
ଗତ ୨୦୨୪ ନିର୍ବାଚନରେ ଓଡ଼ିଶାରେ ଅସ୍ମିତା ଶବ୍ଦର ରାଜନୀତିକ ପ୍ରୟୋଗ ଓ ଏହାର ସଫଳତା ଓଡ଼ିଶା ଦେଖିଛି। ଅବଶ୍ୟ ଏହାଏକ ପ୍ରହେଳିକା ଥିଲା ଅପରନ୍ତୁ ଓଡ଼ିଶାର ଅର୍ଥନୀତି, ଦର୍ଶନ, ସାମାଜିକ ପରିବର୍ତ୍ତନ, ସମ୍ପଦା ଓ ଅନ୍ୟ କ୍ଷେତ୍ରରେ ଓଡ଼ିଆଙ୍କ ନିୟନ୍ତ୍ରଣ ଢିଲା ହୋଇ ଆସିଥିବା ସମସ୍ତେ ଜାଣନ୍ତି। ରାଧାନାଥ ରାୟ ନିଜର ଚିଲିକା କାବ୍ୟରେ ପ୍ରଥମେ ଅସ୍ମିତା ଶବ୍ଦ ପ୍ରୟୋଗ କରିଛନ୍ତି।
ଖର ସୌରକରେ ତାରକା ଯେସନ
ଅସ୍ମିତା ବିସ୍ମୟେ ହେଲା ନିମଗନ;
ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶା ରାଜନୀତିର ବିଶ୍ଲେଷକ ରବି ଦାସଙ୍କ ମତରେ ୨୦୨୪ ନିର୍ବାଚନରେ ଅସ୍ମିତା ରାଜନୀତି କ୍ଷେତ୍ରରେ ପ୍ରୟୋଗ ହୋଇଛି। ଅସ୍ମିତା ଏକ ସଂସ୍କୃତ ଶବ୍ଦ ଯାହା ହିନ୍ଦୀ ସାହିତ୍ୟ ଓ ସମ୍ବାଦ ଜଗତରେ ବହୁଳ ପ୍ରୟୋଗ ହୋଇଥାଏ। ଯେତିକି ମୋର ମନେଅଛି ନିଜେ ରବି ଦାସ ନିଜର ଦୈନିକ ପର୍ଯ୍ୟବେକ୍ଷକରେ କାରଗିଲ ଯୁଦ୍ଧ ସମୟରେ ଅସ୍ମିତା ଶବ୍ଦର ପ୍ରୟୋଗ କରିଥିଲେ। ବୋଧହୁଏ ଏହା ସମ୍ବାଦ ସାହିତ୍ୟରେ ପ୍ରଥମ ପ୍ରୟୋଗ ଥିଲା। ଅସ୍ମିତା ସଂସ୍କୃତ ଶବ୍ଦ, ଅସ୍ମି ଅର୍ଥାତ୍ ‘ମୁଁ ଅଛି’। ଏହାର ଭାବବାଚକ ଶବ୍ଦ ହେଲା ଅସ୍ମିତା। ଇଂରାଜୀରେ ଏହା ଓୟରଦ୍ଭଗ୍ଧସଗ୍ଧଚ୍ଚ ହୁଏ। ଇଂରାଜୀ ଅର୍ଥରେ ଏହାର ବ୍ୟାପକତା ସଂକୁଚିତ ହେଲା ଭଳି ପ୍ରତୀତ ହୁଏ କିନ୍ତୁ ଏହାର ପ୍ରୟୋଗ ଅଭିମାନ ବା ସାମୁହିକ ଅଭିମାନ ଅର୍ଥରେ ଆସିଥାଏ।
ତୀବ୍ବତ ଭାରତ ଏବଂ ଚୀନ ମଧ୍ୟରେ ଥିବା ୧୨ ଲକ୍ଷ ବର୍ଗ କିଲୋମିଟର ହିମାଳୟ ଭୂଖଣ୍ଡ ତୀବ୍ବତ ଅଟେ। ଏହାକୁ ପୃଥିବୀର ଛାତ କୁହାଯାଏ। ପ୍ରାକ୍ଐତିହାସିକ ସମୟରୁ ତୀବ୍ବତରେ ଜନବସତି ରହିଅଛି। ସପ୍ତମ ଶତାବ୍ଦୀ ପରବର୍ତ୍ତି ଲିଖିତ ଦସ୍ତାବେଜ ମିଳିଥାଏ। ଜାଙ୍ଗଜୁଙ୍ଗ ରାଜବଂଶ ଖ୍ରୀ.ପୂ ୫୦୦ ରୁ ୬୨୫ ଖ୍ରୀ.ଅ ପର୍ଯ୍ୟନ୍ତ ଶାସନରେ ରହିଥିଲେ। ବୋନ ଧର୍ମ ତୀବ୍ବତର ଆଦିଧର୍ମ ଅଟେ। ଯାହା ତୀବ୍ବତକୁ ଅନ୍ୟ ଏସୀୟ ମହାଦେଶଠୁ ସାଂସ୍କୃତିକ ଭାବେ ଅଲଗା କରିଥାଏ। ବୋନ ଧର୍ମକୁ ରାଜବଂଶଙ୍କ ସମ୍ମାନ ରହିଥିଲା। ଏହାପରେ ବୁଦ୍ଧଧର୍ମ ତୀବ୍ବତରେ ସ୍ଥାପିତ ହେବାପରେ ବୋନଧର୍ମ ଏବଂ ବୁଦ୍ଧଧମ୍ମର ଅନ୍ତଃଦର୍ଶନ ପରସ୍ପର ବିରୋଧ କରୁନଥିଲା। ଅନେକ ବୁଦ୍ଧଧମ୍ମକୁ ଆପଣେଇ ନେଇଥିଲେ। ବର୍ତ୍ତମାନ ବୋନ ଏକ ସଂଖ୍ୟାଲଘୁଙ୍କ ଦ୍ୱାରା ଅନୁକରଣୀୟ ଧର୍ମ ଅଟେ। ୟାରଲୁଙ୍ଗ ରାଜବଂଶର ଅନେକ କଥା ଶୁଣାଯାଏ ଯାହାକୁ ଇତିହାସ ଅପେକ୍ଷା ପୌରାଣିକ ବୋଲି ଅନେକ ଗ୍ରହଣ କରିଥାନ୍ତି। ୧୦ ରୁ ୧୨ ଶତାବ୍ଦୀ ମଧ୍ୟରେ ତୀବ୍ବତରେ ୪ ଗୋଟି ବୁଦ୍ଧବିହାର ଥିବାର କୁହାଯାଏ। ପରେ ମଙ୍ଗୋଲ ଏବଂ ତୁଙ୍ଗ ଶାସନରେ ଏହି ସ୍ୱତନ୍ତ୍ର ହିମାଳୟ ଭୂଖଣ୍ଡ ରହିଥିଲା। ଚତୁର୍ଦ୍ଦଶ ଶତାବ୍ଦୀ ପରେ ୩୦୦ ବର୍ଷ ତୀବ୍ବତ ସ୍ୱତନ୍ତ୍ର ହୋଇ ରହିଥିଲା। ୧୬ ଶତାବ୍ଦୀରେ ତଲ୍ଲୀନ ଖାନ ଦଲାଇ ଲାମାଙ୍କୁ ତୀବ୍ବତର ସାର୍ବଭୌମ ସତ୍ତା ଅର୍ପଣ କରିଥିଲେ। ୧୭୨୦ ମସିହାରେ ଚିଙ୍ଗ ରାଜବଂଶ ତୀବ୍ବତ ଶାସନରେ ରହିଲେ। ୨୬୦ ବର୍ଷ ଚିଙ୍ଗ ଶାସନ ରହିବା ପରେ ଚୀନ ସେନା ତୀବ୍ବତରେ ପ୍ରବେଶ କରି ନିଜ ଅଧିକାରକୁ ନେଇଥିଲେ। ୧୯୬୧ ମସିହାରେ ତୀବ୍ବତର ସୁରକ୍ଷ ବ୍ରିଟେନ ନେବାକୁ ଅନୁରୋଧ କରାଗଲା। ୧୯୦୩-୦୪ ମସିହାରେ ଟ୍ରିଟି ଅଫ ଲାସାରେ ଚିନ ନିଜର ଅଧିକାର ସାବ୍ୟସ୍ତ କଲା। ଅନେକ ସଂଘର୍ଷ ପରେ ୧୩ ତମ ଦଲାଇଲାମା ମଙ୍ଗୋଲିଆ ପରେ ବେଜିଂ ଯାଇ ରହିଲେ। ୧୯୦୮ ମସିହାରେ ଭାରତକୁ ଆସିଲେ। ପରେ ଭାରତରୁ ଯାଇ ୧୯୧୨ ମସିହାରେ ତୀବ୍ବତକୁ ସ୍ୱତନ୍ତ୍ର ଘୋଷଣା କଲେ। ଚୀନ ଆକ୍ରମଣରେ ତ୍ରୟୋଦଶ ଦଲାଇଲାମା ଆତ୍ମଗୋପନ ସମୟରେ ଭାରତରେ ମଧ୍ୟ ରହିଥିଲେ।

ଫଟୋ ସୌଜନ୍ୟ-ଏଏନଆଇ
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୧୯୪୫ ମସିହାରେ ମାଓ ସେ ତୁଙ୍ଗଙ୍କ ଉଦୟ ହୁଏ। କମ୍ୟୁନିଷ୍ଟ ସତ୍ତା ତୀବ୍ବତ ଉପରେ ଆକ୍ରମଣ ଜାରି ରଖିଲା। ଏତେବେଳକୁ ତୀବ୍ବତରୁ ଅନେକ ଶରଣାର୍ଥି ଭାରତ ଆସିଥିଲେ। ଅକ୍ଟୋବର ୭, ୧୯୫୦ ଦିନ ସତ୍ତାସିନ ହେବାର ୧୨ ଦିନ ପରେ ଚୀନ ତୀବ୍ବତର ଚାମୁଡୁ ସହରକୁ ଦଖଲ କୁ ନେଲେ। ଏହାପରେ ତୀବ୍ବତ ଉପରେ ଚୀନର ନିୟନ୍ତ୍ରଣ ସ୍ଥିର ହୋଇ ରହିଅଛି। ପ୍ରତିବାଦ ହୋଇନାହିଁ ଏକଥା ନୁହେଁ ୧୮୬୫ ବ୍ରିଟେନ-ଚୀନ ସନ୍ଧି ସମୟରେ ତୀବ୍ବତ ମାମଲାରେ ବ୍ରିଟେନ ହସ୍ତକ୍ଷେପ ନ କରିବାର ପ୍ରତିଶୃତି ଦେଇଥିଲା। ମେକମୋହନ ଲାଇନ ତିଆରି ବେଳେ ଏବଂ ଭାରତ ସହ ପରବର୍ତ୍ତି ସମ୍ପର୍କ ଦେଖିଲେ ତୀବ୍ବତକୁ ପରୋକ୍ଷରେ ଭାରତ ଏକ ସ୍ୱତନ୍ତ୍ର କ୍ଷେତ୍ର ଭାବରେ ସ୍ୱୀକାର କରି ଆସିଅଛି। ୨୩ ମଇ, ୧୯୫୧ ଦିନ ୧୭ ବିନ୍ଦୁ ବିଶିଷ୍ଟ ସନ୍ଧିପତ୍ରରେ ୧୪ ତମ ଦଲାଇଲାମା ଦସ୍ତଖତ କରିଥିଲେ। ଏହି ସନ୍ଧି ବିବାଦୀୟ ଓ ଅନେକ ଆଇନକୁ ଉଲ୍ଲଙ୍ଘନ କରି ଏକତରଫା ପ୍ରସ୍ତୁତି ବୋଲି ନିନ୍ଦା କରା ଯାଇଥାଏ। ସ୍ୱାକ୍ଷର ବେଳକୁ ଦଲାଇଲାମାଙ୍କୁ ପନ୍ଦର ବର୍ଷ ବୟସ ହେଉଥିଲା।
ଦଲାଇଲାମାଙ୍କ ଉପରେ ଚୀନର କୂଟନୀତିକ ଚାପ ପଡିଲା। ୧୯୫୯ ମସିହାରେ ସେ ନିଜର ଅନୁଗାମୀଙ୍କ ସହ ଚାଲିଚାଲି ଭାରତୀୟ ହିମାଳୟ ଡେଇଁ ଭାରତର ଶରଣାଗତି ନେଇଥିଲେ। ଭାରତ ନିଜର ସାମ୍ବିଧାନିକ ଓ ନୀତିଗତ ଆଦର୍ଶ ଯୋଗୁଁ ଦଲାଇଲାମାଙ୍କୁ ଶରଣାର୍ôଥ ଭାବରେ ସମ୍ମାନର ସହ ରଖିଅଛି। ଭାରତରେ ତାଙ୍କର ପାର୍ଲ୍ୟାମେଣ୍ଟ ଗଣତାନ୍ତ୍ରୀକ ପ୍ରକ୍ରୀୟାରେ ପରିଚାଳିତ ହେଇ ଆସୁଅଛି। ୧୯୬୦ ମସିହାରୁ ଅସ୍ତିତ୍ୱକୁ ଆସିଥିବା ପ୍ରବାସ-ପାର୍ଲ୍ୟାମେଣ୍ଟ ବର୍ତ୍ତମାନ ତାର ୧୭ ତମ ସରକାର ଶାସନରେ ଅଛି। ଆଲୋଚକଙ୍କ ଅନୁସାରେ ଏହାପରେ ଚୀନ ସହ ଭାରତର ସମ୍ପର୍କ ଖରାପ ହେବାରେ ଲାଗିଲା। ସୀମା ବିବାଦ ଆରମ୍ଭ ହେଲା। ୧୯୬୨ ମସିହା ଯୁଦ୍ଧର କାରଣମାନଙ୍କ ମଧ୍ୟରୁ ଦଲାଇଲାମାଙ୍କୁ ଶରଣ ଦେବା ବି ଗୋଟିଏ କାରଣ।
ନିକଟରେ ଆମେରିକା ପାର୍ଲ୍ୟାମେଣ୍ଟ ତୀବ୍ବତ ଚାଇନା ଏକ୍ଟ ୩୯୧ ସଦସ୍ୟଙ୍କ ସମର୍ଥନ ଓ ୨୬ ସଦସ୍ୟଙ୍କ ବିପକ୍ଷ ଭୋଟରେ ପାସ ହୋଇ ସାରିଛି। ଏହି ଅବସରରେ ଗୋଟିଏ ଉଚ୍ଚତମ ପ୍ରତିନିଧି ଦଳ ନେନସୀ ପଲସିଙ୍କ ଅଧ୍ୟକ୍ଷତାରେ ଭାରତ ଆସି ତୀବ୍ବତ ପାର୍ଲ୍ୟାମେଣ୍ଟକୁ ସମ୍ବୋଧନ କରିଛନ୍ତି। ନେନସୀ ପଲସି ଆମେରିକା ରାଜନୀତିର ଜଣେ ପ୍ରଭାବଶାଳୀ ମହିଳା ଅଟନ୍ତି। ଆମେରିକା ତରଫରୁ ତୀବ୍ବତକୁ ସ୍ୱତନ୍ତ୍ର ସୀକାର କରିବା ସହ President of China You will be gone. Dalai Lama’s legesy will Live. ବୋଲି କହିଛନ୍ତି। ଆମେରିକାର You will be gone ବକ୍ତବ୍ୟ ଏକ ଯୁଦ୍ଧକୁ ଆମନ୍ତ୍ରଣ କରିଥାଏ ଅବା ସତ୍ତା ପରିବର୍ତ୍ତନ କରେଇ ଥାଏ। ଇମ୍ରାନ ଖାନ ଏବଂ ଗଦ୍ଦାଫି ତାଜା ଉଦାହରଣ ରହିଛନ୍ତି। ଦଲାଇ ଲାମାଙ୍କ ନେତୃତ୍ୱରେ ତୀବ୍ବତର ସ୍ୱାଧିନତା ସଂଗ୍ରାମ ସମଗ୍ର ବିଶ୍ୱର ମାନବିକ ଅନୁକମ୍ପା ହାସଲ କରି ସାରିଛି। ପୁଞ୍ଜିବାଦ ପରବର୍ତ୍ତି ଯୁଗରେ ଯୁଦ୍ଧ ଓ ଶାନ୍ତି ଉଭୟ ଲାଭ ଦାୟକ। ତୀବ୍ବତ ଲିଥିୟମ, ୟୁରାନିୟମ ଓ ପାଣିର ଏକ ବଡ ଗନ୍ତାଘର। ୨୪ ଟି ବଡନଦୀ ତୀବ୍ବତରୁ ବାହାରି ଏସିଆର ଅନେକ ଅଞ୍ଚଳକୁ ଉପଜ କରିଛି। ବିଶ୍ୱର ଏକ ବଡ ଜନସଂଖ୍ୟାର ଅଂଶ ତୀବ୍ବତର ପାଣି ବ୍ୟବହାର କରିଥାଏ।
ଗୋଟିଏ ପଟେ ବଜାରୀ ସମ୍ଭାବନାର ଅନେକ ଦିଗନ୍ତ ଓ ଅନ୍ୟପଟେ ତୀବ୍ବତୀୟଙ୍କ ମାନବୀୟ ଅଧିକାରର କାରୁଣ୍ୟ ଜିଦ୍। ଦଲାଇ ଲାମାଙ୍କୁ ବିଶ୍ୱରେ ସ୍ୱତନ୍ତ୍ର ସମ୍ମାନ ଓ ରାଜନୀତିକ ମର୍ଯ୍ୟାଦା ଦିଆଯାଏ। ତାଙ୍କୁ ନୋବେଲ ଶାନ୍ତି ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଅଛି। ଆମେରିକା ତୀବ୍ବତକୁ ଚୀନର ଅଂଶ ବିଚାର ନକରି ସ୍ୱତନ୍ତ୍ର ବୋଲି ମାନ୍ୟତା ଦେବା ଏକ ବିରାଟ ଘଟଣା ନିଶ୍ଚୟ। ବ୍ରିଟେନ ତୀବ୍ବତ ସମ୍ପର୍କ ପରେ ଆମେରିକା ପାର୍ଲ୍ୟାମେଣ୍ଟରେ ବୀବ୍ବତକୁ ସ୍ୱତନ୍ତ୍ର ସ୍ୱୀକାର କରି ଏକ ଆଇନ ତିଆରି ପ୍ରକ୍ରିୟା କରାଯାଉଛି ଅର୍ଥ ପୂର୍ବ କ୍ଷେତ୍ରରେ ପଶ୍ଚିମର ପୁନଃ ପ୍ରବେଶ ହେଉଅଛି। ଭାରତ ତୀବ୍ବତ ଉପରେ ନିଜର ସ୍ଥିର ପ୍ରତିକ୍ରିୟା ରଖି ଆସିଛି ନେହେରୁଙ୍କ ଠାରୁ ମୋଦୀଙ୍କ ପର୍ଯ୍ୟନ୍ତ।
ତୀବ୍ବତ ପାର୍ଲ୍ୟାମେଣ୍ଟ ସଦସ୍ୟ ଦୋର୍ଜି ସିତେନ ତୀବ୍ବତର ଅବସ୍ଥା ନେଇ ଗୋଟିଏ ଗଣମାଧ୍ୟମକୁ ମାର୍ମିକ ସାକ୍ଷାତକାରରେ କହିଛନ୍ତି ତୀବ୍ବତୀୟମାନେ ଭାରତକୁ The land of intellectual ବୋଲି କହନ୍ତି। ଏହାସହ ତୀବ୍ବତର ସ୍ୱାଧିନତା ସଂଗ୍ରାମ ବିଷୟରେ ସୂଚନା ଦେଇ ୨୦୦୯ ମସିହାରୁ ଆଜି ପର୍ଯ୍ୟନ୍ତ ୧୬୦ ଜଣ ତୀବ୍ବତୀୟ ସ୍ୱାଧିନତା ଦାବୀରେ ଆତ୍ମାହୁତି ଦେଇ ସାରିଛନ୍ତି। ଚୀନ ତାର ଆକ୍ରମଣ ତୀବ୍ବତ ଉପରେ ଜାରି ରଖିଛି। ସ୍କୁଲ ମାନଙ୍କରେ ଛୋଟଛୋଟ ଛାତ୍ରଛାତ୍ରୀଙ୍କୁ ନିଜ ସପକ୍ଷରେ ଶିକ୍ଷାଦାନ କରୁଛନ୍ତି। ଚୀନ ଶିକ୍ଷାନୁଷ୍ଠାନ ମାନଙ୍କରେ ପଢୁଥିବା ତୀବ୍ବତୀ ଛାତ୍ରଛାତ୍ରୀ ଚୀନାଙ୍କ ବ୍ୟବହାରରେ ନିଜକୁ ସଂଖ୍ୟାଲଘୁ ଅନୁଭବ କରନ୍ତି। ଏହାସହ ଚୀନ ସୀମାନ୍ତ ଅଞ୍ଚଳରେ ଯେଉଁ ସହର ବସଉଛି ସେଠାରେ ଅଧିକ ଚୀନା ରହନ୍ତି। ତୀବ୍ବତୀୟଙ୍କୁ ବିଶ୍ୱାସରେ ନେଉ ନାହାନ୍ତି। ଦଲାଇଲାମାଙ୍କୁ ବିଶ୍ୱ ସ୍ୱାଧିନତା ସଂଗ୍ରାମୀ ଭାବରେ ସ୍ୱୀକାର କରୁଥିବା ବେଳେ ଚୀନ ତାଙ୍କୁ ବିଚ୍ଛିନ୍ନତାବାଦୀଙ୍କ ନେତା ଆକାରରେ ବ୍ୟବହାର କରେ। ଏପରିକି ଦଲାଇ ଲାମାଙ୍କ ଫଟୋ ରଖିଲେ ଗିରଫ ହେବାର ଉଦାହାରଣ ବି ସାଧାରଣ ହୋଇ ସାରିଛି।
ଚୀନ ଆକ୍ରମଣରେ ତୀବ୍ବତୀୟ ବୁଦ୍ଧମଠ ଓ ସାଂସ୍କୃତିକ ଅନୁଷ୍ଠାନକୁ ନଷ୍ଟ କରିଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ସିତେନ କହନ୍ତି ତୀବ୍ବତୀୟ ନିଜର ସଂସ୍କୃତି, ଧର୍ମ, ମାନବାଧିକାର ଓ ତୀବ୍ବତର ସୁରକ୍ଷା ପାଇଁ ସଂଗ୍ରାମ କରୁଛନ୍ତି। ସମ୍ଭାବନା ଓ ପରିଣାମର ଅନେକ ସମ୍ଭାବନା ରହିଛି ତୀବ୍ବତ ପ୍ରସଙ୍ଗରେ। ଗୋଟିଏ ସଂଯୋଗ ଯେତେବେଳେ ଓଡ଼ିଆ ଅସ୍ମିତା କଥା ଉଠୁଛି ସେ ସମୟରେ ତୀବ୍ବତକୁ ନେଇ ପୁନଃ ବିଶ୍ୱ ରାଜନୀତି ଚଞ୍ଚଳ ହୋଇ ଉଠିଛି।
ଓଡ଼ିଶାର ସମ୍ପର୍କ ତୀବ୍ବତ ସହ କଣ?

ପଦ୍ମସମ୍ଭବ ଅଷ୍ଟମ ଶତାବ୍ଦୀର ଜଣେ ବିକ୍ଷାତ ବୁଦ୍ଧ ଥିଲେ। ତାଙ୍କୁ ବୁଦ୍ଧଙ୍କ ସ୍ୱରୁପ ଭାବରେ ସ୍ୱୀକାର କରା ଯାଉଥିଲା। ସେ ଉଡ୍ଡୀୟାନର ସମ୍ବଲକରେ ଜନ୍ମ ହୋଇଥିଲେ। ଉଡ୍ଡୀୟାନକୁ ନେଇ ଅନେକ ମତ ରହିଅଛି। ଏହା କିପରି ଓଡ଼ିଶା ସେ ବିଷୟରେ ଜାଣିବା ପୂର୍ବରୁ ପଦ୍ମସମ୍ଭବଙ୍କ ପରିଚୟ ଜାଣିବା ଆବଶ୍ୟକ। ପଦ୍ମସମ୍ଭବ ପଦ୍ମରୁ ଜନ୍ମ ହୋଇଥିବା ମିଥ କହେ। ସେ ସମ୍ବଲକର ରାଜା ଇନ୍ଦ୍ରଭୁତିଙ୍କ ପାଳିତ ପୁତ୍ର ଥିଲେ। ତାଙ୍କର ପିଉସୀ ଥିଲେ ଲକ୍ଷ୍ମୀଙ୍କରା ଯିଏ ବୁଦ୍ଧଧମ୍ମର ଦେବୀ ଆକାରରେ ପୂଜିତା। ଏକଦା ରାଜମହଲର ଛାତ ଉପରେ ପଦ୍ମସମ୍ଭବ ଗୋଟିଏ ଭାଳ ଖେଳୁଥିଲେ। ଭାଳଟି ହାତରୁ ଖସି ତଳେ ଠିଆ ହୋଇଥିବା ଜଣେ ମନ୍ତ୍ରୀଙ୍କ ଛାତିରେ ଆରପାର ଭୁସି ହୋଇଗଲା। ମନ୍ତ୍ରୀଙ୍କ ମୃତ୍ୟୁର କାରଣ ପଦ୍ମସମ୍ଭବଙ୍କୁ ଦର୍ଶାଇ ତାଙ୍କୁ ନିର୍ବାସନ ଦେଇଥିଲେ। ସେ ହୁମାଠାରେ ରହିଲେ। ତାଙ୍କୁ ଜଣେ ଗଉଡ ପ୍ରତିଦିନ ଖିର ଆଣି ଦେଉଥିଲା। ଗଉଡର କପାଳ ହୁଂ କାର ଆକୃତିର ପ୍ରତିତ ହେଉଥିବା ହେତୁ ପଦ୍ମସମ୍ଭବ ସେ ସ୍ଥାନକୁ ଗଉଡ ନାମରେ ହୁଂକାର ବୋଲି କହିଲେ। ଯାହା ଆଧୁନିକ ହୁମା ଅଟେ। ଏହିଠାରେ ପଦ୍ମସମ୍ଭବ କୌଳଜ୍ଞାନ ନିର୍ଣ୍ଣୟ ତନ୍ତ୍ର ରଚନା କରିଥିଲେ। କୌଳ ଓଡ଼ିଶାର ମୌଳିକ ପରିଚୟ ବହନ କରିଥାଏ। ପ୍ରାଚୀନ ଆଦିଧର୍ମରେ କୌଳ ଅର୍ଥାତ ବଂଶ ବା ନିଜର ମୂଳ। ବିଭିନ୍ନ ପଶୁପକ୍ଷୀ, ସରିସୃପ, ଜନ୍ତୁ ଆଦିଙ୍କୁ ମଣିଷ ନିଜର କୂଳଦେବତା ଭାବେ ସମ୍ମାନ ଦେଇଥାଏ। ସେହି ଦର୍ଶନରେ ଇତର ପ୍ରାଣୀ ଦେବୀ ଭାବରେ ପୂଜା ପାଆନ୍ତି। ଏହାର ବର୍ଦ୍ଦିତ ରୁପ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ପଟୁଆ ଡୁଙ୍ଗରୀ ନିକଟରେ ଦେଖାଯାଏ। ଯେଉଁଠାରେ ପଶୁପକ୍ଷୀଙ୍କ ପାଦଚିହ୍ନ ପଥର ଉପରେ ଅଙ୍କିତ ହୋଇଛି। ଏହାପରେ ନୂଆପଡା ଜିଲ୍ଲାର ଯୋଗୀମଠ ଏବଂ ଦୁଇଟି ଜିଲ୍ଲାର ସୀମା ଉପରେ ଠିଆ ହୋଇଥିବା ରିସିପିଟି ପାହାଡ ଏହାର ମୂଳ ରୂପ ପ୍ରତି ଇଙ୍ଗିତ କରିଥାଏ। ଏବଂ ପଶୁପକ୍ଷୀ ରୂପି ଦେବୀଙ୍କୁ ଯୋଗିନୀ କୁହାଯାଏ। ଏହାର ଆଧୁନିକ ରୂପ ଅଷ୍ଟମ ଶତାବ୍ଦୀର ରାଣୀପୁର ଝରିଏଲରେ ଥିବା ଚଉଷଠି ଯୋଗିନୀ ମନ୍ଦିର ଅଟେ। ବଲାଙ୍ଗୀର ଜିଲ୍ଲା ରାଣୀପୁର ଝରିଏଲର ଚଉଷଠୀ ଯୋଗିନୀ ମନ୍ଦିରରେ ଯୋଗିନୀମାନଙ୍କ ମଧ୍ୟରୁ ୨୭ ଜଣ ଯୋଗିନୀ ପଶୁମୁଣ୍ଡ ଓ ମଣିଷ ଶରୀରର ଅଟନ୍ତି। କୌଳର ମୂଳ ଉଦଗମ ସ୍ଥଳ ନୂଆପଡା ଜିଲ୍ଲାର ସୁନାବେଡା ଉପତ୍ୟକା ଅଟେ। ଆଜି ମଧ୍ୟ ଭୁଞ୍ଜିଆ ସମ୍ପ୍ରଦାୟର ଲୋକ ନିଜ ଘର ନିକଟରେ ରନ୍ଧନଶାଳା ତିଆରି କରନ୍ତି। ସେଠାକୁ ବାହାର ଲୋକଙ୍କ ପ୍ରବେଶ ମନା। ଯିଏ ଯଦି ବାହାର ଲୋକ ରନ୍ଧାଘରକୁ ଛୁଇଁଦେବ ତାହେଲେ ତାକୁ ନିଆରେ ପୋଡି ଦେଇଥାନ୍ତି। ଏହା ସ୍ଥାୟୀ ହୋଇ ମଣିଷ ରହିଲାପରେ କୌଳର ଆଦିରୂପ ଅଟେ ବୋଲି ସାଲେଗ୍ରାମ ହୋତା କହିଥାନ୍ତି।
ବିବାହ ପରେ ପଦ୍ମସମ୍ଭବ ସମୟ କ୍ରମେ ସେ ନେପାଳରେ ଅବସ୍ଥାନ କଲେ। ଏହି ସମୟରେ ତୀବ୍ବତର ରାଜା ତିସୋରୀ ଦ୍ୟୁତସେନ ହିପୋରି ପର୍ବତ ପାଖରେ ମନ୍ଦିର ନିର୍ମାଣ କରୁଥିଲେ। ଦିନବେଳେ ଯେତିକି ମନ୍ଦିର ନିର୍ମାଣ ହୋଇଥିବ ରାତିରେ ତାହା ଭାଙ୍ଗି ଯାଉଥିଲା। ଏହି ସମସ୍ୟାର ସମାଧାନ ପାଇଁ ଶାନ୍ତିରକ୍ଷିତ ରାଜାଙ୍କୁ ପରାମର୍ଶ ଦେଲେ। ଶାନ୍ତିରକ୍ଷିତ ପଦ୍ମସମ୍ଭବଙ୍କ ଶଳା। ଶାନ୍ତିରକ୍ଷିତଙ୍କ କଥାରେ ରାଜା ସସମ୍ମାନେ ପଦ୍ମସମ୍ଭବଙ୍କୁ ତୀବ୍ବତ ନେଲେ। ପଦ୍ମସମ୍ଭବ ପ୍ରଥମେ ରାଜାଙ୍କ ଝୀଅଙ୍କୁ ଡାକିନୀ ବିଦ୍ୟାରେ ଦିକ୍ଷିତ କରିଥିଲେ।
ଡାକିନୀବିଦ୍ୟା ପଶ୍ଚିମଓଡ଼ିଶାର ମୌଳିକ ବିଦ୍ୟା ଅଟେ। ପ୍ରତ୍ନତତ୍ତ୍ୱବିଦ ସାଲେଗ୍ରାମ ହୋତାଙ୍କ ସହ ଆଲୋଚନା ବେଳେ ସେ ଉଡ୍ଡୀୟାନର ଅବସ୍ଥିତି ବିଷୟରେ କହିଛନ୍ତି। ତୀବ୍ବତର ଉତ୍ତରପଶ୍ଚିମ କ୍ଷେତ୍ର ବୋଲି କହୁଥିବା ବେଳେ ଅନେକ ଓଡ଼ିଶାର ଜାଜପୁରକୁ ଉଡ୍ଡୀୟାନ କହିଥାନ୍ତି। ଅନେକ ବଙ୍ଗ ଗବେଷକ ଆସାମକୁ ଉଡ୍ଡୀୟାନ ବୋଲି କହିଥାନ୍ତି। ଉଡ୍ଡୀୟାନର ଏକ ଅଂଶ ପଶ୍ଚିମ ଓଡ଼ିଶା ଅଟେ। ଉଡ୍ଡୀୟାନ ଦୁଇ ଭାଗରେ ବିଭକ୍ତ ଥିଲା ସମ୍ବଲକ ଏବଂ ଲଙ୍କା। ସମ୍ବଲକ ୬୦ ହଜାର ଜନପଦ ବିଶିଷ୍ଟ କ୍ଷେତ୍ର ଥିଲା। ଯାହାର ରାଜଧାନୀ ଜାଟିମାଟି ଥିଲା। ଜାଟିମାଟି ବା ଆଧୁନିକ ଜାମୁଟ ଏବେ ହୀରାକୁଦ ବନ୍ଧ ଭିତରେ ଲିନ ହୋଇ ରହିଛି। ଏବଂ ଅନ୍ୟଟି ଲଙ୍କା ଯାହାକୁ ବୁଦ୍ଧଲଙ୍କା ମଧ୍ୟ କୁହାଯାଏ। ସମ୍ବଲପୁର ଲଙ୍କେଶ୍ୱରୀ ଗଣ୍ଡରୁ କଳାହାଣ୍ଡି ଜିଲ୍ଲା ଜୁନାଗଡ କ୍ଷେତ୍ରରେ ଲଙ୍କେଶ୍ୱରୀ ପୂଜା ପାଇଥାନ୍ତି। ଲଙ୍କେଶ୍ୱରୀ ଦେବୀ ମଇଷୀ ବାହନରେ ଶ୍ୟାମାଙ୍ଗୀ ଓ ମୁକ୍ତକେଶୀ ଅଟନ୍ତି ଓ ସେ ଲଙ୍କାର ଅଧିଶ୍ୱରୀ ଅଟନ୍ତି। ସୁତରାଂ ମହାକାନ୍ତାର (କଳାହାଣ୍ଡି) ରୁ ମହାନଦୀ ଲଙ୍କେଶ୍ୱରୀ ଗଣ୍ଡ ପର୍ଯ୍ୟନ୍ତ ଅଞ୍ଚଳ ଲଙ୍କା ଅଟେ।
ଉଡ୍ଡୀୟାନର ଅନ୍ୟଏକ ପରିଚୟ ହେଲା ଏଠାରେ କାଳଚକ୍ର ତନ୍ତ୍ରର ପ୍ରଚଳନ ରହିଥିଲା। କାଳଚକ୍ର ଅର୍ଥାତ ସମୟ ବିଜ୍ଞାନ। ନାଳନ୍ଦା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ପିଟୁପାଦ କାଳଚକ୍ର ବିଜ୍ଞାନ ଅଧ୍ୟୟନ ପାଇଁ ସମ୍ବଲକ ଆସିଥିଲେ। ସେ ଜଟାଳୀ ନାମ୍ନୀ ଜଣେ ବିଦୁଷୀଙ୍କ ନିକଟରୁ କାଳଚକ୍ର ଶିକ୍ଷା କରିଥିଲେ। ପରବର୍ତ୍ତି ସମୟରେ କଟକ ନଗରରେ ଏକ ସମ୍ମିଳନୀରେ ସେ କାଳଚକ୍ର ଉପରେ ନିଜର ସମ୍ପାନ ରଖିଥିଲେ। ଉଡ୍ଡୀୟାନରେ କାଳଚକ୍ର ବିଜ୍ଞାନର ଉଦ୍ଭବ କଥା କୁହାଯାଏ। ଗବେଷକମାନେ ଯେଉଁମାନେ ପଶ୍ଚିମ ଓଡ଼ିଶାର ସମ୍ବଲପୁର ଏବଂ ସୋନପୁର ଅଞ୍ଚଳକୁ ଉଡ୍ଡୀୟାନ ବୋଲି ଦାବୀ କରନ୍ତି ତାଙ୍କ ମତରେ ପଦ୍ମସମ୍ଭବ ଶ୍ମଶାନରେ ନିଜର ସାଧନା କରିଥିଲେ। ଶ୍ମଶାନର ବର୍ଣ୍ଣନାରେ ଜୀବନ୍ତ ଶ୍ମଶାନ କଥା କୁହାଯାଏ। ଜୀବନ୍ତ ଅର୍ଥାତ ସବୁବେଳେ ଜୁଇ ଜଳୁଥାଇ।
ଜୀବନ୍ତ ଶ୍ମଶାନର ଉଦାହରଣ ଦେଇ କୁହାଯାଏ ପ୍ରାକଐତିହାସିକ ଯୁଗରେ ଗୁମ୍ଫାମାନଙ୍କୁ ମଶାନକୁନା କରିଥିଲେ। ଯେଉଁଠାରେ ପୂର୍ବଜଙ୍କ ଡୁମା ରଖାଯାଏ ତାକୁ ମଶାନକୁନା କୁହାଯାଏ। ପଶ୍ଚିମ ଓଡ଼ିଶା ଏବଂ ଛତିଶଗଡ଼ର ପ୍ରାୟ ପ୍ରତ୍ୟେକ ଆଦିବାସୀ, ଦଳିତ ଏବଂ ମୂଳ ପଛୁଆବର୍ଗ ନିଜର ପୂଜାଘରେ ମଶାନକୁନା ସ୍ଥାପିତ କରିଥାନ୍ତି। ଯାହାକୁ ଜୀବନ୍ତ ଶ୍ମଶାନ ବୋଲି ଅନେକ ଗବେଷକ ଦାବୀ କରିଥାନ୍ତି। ଅର୍ଥାତ ପ୍ରାଚୀନ ଗୁମ୍ଫାରେ ପଦ୍ମସମ୍ଭବ ନିଜର ସାଧନା କରିଥାଇ ପାରିବା କଥାକୁ ଗୁରୁତ୍ୱର ସହ ଉପସ୍ଥାପିତ କରା ଯାଇଥାଏ। ତନ୍ତ୍ରଯୋଗ ବା ମହାଯୋଗ ଜୀବନ୍ତ ଶ୍ମଶାନରେ ସାଧନା କରା ଯାଇଥାଏ। ବୁଦ୍ଧସନ୍ନ୍ୟାସୀମାନେ ମହାଯୋଗ ସାଧନା କରିଥାନ୍ତି। ଏଲିଜାବେଥ ଇଂଲିଶ କହନ୍ତି ପାହାଡର ଗୁମ୍ଫାରେ ଲୋକେ ଏକତ୍ର ହୋଇ ବାଜା ବଜାଇ (ଗଣାବଜା) ଆତ୍ମାଙ୍କୁ ଆବାହନ କରୁଥିଲେ।
ପଦ୍ମସମ୍ଭବଙ୍କ ଗୋଟିଏ ଉପାକ୍ଷାନରେ କୁହାଯାଇଛି ଏକଦା କେତେକ ଆତତାୟୀ ପଦ୍ମସମ୍ଭବଙ୍କୁ ହତ୍ୟା କରିବା ପାଇଁ ଘେରିଗଲେ। ପଦ୍ମସମ୍ଭବ ଆକାଶମାର୍ଗରେ ସେ ସ୍ଥାନ ତ୍ୟାଗ କରିଥିବା କଥା କୁହାଯାଏ। ଡାକିନୀ ତନ୍ତ୍ର ଅବା ଡାକିନୀ ଆକାଶମାର୍ଗରେ ବିଚରଣ କରୁଥିବା କଥା କୁହାଯାଏ (The sky dweller)। ଇନ୍ଦ୍ରଭୂତି, ଲକ୍ଷ୍ମୀଙ୍କରା, ସମ୍ବଲକ, ଡାକିନୀ, ଲଙ୍କା ଆଦି ଓଡ଼ିଶାର ଗୋଟିଏ ଅଂଶ ଉଡ୍ଡୀୟାନ ବୋଲି ପ୍ରମାଣ କରିଥାଏ। ତେଣୁ ପଦ୍ମସମ୍ଭବ ଓଡ଼ିଆ ଅଟନ୍ତି।
ଓଡ଼ିଆ ଅସ୍ମିତା ୨୦୨୪ ନିର୍ବାଚନୀ ପ୍ରସଙ୍ଗ ହୋଇ ପାରିଥିଲା। ନିର୍ବାଚନରେ ଏହାର ସଫଳ ପ୍ରୟୋଗ ବି ହୋଇଥିବା ସମସ୍ତେ ଦେଖିଛୁ। ଠିକ ଏହି ସମୟରେ ତୀବ୍ବତର ପ୍ରସଙ୍ଗ ଉଠିଲା। ଆମେରିକା ତୀବ୍ବତକୁ ଏକ ସ୍ୱତନ୍ତ୍ର ଦେଶ ଭାବରେ ମାନ୍ୟତା ଦେବାକୁ ଆଇନ ତିଆରି ହେଲା। ପଦ୍ମସମ୍ଭବ ତୀବ୍ବତରେ ବୁଦ୍ଧତନ୍ତ୍ରକୁ ଜୀବିତ ରଖିଲେ। ସମଗ୍ର ତୀବ୍ବତ ପଦ୍ମସମ୍ଭବଙ୍କ ମାର୍ଗ ଅନୁସରଣ କରିଥିଲା। ଏହାର ସଂସ୍କୃତି ସ୍ୱତନ୍ତ୍ର ହୋଇ ଗଢି ଉଠିଥିଲା। ତୀବ୍ବତ ଏବଂ ଚୀନର ବୁଦ୍ଧଧମ୍ମ ଭିନ୍ନତା ରଖେ। ଚୀନ ଆକ୍ରମଣ ବେଳେ ତୀବ୍ବତର ବୁଦ୍ଧମନ୍ଦିରମାନଙ୍କୁ ହିଁ ନଷ୍ଟ କରୁଥିଲେ। ନିକଟ ଅତୀତରେ ସିଜନପିଂ ତୀବ୍ବତ ପରିଦର୍ଶନ ବେଳେ ଗୋଟିଏ ବୁଦ୍ଧମନ୍ଦିରର ମଧ୍ୟ ଦର୍ଶନ କରିଥିଲେ। ଯାହାକୁ ତୀବ୍ବତ ପାର୍ଲ୍ୟାମେଣ୍ଟ ସଦସ୍ୟ ଦୋର୍ଜି କେବଳ ରାଜନୀତିକ ଦାବୀ ପାଇଁ ଏହା କରିଥିଲେ କିନ୍ତୁ ତୀବ୍ବତର ମୌଳିକତା ପ୍ରତି ତାଙ୍କର କୌଣସି ଅନୁକମ୍ପା ନାହିଁ।
କେବଳ ପଦ୍ମସମ୍ଭବ ନୁହନ୍ତି ପା’ଯୋଗୀଙ୍କ ମଧ୍ୟରୁ ଅନେକ ତୀବ୍ବତ ଯାଇଥିଲେ। ଚର୍ଯ୍ୟାଗୀତିକା ରଚନା କରିଥିବା ୮୪ ସିଦ୍ଧାଚାର୍ଯ୍ୟ ତୀବ୍ବତ ସହ ନିଜର ସିଧା ସମ୍ପର୍କ ରଖିଥିବା ଡ. କରୁଣାକର କର କହନ୍ତି। ପଦ୍ମସମ୍ଭବ କେବଳ ଜଣେ ନଥିଲେ ତାଙ୍କ ପରେ ବହୁ ଶତକ ପର୍ଯ୍ୟନ୍ତ ତୀବ୍ବତ ଓ ଓଡ଼ିଶାର ସମ୍ପର୍କ ରହି ଆସିଥିଲା। ଅର୍ଥାତ ତୀବ୍ବତର ସଂସ୍କୃତି ହିଁ ପ୍ରାଚୀନ ଓଡ଼ିଶାର ସଂସ୍କୃତି ଅଟେ। ବର୍ତ୍ତମାନ ଗୋଟିଏ ନୂତନ ରାଜନୀତିକ ବାତାବରଣ ତିଆରି ହେବ ତୀବ୍ବତକୁ ନେଇ। ଏହି ସମୟରେ ଓଡ଼ିଶା ତୀବ୍ବତୀୟ ସଂସ୍କୃତି ଉପରେ ନିଜର ମତ ରଖିବ କି? ଗୋଟିଏ ପ୍ରଶ୍ନ ଆମ ମନରେ ଉଠିବା ଆବଶ୍ୟକ ତୀବ୍ବତୀୟ ସଂସ୍କୃତି ଓଡ଼ିଆ ଅସ୍ମିତା ପରିସରରେ ଆସୁଅଛି ନା ନାହିଁ? ଏହାର ସରଳ ଉତ୍ତର ନିଶ୍ଚୟ ହଁ ହିଁ ହେବ।

Leave a Reply