ଅଗଷ୍ଟ ୧୧ ତାରିଖ, ୨୦୨୧ ମସିହା ଦିନ ସଂଧ୍ୟା ପାଖାପାଖି ୬ ଘଣ୍ଟା ୩୦ ମି. ହେବ; ଆମ ମୂଖ୍ୟମନ୍ତ୍ରୀଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀର ଗୋଟିଏ ଗାଁ କୁଦଲା। ଏହି ଗାଁରେ ପ୍ରାୟ ୩୦୦ ଭୋଟର ରହନ୍ତି। ଉଚ୍ଚବର୍ଗର ତିନି ପରିବାର ସହ ଆର୍ଥିକ ପଛୁଆ ବର୍ଗର ସତୁରି ପାଖାପାଖି ପରିବାର। ଏମାନଙ୍କ ମଧ୍ୟରେ ସାଧାରଣ ଗାଁ ମାନଙ୍କ ପରି ଦଳିତ ପରିବାର ଚାରିଘର ରହନ୍ତି। ଗାଁର ବସ୍ତିରୁ ଯୋଜନାବଦ୍ଧ ଭାବରେ ସାମୁହିକ ଆକ୍ରମଣ ହୁଏ ଦଳିତ ବସ୍ତି ଉପରେ। ଆକ୍ରମଣର ଉଦ୍ଦେଶ୍ୟ ପ୍ରତିଶୋଧ ହିଁ ଥିଲା। କାରଣ ସାଧାରଣତଃ ଗାଁମାନଙ୍କରେ ଥିବା ବର୍ଗୀକରଣ ଏବଂ ଏହାର ବ୍ୟବସ୍ଥା ବାଦ ଉଚ୍ଚନିଚ୍ଚର ପରମ୍ପରା ଦଳିତବସ୍ତିକୁ ଗାଁ ମୁଣ୍ଡରେ ରହିବାକୁ ହୁଏ। ସେମାନେ ସାଧାରଣ ଲୋକ ବ୍ୟବହାର କରୁଥିବା ଜଳଉତ୍ସ ଏବଂ ଅନ୍ୟ ସାଧାରଣ ସମ୍ପଦା ଭୋଗ କରିବାରେ ଅଯୋଗ୍ୟ ବୋଲି ପରମ୍ପରା ରହିଅଛି। ଏମିତି ଏକ ଉଦାହରଣ ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ ହେଡ଼କ୍ୱାଟରରୁ ଦୁଇ କିଲୋମିଟର ଦୂରରେ ଥିବା ଗୋଟିଏ ଗାଁ। ଯେଉଁଠାରେ ଦୁଇଟି ଦଳିତ ପରିବାର ରହନ୍ତି। ପରିବାରର ମାଁଝିଅମାନଙ୍କ ମାସିକ ଧର୍ମ ସମୟରେ ସେ ପରିବାରକୁ ସାମୟିକ ବିସ୍ଥାପନ ହେବାକୁ ପଡ଼େ; କାରଣ ମହିଳାଙ୍କ ମାସିକ ଧର୍ମ ସମୟରେ ପାଣି ଖାଦ୍ୟ ଆଦି ଛୁଇଁବା ବାରଣ ହୋଇଥାଏ। ତେଣୁ ସେମାନେ ଶୌଚ ପାଇଁ ସାଧାରଣଙ୍କ ଦ୍ୱାରା ବ୍ୟବହୃତ ପୋଖରୀ ଛୁଇଁ ପାରିବେ ନାହିଁ। ଧର୍ମ ସମୟରେ ସାତଦିନ ପ୍ରବାସ ପରେ ଦଳିତ ପରିବାର ଗାଁକୁ ଫେରି ନିଜ ବାସଗୃହରେ ରହିବା ପାଇଁ ଯୋଗ୍ୟ ହୁଅନ୍ତି।
ଏହା ହେଉଛି ଦଳିତଙ୍କ ପ୍ରତି ଥିବା ଆମର ମାନସିକତା। ଏହି ମାନସିକତା କେଉଁଠି କୋହଳ ତ କେଉଁଠି ପ୍ରବଳ। କୁଦଲାରେ ତଦୃପ ଯେଉଁ ଆକ୍ରମଣ ହେଲା ସେହି ଆକ୍ରମଣ ଅନ୍ତରାଳେ ଦଳିତ ପରିବାରକୁ ଦଣ୍ଡିତ କରିବା ହିଁ ଉଦ୍ଦେଶ୍ୟ ଥିଲା। ଏଥିରେ ସାମ୍ବିଧାନିକ ସ୍ୱୀକୃତି ଥାଉ ଅବା ନ ଥାଉ, ସାମାଜିକ ସ୍ୱୀକୃତି ନିଶ୍ଚୟ ରହିଥିଲା। ତେଣୁ ଏହି ଦିନର ଆକ୍ରମଣ ଦଣ୍ଡିତ କରିବା ଉଦ୍ଦେଶ୍ୟକୁ ପୁରା କରିବା ହିଁ ଥିଲା। ଗାଁ ଲୋକଙ୍କ ମାନସିକତାରେ ଏହା ଅପରାଧ ନୁହେଁ ଏକ ବିଧି।
ଗାଁ ଲୋକ ହଠାତ ଦଳିତ ବସ୍ତିକୁ ଗାଁର ତିନି ପାଖରୁ ଘରିଗଲେ। ଦଳିତ ଚାରି ପରିବାରର ବସ୍ତି ଗାଁକୁ ଲାଗି ସାରିଛି। ଜଣେ ପଞ୍ଚାବନ ବୟସ୍କା ମହିଳାଙ୍କୁ କିଛି ଯୁବକ ବାଡ଼ଉଥାନ୍ତି ଅମାନୁଷିକ ଭାବେ। କିଛି ଲୋକ ତାଙ୍କମାଟି ଘରକୁ ଯାଇ ନିଆଁ ଲଗାଇଦେଇ ଘରର ଆସବାବପତ୍ର ବାସନକୁସନ ଆଦିକୁ ଭାଙ୍ଗିବା ସହ ନିଆଁ ଲଗାଇ ଦେଲେ। ଏପରିକି ଘରେ ଥିବା ଚାଉଳକୁ ବି ନିଆଁ ଲଗାଇ ଦେଲେ। ଗୋଟିଏ ମୋଟରସାଇକେଲ ମଧ୍ୟ ନିଆଁ ଦାଉରୁ ବଞ୍ôଚଲା ନାହିଁ। ଏହି ତାଣ୍ଡବ ଗୋଟିଏ ପଟେ ଚାଲୁଥିଲା ବେଳେ ଅନ୍ୟପଟେ ଗୋଟିଏ କୃର ଘଟଣାକୁ ପୁରା କରା ଯାଉଥିଲା। ସଂପୃକ୍ତ ମହିଳା ଜଣକୁ ଜଣକ ପରେ ଜଣେ ଦୁଷ୍କର୍ମ କରୁଥାନ୍ତି। ଏହା ବି ଯୋଜନାବଦ୍ଧ ଭାବରେ। ନିଜେ ପିଡ଼ିତାଙ୍କ ବୟାନ ଅନୁସାରେ ଦୁଷ୍କର୍ମ କରୁଥିବା ଲୋକମାନେ କଣ୍ଡୋମ ବ୍ୟବହାର କରିବା ପାଇଁ ଜଣେ ଅନ୍ୟ ଜଣକୁ ତାଗିଦ କରୁଥିଲେ।

ପାଖାପାଖି ତିନିଘଣ୍ଟା ସମୟ ଆକ୍ରମଣ ସାରି ଆକ୍ରାନ୍ତା ସମସ୍ତେ ନିଜ ନିଜ ଘରକୁ ଗଲେ। ଗାଇସିଲେଟ ପୋଲିସ ପହଞ୍ôଚବା ପର୍ଯ୍ୟନ୍ତ ଦୁଷ୍କର୍ମ ପିଡ଼ିତା ମାଁ ଜଣକ ଚେତା ପାଇ ନ ଥାନ୍ତି। ପୋଲିସ ଆସି ତାଙ୍କୁ ଉଠେଇଲା। ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ପରେ ପରେ ତାଙ୍କୁ ବୁର୍ଲା ଭିମସାରକୁ ପଠାଗଲା।
ଘଟଣା ସୋସିଆଲ ମିଡ଼ିଆରେ କିଛିଦିନ ଭାଇରାଲ ହେଲା। କୌଣସି କାର୍ଯ୍ୟାନୁଷ୍ଠାନ କି ପ୍ରକ୍ରିୟା କରାଗଲା ନାହିଁ। ସ୍ଥାନୀୟ ଚାପ ଫଳରେ ପ୍ରଥମେ ତିନିଜଣ ଏବଂ ପରେ ଚାରିଜଣଙ୍କୁ ଗିରଫ କରାଗଲା। ବାସ ପ୍ରଶାସନିକ ଦାୟିତ୍ୱ ସରିଗଲା।
ସ୍ଥାନୀୟ ଲୋକ ପ୍ରଶାସନକୁ ଚାପ ଦେଲେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ। ଯାହାକୁ ପୋଲିସ ନିଜେ ସ୍ୱୀକାର କଲା ନାହିଁ। ପୋଲିସ ମତରେ ଦୁଷ୍କର୍ମ ଘଟଣାରେ ମହିଳାଙ୍କୁ ଗିରଫ କିପରି କରାଯାଇ ପାରିବ?
ପ୍ରଶାସନର ମନୋଭାବ ବିରୋଧରେ ଲୋକଙ୍କ ପ୍ରତିକ୍ରିୟା ହେଲା। ଯାହା କ୍ରମ ଅନୁସାରେ ଆଜି ପର୍ଯ୍ୟନ୍ତ ଆନ୍ଦୋଳନ ଆଦି ଚାଲୁଅଛି।
ଏହି ଅମାନୁଷିକ ଘଟଣା ପଛରେ ଥିବା କାରଣ ଏକ ପ୍ରେମ କାହାଣୀରୁ ଆରମ୍ଭ ହୁଏ। ଦୁଷ୍କର୍ମ ପିଡ଼ିତାଙ୍କ ସ୍ୱାମୀ ଗୋଟିଏ କ୍ରମ ଜାତିଆଣ ଘଟଣାକୁ ନେଇ ଆତ୍ମହତ୍ୟା କରନ୍ତି। ଘଟଣା ପରେ ଦୁଇ ପୁଅକୁ ନେଇ ପିଡ଼ିତା ଜଣକ ରହନ୍ତି। ନିଜର ସାମାନ୍ୟ ଜମି ଓ ବାହାଁକୁ ଭରସା କରି ବଞ୍ଚନ୍ତି।
ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକ ଜଳସେଚିତ ଅଞ୍ଚଳ ନୁହେଁ। ହୀରାକୁଦ ଜଳଭଣ୍ଡାରର ଲାଭ ଏହି ଅଞ୍ଚଳ ନିଏ ନାହିଁ। ପଡ଼େଶୀ ନୂଆପଡ଼ା ବଲାଙ୍ଗିର ଭଳି ଏହା ମଧ୍ୟ ଏକ ଦାଦନ ପ୍ରବଣ ଅଞ୍ଚଳ। ଏହି ଦାଦନ ହିଁ ପିଡ଼ିତାଙ୍କୁ ଜୀବନ ଧାରଣ ପାଇଁ ସହଯୋଗ କରେ। ଦୀର୍ଘ ବାର ବର୍ଷର ଦାଦନ ଜୀବନ କାଟିଲା ପରେ ଛୋଟପୁଅକୁ ଚଉଦ ବର୍ଷ ହୁଏ ଓ ବଡ଼ପୁଅ ତେଇଶ ବର୍ଷର ହୁଏ। ରୋଜଗାରକ୍ଷମ ହୋଇପାରେ ବଡ଼ପୁଅ।
ଦାଦନ ଖଟି ସଞ୍ଚିଥିବା ଟଙ୍କା ମିଶାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଘରଟିଏ ତିଆରି କରନ୍ତି ପିଡ଼ିତା। କିଛି ଛେଳି ଓ ସାମାନ୍ୟ ଚାଷକୁ ନେଇ ନିଜେ ଦଳିତ ବସ୍ତିରେ ଏକ ସ୍ଥିର ଓ ଦୁଇବେଳା ପେଟପୁରିବା ଏତକ ସମ୍ପନ୍ନତା ପାଇ ପାରନ୍ତି। ବଡ଼ପୁଅ ଗାଁର ଜଣେ ସମ୍ପନ୍ନ ପରିବାର କିଣିଥିବା ଟ୍ରାକ୍ଟରରେ ଡ୍ରାଇଭର କାମକରେ। ଛୋଟପୁଅ ଓ ମାଁ ଛେଳି, ଜମି ଓ ଘର କାମ କରନ୍ତି ନିଜେ ବଡ଼ପୁଅ ଟ୍ରାକ୍ଟର ଚଲାଏ।
ଜଣେ ସାଧାରଣ ପରିବାର ପାଇଁ ଏତକ ସମ୍ପନ୍ନତା ସମ୍ମାନର ବିଷୟ। ଯେଉଁ ସମ୍ମାନ ପିଡ଼ିତା ନିଜର ବୈଧବ୍ୟ ସତ୍ତ୍ୱେ ହାସିଲ କରି ପାରିଥିଲେ। ଏବେ ବଡ଼ପୁଅକୁ ବାହା କରେଇବେ। ପିଡ଼ିତାଙ୍କ ସ୍ତରର ପରିବାର ପାଇଁ ବାହାଘର ଏକ ଦୀର୍ଘ ପ୍ରକ୍ରିୟା। ବନ୍ଧୁବାନ୍ଧବ, ନୀତିନିୟମ, ହାଟବଜାର ଆଦି ବ୍ୟବସ୍ଥା ପାଇଁ ଗୋଟିଏ ଦୀର୍ଘ ସମୟ ନେଇଥାଏ। ବିବାହ ଯୋଜନା ମାନେ ଗୋଟିଏ ବର୍ଷର କ୍ରମିକ ପ୍ରକ୍ରିୟା ପୁରା କରିବାକୁ ହୁଏ। ବଡ଼ପୁଅକୁ ବାହା କରିବା ପାଇଁ ଦୁଇଚାରି ମାସ ସମୟ ବାକି ଅଛି।

କିନ୍ତୁ ସମସ୍ତଙ୍କ ଅଲକ୍ଷରେ ବଡ଼ପୁଅ ପ୍ରେମ କରୁଛି। ନିଜେ କାମ କରୁଥିବା ମହାଜନର ଝିଅକୁ। ଘଟଣା ପ୍ରଘଟ ହୁଏ ଗୋଟିଏ କୌତୁହଳକୁ ନେଇ।
କେତେକ ମନଚଲା ଯୁବକ ଏମାନଙ୍କ ଅଭିସାରର କିଛି ଫଟୋ ନେଇଥାନ୍ତି ମୋବାଇଲରେ। ଯାହାକୁ ଭାଇରାଲ କରାହୁଏ ନିଜନିଜ ଭିତରେ। ପ୍ରେମିକ ପ୍ରେମିକା ଯୋଡ଼ିଙ୍କ ନିକଟରେ ଏହି ପ୍ରସଙ୍ଗ ଖୁବ ରୋଚକ ଥିବା ସହ ଆଲୋଚନା ପାଇଁ ଗୋଟିଏ ସୁନ୍ଦର ଖୋରାକ ଥିଲା। ଫଟୋମାନ ମୋବାଇଲରେ ବିସ୍ତରି ମହାଜନ ପରିବାର ସଦସ୍ୟଙ୍କ ପର୍ଯ୍ୟନ୍ତ ପହଞ୍ଚେ। ଜଣେ ଚାକର ତାହାବି ଦଳିତ ସହ ନିଜ ଝିଅର ଅଭିସାରିକା ରୁପ ମୋବାଇଲରେ ଦେଖି ପରିବାର ପ୍ରତିକ୍ରିୟାଶିଳ ହୋଇ ଉଠିଲେ। ଯୁବକର ବଡ଼ବାପା ଓ ପରେ ଯୁବକର ମାଁ ପିଡ଼ିତାଙ୍କୁ ଡାକି ଧମକ ମଧ୍ୟ ଦେଲେ। ଧମକ ଏକ ନିର୍ଣ୍ଣୟ ଥିଲା; ତୋ ପୁଅ ଯଦି ନ ସୁଧୁରେ ତା ହେଲେ ତାକୁ ହତ୍ୟାକରି ଫିଙ୍ଗିଦେବୁ।
ଜଣେ ଦଳିତ ମାଁ ଙ୍କ ପାଇଁ ପୁଅର ଏତାଦୃଶ ପ୍ରେମ ପ୍ରସଙ୍ଗ ଶୁଣିବା କୌଣସି ପ୍ରଳୟର ତାଗିଦ ଛଡ଼ା କିଛି ନୁହେଁ। ଆତଙ୍କିତ ହୋଇ ପଡ଼ିଲେ ପରିବାର ଓ ପରିଜନ ଏହି ଘଟଣା ଶୁଣି। ଯୁବକଙ୍କୁ କାମ କରିଯିବାକୁ ମନା କରାଗଲା। ସେ କାମକୁ ଗଲାନାହିଁ। ଅଭିସାର ବି କଠିଣ ହୋଇଗଲା ଦୁହିଙ୍କ ପାଇଁ।
ରଥଯାତ୍ରା ଦିନ। କୋଭିଦ ମହାମାରିର ଦ୍ୱିତୀୟ ଲହରରେ ପିଡ଼ିତ ଅଞ୍ଚଳ ପାଇଁ ରଥଯାତ୍ରା ସେତେ ଉତ୍ସବମୁଖର ନ ଥିଲେ ବି ପର୍ବର ବିଧିପାଇଁ ପ୍ରାୟ ସମସ୍ତେ ବ୍ୟସ୍ତ ରହନ୍ତି। ଏହି ସୁଯୋଗରେ ଯୁବକ ଓ ମହାଜନର ଝିଅ ଫେରାର ହୋଇଗଲେ। ଘଟଣାକୁ ପୁଷ୍ଟି କରୁ କରୁ ଦିନ ଏଗାରଟା ହୋଇଗଲା। ରଥଯାତ୍ରା ଦିନ ଝିଅର ପରିବାର ଓ ତାଙ୍କ ପରିଜନ କିଛିଜଣ ଆସି ଯୁବକର ମାଁ ପିଡ଼ିତାଙ୍କୁ ଏବଂ ତାଙ୍କ ପରିବାର ବର୍ଗଙ୍କୁ ଧମକ ଦେଇଗଲେ।
ଘଟଣାଟି ନିଶ୍ଚୟ ସାଧାରଣ ନ ଥିଲା। ଝିଅ ପରିବାର ପାଇଁ ଯେତିକି ଅପମାନଜନକ ପୁଅ ପରିବାର ପାଇଁ ତତୋଧିକ ଆତଙ୍କିତ ଥିଲା। ଗାଁ ପଞ୍ଚ ବସିଲେ ସେହିଦିନୁ। ଶନିବାର ପଞ୍ଚର ନିର୍ଦ୍ଦେଶରେ ପୁଅର ମାଁ ପିଡ଼ିତା ଏବଂ ତାର ବଡ଼ବାପା ଯିଏ ପିଡ଼ିତାଙ୍କ ଦେଢ଼ଶୁର ପଞ୍ଚର ସମନ ପାଇ ଉପସ୍ଥିତ ହେଲେ। ପଞ୍ଚର ଫରମାନ ଜାରି ହେଲା। ପିଡ଼ିତା ଜଣକ ପ୍ରାୟ ପ୍ରାୟ ଗାଁରୁ ନିଆପାଣି ବାସନ୍ଦ କଲେ। ସର୍ତ୍ତ ରଖାଗଲା ଯେ ପୁଅସହ ପିଡ଼ିତା, ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ କୌଣସି ସମ୍ପର୍କ ରଖିବେ ନାହିଁ। ପୁଅକୁ ଗାଁକୁ ଆସିବା ମନା ହୋଇଗଲା। ଯଦି କୌଣସି ପ୍ରକାରେ ପୁଅସହ ସମ୍ପର୍କ ଥିବା ପଞ୍ଚ ଜାଣିପାରେ ତା’ହେଲେ ପରିବାର ଗାଁରୁ ନିର୍ବାସିତ ହେବେ।
ଏହି ଘଟଣାକୁ ଷ୍ଟାମ୍ପ ପେପରରେ ଲେଖି ପଞ୍ଚର ଫରମାନକୁ ବୈଧ କରିବା ପାଇଁ ପିଡ଼ିତାଙ୍କୁ ଷ୍ଟାମ୍ପ ପେପର ଆଣିବା ପାଇଁ କୁହାଗଲା। ପିଡ଼ିତା ଜଣକ ଚାଲିଚାଲି ଷ୍ଟାମ୍ପ କିଣିବା ପାଇଁ ଗାଇସିଲେଟକୁ ଗଲେ। ଫେରିଲା ପରେ ସାମାନ୍ୟ ଜ୍ୱର ହେଲା। ଅସୁସ୍ଥତା ପାଇଁ ସେ ଷ୍ଟାମ୍ପସହ ପଞ୍ଚସଭାକୁ ଯାଇ ପାରିଲେ ନାହିଁ। ତା ପରଦିନ ପଞ୍ଚର ଫରମାନ ଷ୍ଟାମ୍ପରେ ଲେଖାଗଲା। ପିଡ଼ିତା ଷ୍ଟାମ୍ପପେପର ସହ ଦୁଇଟି ଜେରକ୍ସ ମଧ୍ୟ ଆଣିଥାନ୍ତି। ସଭାରେ ସେ ଗୁହାରୀ କଲେ ଯେ ଗୋଟିଏ ଫରମାନ ଗାଁରେ ରହୁ ତାହାର ନକଲ ଝିଅ ପରିବାର ଏବଂ ନିଜକୁ ଦେବାପାଇଁ କହିଲେ।
ଏହି ଦାବୀ ପଞ୍ଚପାଇଁ ଅସହଜ ଥିଲା। ଫରମାନ ଲେଖାଥିବା ଷ୍ଟାମ୍ପ ପିଡ଼ିତାଙ୍କୁ ଦିଆଗଲା ନାହିଁ। କିନ୍ତୁ ନିଷ୍ପତ୍ତି ହେଲା ପିଡ଼ିତା ଗାଁରୁ ନିଆଁପାଣି ବାସନ୍ଦ ହେବେ। ନଳକୂଅରୁ ପାଣି ନେଇ ପାରିବେ ନାହିଁ। ଗାଁ ଲୋକଙ୍କ ସହ କଥା ହୋଇ ପାରିବେ ନାହିଁ। ସବର୍ଣ୍ଣଙ୍କ ସହ କୌଣସି ସମ୍ପର୍କ ରଖିବେ ନାହିଁ। ପୁଅ ମରିଗଲା ବୋଲି ଭାବିବେ। ପୁଅସହ କୌଣସି ପ୍ରତ୍ୟକ୍ଷ ଅପ୍ରତ୍ୟକ୍ଷ ସମ୍ପର୍କ ତାଙ୍କୁ ଏବଂ ତାଙ୍କ ପରିବାରକୁ ଗାଁରୁ ନିର୍ବାସନ ପାଇଁ ଯଥେଷ୍ଟ ହେବ।
ଜଣେ ଦଳିତ ମାଁ ପାଇଁ ପୁଅର ଏତାଦୃଶ ପ୍ରେମ ଅକ୍ଷମଣିୟ ଅପରାଧ ହିଁ ହୋଇଥାଏ। ଗାଁ ପଞ୍ଚର ଫରମାନ ପରେ ଏହା କୌଣସି ଆତଙ୍କରୁ କମ ନ ଥିଲା। ଜଣେ ଦଳିତ ମାଁ ହିଁ ବୁଝିପାରିବ ନିଜ ଉପରେ ବିତିଥିବା ଏହି କ୍ରମ ଘଟଣାମାନ କିପରି ଆତଙ୍କିତ ଅଟେ।

ଛୋଟପୁଅ ଲକଡ଼ାଉନ ଯୋଗୁଁ ସ୍କୁଲ ଯାଉନି। ସେ ଛେଳି ଚରେଇ ଯାଏ। ମାଁ ପୁଅ ଘରର କାମକୁ ଦୁଇଭାଗ କରିନେଇ ସନ୍ତର୍ପଣରେ ଗାଁରେ ବଞ୍ଚୁଥାନ୍ତି। ବସ୍ତିକୁ ଯିବା ମନା ଅଛି। କିନ୍ତୁ ଦୂରରୁ ଅନୁମାନରେ ପିଡ଼ିତା ବୁଝନ୍ତି ଯେ ଗାଁର ନିରବତା ତାଙ୍କପାଇଁ କୌଣସି ଆତଙ୍କର ସୂଚନା ଠୁ କମ ନୁହେଁ।
ଦିନ ପରେ ଦିନ ହୋଇ ପାଖାପାଖି ମାସେ କଟିଗଲା। ୧୧ ଅଗଷ୍ଟ, ୨୦୨୧ ସଂଧ୍ୟାରେ ସାନପୁଅ ଛେଳି ନେଇ ଫେରିଲା। ସେ ଖାଇବା ପାଇଁ ମାଗିଲା। ମାଁ ତାକୁ ଖାଇବାକୁ ଦେଲେ। ପୁଅ ଖାଇ ପଡ଼ୋଶୀ ବଡ଼ବାପାଙ୍କ ଘରକୁ ଯାଇଛି ହଠାତ ଆକ୍ରମଣ ହେଲା ପିଡ଼ିତାଙ୍କ ଘର ଉପରେ। ତିନିଘଣ୍ଟାର ଦମନ ଭିତରେ ପୌଢ଼ା ମାଁ ଜଣକ ଗଣଦୁଷ୍କର୍ମର ଶିକାର ହୋଇ ସାରିଥାନ୍ତି।
ଏହି ହୃଦୟ ବିଦାରକ ଘଟଣା ପଛରେ କେବଳ ଝିଅର ପରିବାର ଦୋଷୀ ଏହି କଥା କହିବା କଠିଣ ହୋଇପଡ଼େ ଆମର ସାମାଜିକ ବ୍ୟବସ୍ଥାରେ। ଝୀଅ ଜଣକ ଦଳିତକୁ ପ୍ରେମକଲା ଅର୍ଥାତ ଝିଅର ସାତପୁରୁଷା ଗୋଟିଏ ଅସମାଧିତ ପାପଗର୍ଭକୁ ଚାଲିଗଲେ। ପରିବାର ସମାଜର କୌଣସି ବ୍ୟବହାର ପାଇଁ ପୂର୍ବ ସମ୍ମାନ ଆଉ ପାଇ ପାରିବ ନାହିଁ। ସାମାଜିକ କାର୍ଯ୍ୟମାନଙ୍କରେ ତାଙ୍କର ତମାମ ପୂର୍ବ ସମ୍ମାନ ପାଇଁ ଝିଅର ପ୍ରେମ ବାଧକ ହେବ। ତାଙ୍କ ପରିବାରର ପୁଅଝିଅଙ୍କ ବିବାହାଦି କାମ ସହଜ ହେବନାହିଁ।
ଏପରିକି ଝିଅର ବଂଶ ଜାତିରୁ ବାସନ୍ଦ ହେବେ। ସେମାନେ ଅନେକ କଠିଣତମ ସାମାଜିକ ନିୟମମାନଙ୍କୁ ପୁରା କରି ସାରିଲା ପରେ ପ୍ରଥମେ ଦେବାଦେବୀଙ୍କୁ ସନ୍ତୁଷ୍ଟ କରିବେ। ତାପରେ ସମାଜର ପାଞ୍ଚଭାଇଙ୍କୁ ବିଧିମତେ ସନ୍ତୁଷ୍ଟ କରିବେ। ମୃତକ କର୍ମ ତୁଲାଇଲା ପରି ଅନେକ ବିଧାନ ପୁରା କରି ସାରିଲା ପରେ ସେମାନେ ଜାତିରେ ମିଶିବେ। ଏହାପରେ ସେ ପରିବାର ସାମାଜିକ ବ୍ୟବହାର ପାଇଁ ଯୋଗ୍ୟ ହେବେ।
ଏଥିବାଦ ତାଙ୍କ ପରିବାରର କଳଙ୍କ ଯିବନାହିଁ ସମୂହର ହେତୁ ଥିବା ପର୍ଯ୍ୟନ୍ତ। ଝିଅର ପରିବାର ପାଇଁ ଏହି ବିଧିବିଧାନ ଯେତିକି କଷ୍ଟପ୍ରଦ ସେତିକି ଅସହନୀୟ ଓ ଅପମାନଜନକ।
କେବଳ ସାମାଜିକ ବ୍ୟବସ୍ଥାର କୃରତା ଦଳିତ ପରିବାର ଉପରେ ପଡ଼େ ଏହା ନୁହେଁ ସଂପୃକ୍ତ ଝିଅର ପରିବାର ଉପରେ ମଧ୍ୟ ତଦୃପ କଷ୍ଟପ୍ରଦ ହୋଇଥାଏ। ଏହି ପ୍ରକ୍ରିୟାରେ ଝିଅର ପରିବାର ଯାଇ ସାରିଲା ପରେ ସମୂହର ସମର୍ଥନ ଝୀଅ ପରିବାର ଉପରେ ରହିଲା। ଜାତିଭାଇ ଏବଂ ଗାଁ ଭାଇ ତାଙ୍କୁ ସମବେଦନା ଓ ସହଯୋଗ କଲେ। ଏହା ହିଁ ହୋଇଥାଏ। ଜାତିରେ ବିଧିପୂର୍ବକ ନ ମିଶିବା ପର୍ଯ୍ୟନ୍ତ ଝିଅ ପରିବାର ବି ଦଳିତ ତୁଲ୍ୟ ବ୍ୟବହାର ପାଇଥାନ୍ତି। ସାମାଜିକ ଋଢ଼ିବାଦ ଏତାଦୃଶ କୃର ଅଟେ ତେଣୁ ପ୍ରତିହିଂସାକୁ ଏକ ସ୍ୱଭାବିକ ପ୍ରତିକ୍ରିୟା ଭାବରେ ଜାତି, ପଞ୍ଚ ଆଦି ଗ୍ରହଣ କରିଥାନ୍ତି। ଏହି ଋଢ଼ୀବାଦ ମଧ୍ୟଯୁଗୀୟ ପରମ୍ପରାକୁ ଅକ୍ଷତ ରଖିଅଛି। ତେଣୁ ୧୧ ଅଗଷ୍ଟର ପ୍ରତିକ୍ରିୟା ସବର୍ଣ୍ଣ ସମୂହଙ୍କ ପାଇଁ ଏକ ଦଣ୍ଡ ବିଧାନ ଥିବା ବେଳେ ପିଡ଼ିତାଙ୍କ ପାଇଁ ଚରାଚର ବ୍ୟବସ୍ଥାର ସବାଶେଷ ଦଣ୍ଡ।
ସଚେତନ ନାଗରିକ ବୋଲି ଯାହାକୁ କୁହାଯାଏ ସେମାନେ କେବଳ ଅନୁକମ୍ପା ବ୍ୟତୀତ କିଛି ଦେବାର ସାମର୍ଥ୍ୟ ରଖି ନ ଥାନ୍ତି ପିଡ଼ିତାଙ୍କ ପ୍ରତି। କିନ୍ତୁ ଦଳିତ ଜାଗରଣ ଘଟଣାକୁ ସହଜରେ ନେଲା ନାହିଁ। ଏହାର ପ୍ରତିବାଦ କଲା। ଅନେକ ଦଳିତ ସଙ୍ଗଠନ ଏହାର ନିନ୍ଦା କଲେ। ମାନବବାଦୀ ସଙ୍ଗଠନ ପିଡ଼ିତାର ନ୍ୟାୟପାଇଁ ଲାଗିଲେ।

ଘଟଣାର ଅନ୍ୟପଟ ଗୋଟିଏ ତର୍ଜ୍ଜମାର ଚିତ୍ର ଦିଏ। ଯିଏବି ପ୍ରତ୍ୟକ୍ଷ ପ୍ରତିକ୍ରିୟା ରଖିବ ସେ ନିଶ୍ଚିତ କିଛି ଘଟଣାକୁ ଆଖିସାମ୍ନାରେ ରଖିବ ନିଶ୍ଚୟ। ଓଡ଼ିଶା ସାଧରଣଙ୍କ ପାଇଁ ମାନ୍ୟବର ମୂଖ୍ୟମନ୍ତ୍ରୀ ଏକାନ୍ନ ଛତ୍ରପତି। କେବଳ ତାଙ୍କ ନାମରେ ଓଡ଼ିଶା ଶାସନ ଚାଲେ। ଏହା ସର୍ବବିଦିତ। କୌଣସି ବିଧାୟକ ମନ୍ତ୍ରୀ ସେତେ ଗୁରୁତ୍ୱ ବହନ କରନ୍ତି ନାହିଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ମୁଖରେ। ଘଟଣା ଘଟିଥିବା ଅଞ୍ଚଳ ହେଉଛି ଖୋଦ ମୂଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ। ଖାସ ଏଇଥିପାଇଁ ପୋଲିସ ପ୍ରଶାସନ ଏବଂ ରାଜନୈତିକ ଦଳମାନଙ୍କୁ ଏବଂ ଅନ୍ୟାନ୍ୟ ସାମାଜିକ ଆଦି ସଙ୍ଗଠନକୁ ମାତ୍ରାଧିକ ବିଚାର ପରେ ହିଁ ନିଷ୍ପତ୍ତି ନେବାକୁ ହେଲା।
ସେପ୍ଟେମ୍ବର ୧, ୨୦୨୧ ଦିନ ଏକ ପଦଯାତ୍ରା ଗାଇସିଲେଟରୁ ବାହାରିବା ନିଷ୍ପତ୍ତି ହେଲା। ଏହାର ସୂଚନା ବିଭିନ୍ନ ସାମାଜିକ ସଙ୍ଗଠନମାନଙ୍କୁ ଦିଆଗଲା। କିନ୍ତୁ ସେ ଦିନର ପରିଦୃଶ୍ୟ ଥିଲା ଭିନ୍ନ। ଗାଇସିଲେଟରେ ଏକ ବିରାଟ ଜନସମାଗମର ସୂଚନାକୁ ଆଧାର କରି ପୋଲିସ ମୁତୟନ ହେଲେ। ନିର୍ଦ୍ଧାରିତ ସମୟରେ ପଦଯାତ୍ରା ଆରମ୍ଭ ନ ହେବାରୁ ପ୍ରତିବାଦୀ ସଙ୍ଗଠନ ଏପରିକି ପ୍ରଶାସନ ନିଶ୍ଚିତ ହୋଇଗଲା ଯେ ନିର୍ଦ୍ଧାରିତ ପଦଯାତ୍ରା ହେବନାହିଁ। ପୋଲିସ ପ୍ଲାଟୁନ ଫେରିଗଲେ। କମଲ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ନୂଆପଡ଼ା ଜିଲ୍ଲାରୁ ଦଳିତ ଅଧିକାର ମଞ୍ଚ ଗାଇସିଲେଟ ପହଞ୍ôଚଲା। ସେଠାକର କେତେଜଣ ଯୁବକ ପଦଯାତ୍ରାରେ ବାହାରିଲେ। ଲକ୍ଷେଘର ଗଣ୍ଡାସମାଜର ଅଧ୍ୟକ୍ଷତାରେ ଗାଇସିଲେଟ ଆମ୍ବେଦକର ଛକରେ ଏକ ଛୋଟ ପଦଯାତ୍ରୀ ଦଳଙ୍କୁ ଶ୍ରୀ ନାରାୟଣ ବେଶ୍ରାଙ୍କ ନେତୃତ୍ୱରେ ବରଗଡ଼ ପାଇଁ ବିଦାୟ ଦେଲେ। ଗାଇସିଲେଟ ଏବଂ ଆଖପାଖ କିଛି ସହଯୋଗୀଙ୍କ ସହ ପଦଯାତ୍ରୀ ଦଳ ବିଧବା ମାଁଙ୍କ ନ୍ୟାୟପାଇଁ ବରଗଡ଼ ଅଭିମୁଖେ ବାହାରିଲେ। ବିଳମ୍ବରେ ପ୍ରାୟ ଦିନ ୩ ଟା ବେଳେ ଆରମ୍ଭ ହୋଇଥିବା ଏହି ପଦଯାତ୍ରାକୁ ଲୋକେ ବିଦାୟ ଦେବାବେଳେ ମାତ୍ର ପାଞ୍ଚଜଣ ପଦଯାତ୍ରୀ ଗାଇସିଲେଟ ପୋଲିସର ତତ୍ତ୍ୱାବଧାନରେ ବାହାରିଲେ। ରାସ୍ତାର ଗାଁ ମାନଙ୍କରେ ଦଳିତ ମାଁ’ମାନେ ପଦଯାତ୍ରୀଙ୍କ ପାଦ ଧୋଉଥାନ୍ତି ଏବଂ ଫୁଲ ଚାଉଳ ଦୀପ ଦେଇ ସମ୍ବର୍ଦ୍ଧନା କରୁଥାନ୍ତି। ଦିପ୍ତିପୁର ପହଞ୍ôଚବା ବେଳକୁ ଏକ ଭବ୍ୟ ସମ୍ବର୍ଦ୍ଧନା ପଦଯାତ୍ରୀଙ୍କୁ ଦିଆଗଲା। ପାଞ୍ଚଜଣରୁ କୋଡ଼ିଏ ଜଣ ହୋଇଯାଇଥିବା ପଦଯାତ୍ରୀ ଦଳ ବିଳମ୍ବିତ ରାତିରେ ଘେଁସ ପର୍ଯ୍ୟନ୍ତ ପହଞ୍ôଚଲେ।
ତିନି ତିନିଥର ଅସ୍ତ୍ରୋପଚାର ହୋଇଥିବା ହୃଦରୋଗୀ ଶ୍ରୀ ନାରାୟଣ ବେଶ୍ରାଙ୍କ ପଦଯାତ୍ରା ଲୋକଙ୍କୁ ଭାବୁକ କରି ଦେଉଥାଏ। ପରଦିନ ଦୁଇ ସେପ୍ଟେମ୍ବର ଘେଁସରୁ ପଦଯାତ୍ରୀ ଦଳ ପଥର୍ଲା ଗାଁ ପର୍ଯ୍ୟନ୍ତ ଆସିଲେ। ଏ ମଧ୍ୟରେ ଅନେକ ସାମାଜିକ ଓ ରାଜନୈତିକ ସଙ୍ଗଠନ ପଦଯାତ୍ରୀଙ୍କୁ ସହଯୋଗ ଓ ସମର୍ଥନ ଦେଉଥାନ୍ତି।
ପଦଯାତ୍ରା ସୋସିଆଲ ମିଡ଼ିଆରେ ଆସୁଥାଏ। ଗାଁ ମାନଙ୍କରେ ଘଟଣାର ଚର୍ଚ୍ଚା ହେଉଥାଏ। ତିନି ଦିନର ପଦଯାତ୍ରା ଦ୍ୱିତୀୟ ଦିନ ହିଁ ଲୋକଙ୍କ ସମର୍ଥନ ପାଇ ସାରିଥାଏ। ଆଶଙ୍କା କରାଯାଉଥିବ କୌଣସି ବାଧା ପଦଯାତ୍ରୀଙ୍କ ପ୍ରତି ନ ଥାଏ।

ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଛୁଆଙ୍କୁ ଭୁତ ଡରେଇଲା ପ୍ରାୟ ଡରାଇବା ଘଟଣା ଅମୂଳକ ଥିଲା ବୋଲି ସମସ୍ତେ ଜାଣିଲେ ଯେତେବେଳେ ବରଗଡ଼ରେ ପଦଯାତ୍ରୀ ଦଳ ଙ୍କ ସଂଖ୍ୟା ପାଞ୍ଚ ହଜାର ହୋଇ ଯାଇଥିଲା। ମହିଳା ମାନଙ୍କ ସଂଖ୍ୟା ଦେଢ଼ହଜାରରୁ ଅଧିକ ଥିଲା।
ଲୋକଙ୍କ ଏକ ବିରାଟ ପଟୁଆର ଏସ.ପିଙ୍କ କାର୍ଯ୍ୟାଳୟକୁ ଗଲା। ଏଠାରେ ସେପ୍ଟେମ୍ବର ୧, ତାରିଖ ଦିନ ଏସ.ପି, ଭୀମ ଆର୍ମୀର ପ୍ରତିବାଦକୁ ଉପେକ୍ଷା କରି ଯାଉଥିବା ସମୟରେ ଅପଦସ୍ତ ହୋଇଥାନ୍ତି। ଏହା ଅବଶ୍ୟ ଏସ.ପିଙ୍କ ମାତ୍ରାଧିକ ମୂଖ୍ୟମନ୍ତ୍ରୀ ଭୟ କାରଣରୁ ହୋଇଥିବା କଥା ସ୍ପଷ୍ଟ ହେଲାପରେ ଏହାକୁ ଗୁରୁତ୍ୱ ଦେଲେ ନାହିଁ ଆଲୋଚକମାନେ। କିନ୍ତୁ ଏହି ପ୍ରକରଣରେ ମିଡ଼ିଆର ନିରବତା ଲୋକଙ୍କୁ ବେଶ ଖଟକୁଥାଏ। ଲୋକେ ଜାତୀୟ ସ୍ତରର ଗୋଦି ମିଡ଼ିଆର ପ୍ରକରଣ କୁଦୁଲା ଘଟଣାରେ ନିଜ ପାଖରେ ଦେଖିଲେ। ମିଡ଼ିଆର ଗୋଦି ଚରିତ୍ରକୁ ପୋଲାରାଇଜଡ଼ ପ୍ରକରଣ କେତେ ନିଷ୍ଠା ଓ ସଫଳତାର ସହ କରାହେଉଛି ତାହା କୁଦୁଲା ଘଟଣା ସ୍ପଷ୍ଟ କରିଦେଲା।
ପଟୁଆର ଦୀର୍ଘ ସମୟ ଏସ.ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛିଡ଼ା ହୋଇଥାଏ। ନିଜେ ଏସ.ପି ବାହାରକୁ ଆସିଲେ ନାହିଁ। ସୂଚନା ଦେଲେ କିଛି ପ୍ରତିନିଧି ତାଙ୍କୁ ଭେଟି ପାରିବେ। ଏହା ହିଁ ହେଲା। ଏସ.ପି ପ୍ରତିଶୃତି ଦେଲେ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପୁରା କରାଯିବ।
ଏହାପରେ ପଟୁଆର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗଲା। ତଦୃପ ବ୍ୟବହାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାଞ୍ଚହଜାର ପ୍ରତିବାଦୀ ଏବଂ ତାଙ୍କ ସମର୍ଥକଙ୍କୁ ମିଳିଲା।
ଏ ସମୟ ମଧ୍ୟରେ କୌଣସି ଗିରଫଦାରୀ ନାହିଁ କି କୌଣସି ପ୍ରତିକ୍ରିୟା ଶାସନତନ୍ତ୍ର ନିକଟରୁ ନାହିଁ। ନାରୀ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ସରକାରୀ ସଙ୍ଗଠନ କି କର୍ମଚାରୀ ଦୁଦଲା ଘଟଣା ଉପରେ କିଛି ବି କଲେ ନାହିଁ। ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଗୋଟିଏ ପ୍ରତିନିଧି ଦଳ ଅବଶ୍ୟ କୁଦଲା ଯାଇ ପିଡ଼ିତାଙ୍କୁ ସାକ୍ଷାତ କରି ଆସିଲା।
ଶାସକୀୟ ମୌନତା ଦଳିତ ଏବଂ ମାନବବାଦୀ ସଙ୍ଗଠନମାନଙ୍କୁ ପୁନଃ ପ୍ରତିକ୍ରିୟାଶୀଲ କରାଇଲା। ଦଳିତ ବିମର୍ଷର ଗୋଟିଏ ସ୍ଥିରଚିତ୍ର କୁଦଲା ଘଟଣା ଦେଇ ସ୍ପଷ୍ଟ ହୋଇ ସାରିଥାଏ।
ସେପ୍ଟେମ୍ବର ୧୫, ୨୦୨୧ ଦିନ ଓଡ଼ିଶାର ପ୍ରାୟ ୪୧ ଗୋଟି ସାମାଜିକ ସଙ୍ଗଠନର ସହଯୋଗରେ ଭୂବନେଶ୍ୱର ଲୋୟର ପିଏମଜି ଛକରେ ଏକ ପ୍ରତିବାଦ ର‌୍ୟାଲିର ଆୟୋଜନ ସଫଳତାର ସହ କରାଗଲା। ଯେଉଁଠାରେ କୁଦୁଲା ପିଡ଼ିତାଙ୍କ ନ୍ୟାୟ ଦାବୀରେ ଆଠ ଦଫାର ଏକ ପ୍ରତିବାଦ ପତ୍ର ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଗଲା।

ଆନ୍ଦୋଳନକାରଙ୍କ ମଧ୍ୟରୁ ଏକ ପ୍ରତିନିଧିଦଳ ମୂଖ୍ୟମନ୍ତ୍ରୀଙ୍କୁ ନିଜର ଦାବୀପତ୍ର ଦେବାକୁ ଗଲେ। ମୂଖ୍ୟମନ୍ତ୍ରୀଙ୍କ ଜଣେ ପ୍ରତିନିଧି ଆସି ଆନ୍ଦୋଳନକାରୀ ପ୍ରତିନିଧିଙ୍କ ସହ ସାକ୍ଷାତ କଲେ। ପ୍ରତିନିଧି ଦଳ ସମସ୍ତ ଘଟଣାକୁ ସରକାରୀ ପ୍ରତିନିଧିଙ୍କୁ କହୁଥାନ୍ତି। ସେ ମୁଣ୍ଡ ହଲେଇ ସମସ୍ତ ଘଟଣାକୁ ଧ୍ୟାନର ସହ ଶୁଣୁଥାନ୍ତି। ପ୍ରତିନିଧିଙ୍କ ଏକାଗ୍ରତା ଦେଖି ଆନ୍ଦୋଳନକାରୀ ପ୍ରତିନିଧି ଦଳ ନିଜର ଦାବୀକୁ ପ୍ରାଞ୍ଜଳ ଭାବେ କହୁଥାନ୍ତି। ଦଶମିନିଟ ପରେ ଆନ୍ଦୋଳନକାରୀ ପ୍ରତିନିଧି ଦାବୀପତ୍ର ଦେବା ବେଳର ଫଟୋ ନେବାପାଇଁ ଅନୁରୋଧ କଲେ। ସରକାରୀ ପ୍ରତିନିଧି ପୂର୍ବପରି ମୁଣ୍ଡ ହଲେଇଲେ। ଯେତେବେଳେ ଫଟୋପାଇଁ ପ୍ରସ୍ତୁତ ହେଲେ ସେ ସମୟରେ ସେ ପ୍ରଶ୍ନକଲା ତୁଲ୍ୟ ମୁଣ୍ଡ ଟୁଙ୍ଗାରିଲେ। ତାଙ୍କର ଜିଜ୍ଞାସାକୁ ତାଙ୍କ ଜଣେ ପରିଚାରକ ଉଚ୍ଚପାଟିରେ କାନ ତଳେ କହିଲେ, ‘ସାରମାନେ ଫଟୋ ନେବାପାଇଁ କହୁଛନ୍ତି’। ସରକାରୀ ପ୍ରତିନିଧି ମୁଣ୍ଡ ହଲେଇ ମନାକଲେ। ଫଟୋ ନ ନେବାକୁ।
ଆନ୍ଦୋଳନକାରୀ ପ୍ରତିନିଧିଦଳ ବୁଝିଗଲେ ମୂଖ୍ୟମନ୍ତ୍ରୀ ତାଙ୍କ ନିକଟକୁ ନିଜର ବଧିର ପ୍ରତିନିଧି ପଠେଇଛନ୍ତି। ଯିଏ ଏତେ ଆୟୋଜନ ମଧ୍ୟରେ କରାଯାଇଥିବା ଗୋଟିଏ ବି ଅନୁରୋଧ କି ଦାବୀକୁ ଶୁଣି ନାହାନ୍ତି କି ବୁଝି ନାହାନ୍ତି।
ଶାସକ ଓ ଶାସିତର ସ୍ଥିତିକୁ ସ୍ପଷ୍ଟ ଭାବରେ ବୟାନ କରୁଥିବା ଏହି ଘଟଣା ହିଁ ଓଡ଼ିଶା ରାଜନୈତିକ ଚିତ୍ର।
ଜଣେ ସାଧାରଣ ବର୍ଗର ଝିଅ ଦଳିତ ପୁଅସଙ୍ଗେ ପଳେଇଲା ବୋଲି ଝିଅର ପରିବାର ବିଜାତି ହେଲେ। କିନ୍ତୁ ଦଳିତ ମାଁଙ୍କୁ ଗଣଦୁଷ୍କର୍ମ କରିଥିବା ଯୁବକମାନଙ୍କ ପରିବାର ପ୍ରତି କେଉଁ ଦଣ୍ଡବିଧାନ ରହିଅଛି? ର ପ୍ରଶ୍ନରେ ସଂପୃକ୍ତ ଜାତିର ଜଣେ ମୁଖିଆ ନିରବ ରହନ୍ତି। କାରଣ ଏତାଦୃଶ କୌଣସି ଦଣ୍ଡବିଧାନ ତାଙ୍କ ଜାତି ସମ୍ବିଧାନରେ ନାହିଁ। ସୁତାରାଂ ଦଳିତ ହିଁ ସବୁବେଳେ ଅପାଙକ୍ତେୟ ଓ ନିଚ!
କୁଦଲା ପିଡ଼ିତା ମାଁଙ୍କୁ ନ୍ୟାୟ ମିଳିବ? ଏହା ଏକ ଯକ୍ଷପ୍ରଶ୍ନ କେବଳ!