ ନିଜକୁ ଯାଦବ ସମାଜ ପରିଚୟ ଦେଇଛି।
ଗଉଡ ଏକ ପ୍ରାଚୀନ ଜନଜାତି
ମାନବ ପ୍ରଜାତିର ଇତିହାସ କହେ ମଣିଷ ଗଛରୁ ଭୂମୀରେ ବାସ କରିବା ପାଇଁ ମାଟି ଉପରେ ପାଦ ଥାପିଲା। ସେ ସମୟ ବହୁତ ଉଚ୍ଚ ଉଚ୍ଚ ଘାସ ମାଟିରେ ଆଚ୍ଛାଦିତ ଥିଲା। ମଣିଷ ନିଜର ଖାଦ୍ୟ ସଂଗ୍ରହ ପାଇଁ ସେହି ସୁଉଚ୍ଚ ଘାସ ମଧ୍ୟରେ ଯିବା ଆସିବା କରେ। ହିଂସ୍ରଜନ୍ତୁ ଅବା ଅନ୍ୟ ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଏବଂ ଘାସକୁ ଆଡେଇବା ପାଇଁ ବାଡିକୁ ହିଁ ପ୍ରଥମେ ଅସ୍ତ୍ର ଭାବେ ବ୍ୟବହାର କରିଥିଲା। ଗଉଡ ପରିବାରର ପିଦରରେ ବାଡିପୂଜା ହୁଏ। ସେହି ଆଦି ସମୟରୁ ଆଜି ପର୍ଯ୍ୟନ୍ତ ବାଡିର ବ୍ୟବହାର ଗଉଡ ଜାତି କରି ଆସୁଅଛି।
ଅନେକ ଜୀବଜନ୍ତୁ ଏକାକୀ ନୁହେଁ ଗୋଷ୍ଠୀବଦ୍ଧ ଭାବରେ ଜୀବନ ଅତିବାହିତ କରନ୍ତି। ମଣିଷ ମଧ୍ୟ ତଦୃପ ଏଥିରେ ବିଶେଷ ବ୍ୟାକ୍ଷାନର ଆବଶ୍ୟକତା ନାହିଁ। କିନ୍ତୁ କୂଳ ବା ବଂଶର ଭାବନା ମଣିଷ ପ୍ରଜାତିକୁ ଅନ୍ୟ ଜୀବଙ୍କ ଠାରୁ ଅଲଗା କରେ। ମା ବାପାଙ୍କ ମିଳନରେ ଗଠିତ ଜନସଂଖ୍ୟାକୁ ଆମେ ପରିବାର ଭାବରେ ଜାଣୁ। ଏହାର ବଂଶଲତିକା ବା ବଂଶବୃକ୍ଷ ଏକ କୂଳ। ବଂଶ ଭାବନା ପ୍ରସ୍ତର ଯୁଗରୁ ଦେଖାଯାଏ। ଗୁମ୍ଫାଚିତ୍ର ଏବଂ ପ୍ରସ୍ତର ଯୁଗୀୟ ପ୍ରସ୍ତର କଳାରେ ଏହି କୌଳ ଭାବନାର ଉପସ୍ଥିତି ଦେଖାଯାଏ। ଓଡ଼ିଶାର ନୂଆପଡା ଜିଲ୍ଲା ମୁଖ୍ୟତଃ ଜୋଙ୍କ ଉପତ୍ୟକାରେ କୂଳ ଏକ ଉଚ୍ଚତର ଦାର୍ଶନିକ ତଥ୍ୟ ଦେଇଛନ୍ତି। ଏହି କୂଳତତ୍ତ୍ୱ ବା କୌଳ ଉପରେ ବିଚାର ଆବଶ୍ୟକ।
ପୁରାତନ ପ୍ରସ୍ତରଯୁଗ ମାନବ ଇତିହାସର ଗୋଟିଏ ବଡ ଭାଗ ନେଇଥାଏ। ପୁରାତନ ପ୍ରସ୍ତରଯୁଗର ଏକ ପଞ୍ଚମାଂଶ ନୂତନ ପ୍ରସ୍ତରଯୁଗ। ଦୀର୍ଘବର୍ଷ ମଣିଷ ପ୍ରକୃତିକୁ ଅଧ୍ୟୟନ କରିଅଛି। ଏହି ଅଧ୍ୟୟନ ଏତେ ସୂକ୍ଷ୍ମ ତାହାର ବୈଜ୍ଞାନିକ ବିଶ୍ଲେଷଣ ଆଜି ମଧ୍ୟ ହୋଇନାହିଁ। ଏକଥା ବାଦ ମଣିଷ ପଶୁ, ପକ୍ଷୀ, ସରିସୃପ ଏବଂ ଉଦ୍ଭିଦକୁ ଗଭିର ଅଧ୍ୟୟନ କରିଅଛି। ଏହି ଅଧ୍ୟୟନରେ ଗୋଟିଏ ନିର୍ଦ୍ଦିଷ୍ଟ ପଶୁପକ୍ଷୀ ଆଦି ପ୍ରକୃତି ସହ ଯେଉଁ ନିୟମରେ ତାଳମେଳ ରଖି ଚଳନ୍ତି ଗୋଟିଏ ଗୋଷ୍ଠୀ ବା କୂଳର ଲୋକେ ତାହାର ଅନୁକରଣ କରିଛନ୍ତି। ଯେମିତି ଭୂକମ୍ପ ପୂର୍ବରୁ ବିଭିନ୍ନ ପଶୁପକ୍ଷୀ ନିଜ ନିଜ ଢଙ୍ଗରେ ପ୍ରତିକ୍ରିୟା ଦେଖାଇ ଥାନ୍ତି। ଏପରିକି ସାପମଧ୍ୟ ନିଜର ଗାତରୁ ବାହାରି ପଡେ। ଏହା ଏକ ବଡ ଘଟଣାର ପ୍ରତିକ୍ରିୟା। କିନ୍ତୁ ପ୍ରତ୍ୟେକ ଜୀବଜନ୍ତୁ ନିଜ ନିଜର ସୂକ୍ଷ୍ମ ପ୍ରତିକ୍ରିୟା ମଧ୍ୟ ଦେଖାଇଥାନ୍ତି। ଏହାକୁ ଗଭିର ଅଧ୍ୟୟନ କରି ସେହି ନିର୍ଦ୍ଦିଷ୍ଟ ପଶୁ, ପକ୍ଷୀ, ସରିସୃପ ଏବଂ ଉଦ୍ଭିଦକୁ ମଣିଷ ଅନୁକରଣ କଲା। ଏବଂ ସେହି ପଶୁ, ପକ୍ଷୀ, ସରିସୃପ ଏବଂ ଉଦ୍ଭିଦକୁ ନିଜ କୂଳର ପଥ ପ୍ରଦର୍ଶକ ଭାବରେ ଗ୍ରହଣ କରିନେଲା। ଯିଏ କୂଳଦେବାଦେବୀ ଭାବେ ମଧ୍ୟ ପ୍ରତିଷ୍ଠିତ ହେଲେ। ଯାହାକୁ ଗଉଡ ଜାତିର ଲୋକେ ନିଜର ସାଙ୍ଗିଆରେ ପ୍ରକାଶ କରିଥାନ୍ତି। ଯେପରି ବାଗ, ନାଗ, ପୋଡ, ବଛା, ପରୁଆ ଆଦି। ସମାନ ସାଙ୍ଗିଆ ଡମ୍ ସମାଜରେ ମଧ୍ୟ ଦେଖା ଯାଇଥାଏ (କ)। ସାମଗ୍ରିକ ଭାବରେ ଜଙ୍ଗଲରେ ଗୋଚାରଣ ବେଳେ ବାଡି ମୁଖ୍ୟ ଆୟୁଧ। କେବଳ ବାଡି ସହାୟତାରେ ନିଜର ଗୋମହିଷାଦି ପଶୁଙ୍କୁ ଗଉଡ ହିଂସ୍ରଜନ୍ତୁଙ୍କ ନିକଟରୁ ରକ୍ଷା କରିଥାଏ। ଏହି ବାଡିକଳାର ଇତିହାସ ବେଶ ଦୀର୍ଘ।
ସମ୍ବର ହେଉଛି ଯାଦବକୂଳର କୂଳଦେବତା। ହରପ୍ପା ସଭ୍ୟତାରୁ ଆବିଷ୍କୃତ ମୋହର ମାନଙ୍କରେ ସମ୍ବରର ଚିତ୍ର ବେଶ ପ୍ରମୁଖ। ସମ୍ବରର ଅନେକ ବ୍ୟାକ୍ଷାନ କରାଯାଏ। କିନ୍ତୁ ସମ୍ବରର ଯୁଦ୍ଧକଳା ଗଉଡବାଡିର ମୂଳସ୍ରୋତ। ମିଳନ ପୂର୍ବରୁ ଦୁଇଟି ଅଣ୍ଡିରା ସମ୍ବର ଲଢେଇ କରିବେ, ଯାହାକୁ ମାଈ ସମ୍ବର ଅନତି ଦୂରରୁ ଦେଖୁଥିବ। ଲଢେଇରେ ଜିତିଥିବା ସମ୍ବର ସହ ମାଈ ସମ୍ବର ମିଶିବ। ସମ୍ବର ଦୁଇଟିର ବଡବଡ ସିଂଘ ଲଢେଇ ବେଳେ ନାନା ପ୍ରକାର ଛନ୍ଦ ହୁଏ। ସମ୍ବର ଲଢେଇ ଦୀର୍ଘ ସମୟ ଚାଲେ। କେହି କାହାଠାରୁ ହାରିବା ପାଇଁ ପ୍ରସ୍ତୁତ ନଥାନ୍ତି। ସମ୍ବରର ଯୁଦ୍ଧଶୈଳୀର ଗବେଷଣା କରି ଗଉଡ ବାଡିର ନିର୍ଦ୍ଦିଷ୍ଟ ଛନ୍ଦକୁ ପ୍ରମୁଖତାର ସହ ଗଉଡ ବାଡିଶାସ୍ତ୍ରରେ ଗ୍ରହଣ କରାଯାଇଛି। ଏଣୁ ସମ୍ବର ଯାଦବଙ୍କ କୂଳଦେବତା। ଏହି ପତ୍ରକାରର ବଂଶଧର ଶ୍ରୀ ପୁରୁଷୋତ୍ତମ ସଗରିଆଙ୍କ ବକ୍ତବ୍ୟ ଅନୁସାରେ ସଗରିଆ ବଂଶ ବା କୂଳରେ କୌଣସି ବ୍ୟକ୍ତି ନିଜର ପରିବାରକୁ ପ୍ରତିଷ୍ଠିତ କରି ସାରିବା ପରେ ପିଦରରେ ସମ୍ବର ସିଘଂ ରଖିବାର ବିଧି ରହିଅଛି।
ଏହି କୂଳଦେବାଦେବୀ ହିଁ ଯୋଗିନୀ ଭାବରେ ପରିଚିତ ହୁଅନ୍ତି। ଏହାର ବ୍ୟାକ୍ଷା ଅସରନ୍ତି। ଉପର ମହାନଦୀ ଉପତ୍ୟକା ମୁଖ୍ୟତଃ ଜୋଙ୍କ ଉପତ୍ୟକାରେ ସାଂଖ୍ୟ ମାଧ୍ୟମରେ ଯୋଗିନୀଙ୍କ ବ୍ୟାକ୍ଷା ହୋଇଛି ତେଣୁ ଯୋଗିନୀ ତତ୍ତ୍ୱ ବେଶ ଆଶ୍ଚର୍ଯ୍ୟଜନକ ସୂକ୍ଷ୍ମ ଘଟଣାମାନ ଘଟିତ କରାଇପାରେ। କୌଳଦେବାଦେବୀ ପିଦରରେ ପୂଜା ପାଆନ୍ତି। ବର୍ଷର ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ସ୍ଥାନରେ ଯୋଗିନୀମାନେ ଏକତିତ ହୁଅନ୍ତି। ମୁଖ୍ୟତଃ ଚୈତ୍ର ଏବଂ ଦଶହରାରେ ସମସ୍ତେ ଏକତ୍ରିତ ହୁଅନ୍ତି। ବିବାହ ଅବା ମିତ ମାହାରସାଦ ବସିଲା ବେଳେ ଦୁଇଟି କୂଳ ଏକତ୍ର ହୁଅନ୍ତି। ଏହି ସମୟରେ ତାଙ୍କ ଦୁଇ କୂଳଦେବାଦେବୀଙ୍କ ମଧ୍ୟ ମିଳନ ହୋଇଥାଏ। ଏହା ଏକ କ୍ଷୁଦ୍ର ମିଳନସ୍ଥଳୀ। ଜାନିଯାତ୍ରା ବେଳେ ଗୋଟିଏ ବଡ କ୍ଷେତ୍ରରୁ ଲୋକେ ଏକତ୍ର ହୁଅନ୍ତି। ଏହାର ସବୁଠାରୁ ବଡ ଉଦାହରଣ ହେଉଛି କୁମ୍ଭମେଳା। କୁମ୍ଭର ପ୍ରାଚୀନରୂପ ବଦଳି ସାରିଲାଣି। କିନ୍ତୁ ଜାନିଯାତ୍ରା ଆଦି ପୂର୍ବ ରୂପରେ ଆଜି ମଧ୍ୟ ପାଳିତ ହୋଇଥାଏ।
ଷଷ୍ଠ ଶତାବ୍ଦୀ ପର୍ଯ୍ୟନ୍ତ ଯୋଗିନୀ ଏକ ଆନ୍ଦୋଳନରେ ସମଗ୍ର ଭାରତ ଭୂଖଣ୍ଡରେ ବିସ୍ତାର ଲାଭ କରିଥିଲା। ମୂର୍ତ୍ତିକଳା ହେବାପରେ ଯୋଗିନୀ ମନ୍ଦିରମାନ ସ୍ଥାପନା କରାଗଲା। ରାଣୀପୁର ଝରିଆଲରେ ଚଉଷଠି ଯୋଗିନୀ ମନ୍ଦିରରେ ଚଉଷଠି ଗୋଟି ବିଗ୍ରହ ସ୍ଥାପିତ ହୋଇଛନ୍ତି। ମଝିରେ ଭୈରବ। ସମଗ୍ର ଦେଶରେ ଚଉଷଠି ଯୋଗିନୀ ମନ୍ଦିର ଗୋଟିଏ ଶିଳ୍ପକଳାରେ ତିଆରି ହୋଇଛି। ଖୋଳାଛାତ ଏବଂ ବୃତ୍ତାକାର ମନ୍ଦିର। ଅନ୍ୟ ଯୋଗିନୀ ମନ୍ଦିର ଅପେକ୍ଷା ରାଣୀପୁର ଝରିଆଲରେ ମଣିଷ ଶରୀର ଏବଂ ପଶୁପକ୍ଷୀ ମୁଣ୍ଡଥିବା ୨୭ ଗୋଟି ବିଗ୍ରହ ଦେଖାଯାଏ। ଅବଶ୍ୟ ସମସ୍ତ ୬୪ ବିଗ୍ରହ ମଧ୍ୟରୁ ୧୬ ଗୋଟି ବିଗ୍ରହ ନାହାନ୍ତି। କାହିଁକି ଯୋଗିନୀମାନଙ୍କୁ ପଶୁପକ୍ଷୀ ମୁଣ୍ଡ ଦିଆଗଲା। ଏହାର ଏକମାତ୍ର କାରଣ ହେଉଛି କୌଳଦେବାଦେବୀ। ଏଣୁ ରାଣିପୁର ଝରିଆଲ ଆଦି ଯୋଗିନୀ ପିଠ। ଏହି ପିଠରୁ ସମଗ୍ର ଭାରତ ଭୂଖଣ୍ଡରେ ଯୋଗିନୀତତ୍ତ୍ୱ ବିସ୍ତାରିତ ହୋଇଥିଲା।

ଗଉଡବାଡି ଖେଳ
ଗଉଡବାଡି ହେଉଛି ସମୂହ ନୃତ୍ୟ। ଗଣାବଜାର ତାଳେତାଳେ ଯାଦବପୁଅମାନେ ବାଡି ଖେଳନ୍ତି। ବିଭିନ୍ନ ଛନ୍ଦରେ ବାଡିଖେଳ ହୁଏ। ପରସ୍ପର ବାଡି ପିଟିଲା ବେଳେ ଠଡକ ଠଡକ ଶବ୍ଦ ହୁଏ। ଯାହା ସମ୍ବରର ଶିଘଂ ବାଜିଲା ଭଳି ଶବ୍ଦ ହୁଏ। ଯାଦବପୁଅମାନେ ଥରେ ବାଡି ପିଟିଲା ବେଳେ ଗୋଟିଏ ଘେରା ନିଜକୁ ଆବର୍ତ୍ତନ କରି ପୁଣି ପରସ୍ପର ବାଡିକୁ ବାଡି ପିଟନ୍ତି। ଏହା ସମ୍ବର ଯୁଦ୍ଧର ସାଧାରଣ ଶୈଳୀ। ସମ୍ବର ସମ୍ମୁଖ ଯୁଦ୍ଧରେ ସମ୍ବର ପରସ୍ପରକୁ ଥରେ ତାଲି ମାରିଲା ପରେ ଅର୍ଥାତ୍ ମେଣ୍ଢା ଲଢେଇ ଭଳି ଥରେ ମୁଣ୍ଡକୁ ମୁଣ୍ଡ ପିଟିଲା ପରେ କିଛିପାଦ ପଛକୁ ଫେରନ୍ତି। ଫେରିଲା ପରେ ପୁଣି ମୁଣ୍ଡ ବାଡାନ୍ତି। ଫଳରେ ଶିଘଂ ବାଜେ। ଫଛକୁ ଫେରି ପୁଣି ମୁଣ୍ଡ ବାଡେଇବାରେ ଯେଉଁ ସମୟର ଅନ୍ତର ଦେଖାଯାଏ ତାହା ଏକକ ଅଟେ। ସେହି ପଛକୁ ଫେରିବା ସମୟକୁ ଯାଦବପୁଅ ଗଉଡବାଡି ଖେଳିଲା ବେଳେ ଆବର୍ତ୍ତନ କରିଥାନ୍ତି। ଗଉଡବାଡି ଖେଳ ସେହି ଆଦିମ ସମୟର ଉପସ୍ଥାପନ କରିଥାଏ। ଏଣୁ ଏହାକୁ ଦେଖିଲା ବେଳେ ଦର୍ଶକ ମୋହିତ ହୋଇଥାଏ।
ଚଳନ୍ତି ସମୟରେ ଦୋଳ ପୂର୍ଣ୍ଣିମାରେ ବାଡିଖେଳ ହୁଏ। ଦୋଳପୂର୍ଣ୍ଣିମା ଯାଦବଙ୍କ ମୁଖ୍ୟପର୍ବ। ଏହିଦିନ ଯାଦବମାନେ ବାଡି ଖେଳିଥାନ୍ତି। ଯାହାକୁ ଲଉଡି ମଧ୍ୟ କୁହାଯାଏ। ଶବ୍ଦନୃତ୍ୟର ଆଦିରୂପ ହେଉଛି ଗଉଡବାଡି ଖେଳ ବା ଲଉଡି ଖେଳ।
ଫଟୋ ସୌଜନ୍ୟ: ଗୁଗୁଲ, ଦୟା ଥାପ୍ପା
(କ) ଗଉଡ ଏବଂ ଡମ୍ ଜାତିରେ ସମାନ ସାଙ୍ଗିଆ ଦେଖାଯାଏ। ସାଙ୍ଗିଆ ଜନିତ ମିଥ ଉପରେ ଅନୁଧ୍ୟାନ କଲେ ଦେଖାଯାଏ; ମଧ୍ୟଯୁଗ ପରବର୍ତ୍ତି ସମୟରେ ମିଥମାନଙ୍କୁ ବଦଲା ଯାଇଅଛି। କାରଣ ସେ ସମୟରେ ଗଉଡକୁ ଘର ଭିତରେ ସାମନ୍ତମାନେ ଖଟଉଥିଲେ ଏବଂ ଡମକୁ ଘର ବାହାରେ ଖଟଉ ଥିଲେ। ଏହି ସମୟରେ ଅନେକ ମିଥକୁ ପରିବର୍ତ୍ତିତ କରି ଦିଆଯାଇ ଦାସତ୍ୱ ଅବଧାରିତ ବୋଲି ଅବଧାରଣା ତିଆରି କରାଗଲା। ଉଭୟ ଗଉଡ ଏବଂ ଡମ୍ ଜାତି ସମେତ ଅନ୍ୟାନ୍ୟ ପ୍ରାଚୀନ ଜନଜାତିଙ୍କ ମିଥ ମଧ୍ୟ ତଦୃପ ପରିବର୍ତ୍ତିତ କରା ଯାଇଛି। ସମସ୍ତ ସାଙ୍ଗିଆ କୌଳସହ ସମ୍ପର୍କ ରଖିଥାଏ। କୃଷି ସଭ୍ୟତାର ବିକାଶ ପରେ ପରେ ନୂଆ ନୂଆ କର୍ମକ୍ଷେତ୍ର ତିଆରି ହେଲା। କର୍ମ ଅନୁରୂପ ସାଙ୍ଗିଆ ମଧ୍ୟ ଗ୍ରହଣୀୟ ହେଲା। ଏହାପରେ ଆଜି ପର୍ଯ୍ୟନ୍ତ ସାଙ୍ଗିଆ ପରିବର୍ତ୍ତିତ କରଉଥିବାର ଦେଖା ଯାଇଥାଏ।
ସାଙ୍ଗିଆ ଅର୍ଥ ଗୋଟିଏ କୂଳକୁ ଚିହ୍ନିବାର ସାମାଜିକ ମାଧ୍ୟମ। କୌଳଦେବୀଙ୍କ ନାମରେ ବ୍ୟକ୍ତି ଅବା ସମୂହକୁ ସମ୍ବୋଧନ କରା ଯାଉଥିଲା। ପରବର୍ତ୍ତି ସମୟରେ କର୍ମକୁ ଆଧାର କରି ସମ୍ବୋଧନ କରାଗଲା। କିନ୍ତୁ ଏଠାରେ ଗୋଟିଏ ବିଲକ୍ଷଣ ଦେଖାଯାଏ। କର୍ମ ମଧ୍ୟ କୌଣସି ନା କୌଣସି ଶକ୍ତି ସହ ଦର୍ଶନ ସ୍ତରରେ ସଂଯୁକ୍ତ ହୋଇଥିବା ଦେଖାଯାଏ। ଏହାର ମଧ୍ୟ ପରିବର୍ତ୍ତନ କରା ଯାଇ ସାରିଛି। ଗୋଟିଏ ଉଦାହରଣ ନିଆଯାଉ, ଭୀମାଦେଓ ଶଗଡ ଗାଡିର ଉଦ୍ଭାବକ। ସମସ୍ତ ପରିବହନ ଓ ପରିବହନ ସହ ସଂଯୁକ୍ତ ସମସ୍ତ ବିଭାଗର ପ୍ରମୁଖ ଦେବତା ଭୀମା ଅଟନ୍ତି। କିନ୍ତୁ ଯାନ୍ତ୍ରୀକ ଜଗତରେ ବିଶ୍ୱକର୍ମାଙ୍କୁ ଇଶ୍ୱର ଭାବେ ବର୍ତ୍ତମାନ ଗ୍ରହଣ କରାଯାଇ ସାରିଛି। ଅଧିକାଂଶ କୌଳମିଥର ମୌଳିକତାକୁ ଏଭଳି ନଷ୍ଟ କରାଯାଇଛି। ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଇଶ୍ୱରତ୍ୱ ଭାରତୀୟ ଭାରତୀୟ ଶିଳ୍ପଜଗତ ସ୍ୱୀକାର କରିସାରିଛି। ଏହା ଏକ ଦୀର୍ଘ ଅଧ୍ୟୟନ ଓ ଆଲୋଚନାର ବିଷୟ। ଏଠାରେ ସମ୍ୟକ ସୂଚନା ମାତ୍ର ଦିଆଗଲା।
Leave a Reply