
ବର୍ତ୍ତମାନର ଭୌଗଳିକ ଓଡ଼ିଶାକୁ ଏକକ ଭାବରେ ନିଆଗଲେ ଉପର ମହାନଦୀ ଉପତ୍ୟକା ଗୋଟିଏ ବହୁ ଆୟାମି ଦର୍ଶନ ସାଂଖ୍ୟର ମୂଲକ୍ଷେତ୍ର ଅଟେ। ଏହା ସହିତ ପଶ୍ଚିମବଙ୍ଗର ମେଦିନାପୁର ଅଞ୍ଚଳ ଏବଂ ଆନ୍ଧ୍ରପ୍ରଦେଶର ସଂଲଗ୍ନ ଅଞ୍ଚଳକୁ ନେଇ ଉଡ୍ଡୀୟାନ ଗଠିତ ହୋଇଥିଲା। ଷାଠିଏ ହଜାର ଜନପଦକୁ ନେଇ ଗଠିତ ଉଡ୍ଡୀୟାନ ଦୁଇ ଭାଗରେ ବିଭକ୍ତ ହୋଇଥିଲା, ସମ୍ବଲକ ଏବଂ ଲଙ୍କାପୁରୀ (ଏଲିଜାବେଥ ଇଂଲିଶ, ବଜ୍ରଯୋଗିନୀ)। ସମଗ୍ର ଓଡ଼ିଶାକୁ ଉଡ୍ଡୀୟାନ ଭାବେ ପ୍ରତିପାଦିତ କରା ଯାଇଥାଏ। ନବମ ଶତାବ୍ଦୀର କାଳିକା ପୁରାଣ ଅନୁସାରେ ଉଡ୍ରର ଉଲ୍ଲେଖ ରହିଅଛି। ଉଡ୍ର ଏବଂ ଉଡ୍ଡୀୟାନ ଏକ ନୁହେଁ ଦୁଇ ଭିନ୍ନ ଭିନ୍ନ କ୍ଷେତ୍ର ରହିଥିଲା। ଉଡ୍ଡୀୟାନର ସମୟ ଉଡ୍ରଠୁ ବହୁ ପ୍ରାଚୀନ ଅଟେ। ବର୍ତ୍ତମାନ ଉଡ୍ଡୀୟାନକୁ ନେଇ ଏକ ସ୍ପଷ୍ଟ ମତ ଉପସ୍ଥାପିତ ହେବାର ଆବଶ୍ୟକତା ରହିଅଛି। ଚଳନ୍ତି ନିବନ୍ଧରେ ଏହାର ପ୍ରୟାସ କରା ଯାଇଅଛି ମାତ୍ର।
ଅଷ୍ଟମ ଶତାବ୍ଦୀର ଆରମ୍ଭ ବେଳକୁ ଇନ୍ଦ୍ରଭୁତି ସମ୍ବଲକର ରାଜା ଥିଲେ। ଇନ୍ଦ୍ରଭୁତି ବୌଦ୍ଧଧମ୍ମ ବଜ୍ରଜାନର ଶ୍ରେଷ୍ଠ ଧର୍ମାଚାର୍ଯ୍ୟ ଥିଲେ। ତାଙ୍କଦ୍ୱାରା ରଚିତ ଜ୍ଞାନସିଦ୍ଧି ଧର୍ମଶାସ୍ତ୍ର ତୁଲ୍ୟ ସମ୍ମାନ ପାଇଥାଏ। ସମ୍ବଲକର ରାଜଧାନୀ ଝାଟିମାଟି ଯାହା ଆଧୁନିକ ଜାମୁଟ ଗ୍ରାମ ଅଟେ ଏବଂ ହୀରାକୁଦ ଜଳଭଣ୍ଡାରରେ ଗ୍ରାମଟି ବିଳିନ ହୋଇ ସାରିଛି। ପଦ୍ମସମ୍ଭବ ଇନ୍ଦ୍ରଭୁତିଙ୍କ ପାଳିତପୁତ୍ର ଥିଲେ। କୁହାଯାଏ ପଦ୍ମସମ୍ଭବଙ୍କୁ ଧନକୋଷର ଏକ ପଦ୍ମ-ପୁଷ୍କରିଣୀରୁ ପାଇଥିଲେ। ଦନ୍ତକଥା ଏହା ମଧ୍ୟ କହିଥାଏ ଯେ ଗୋଟିଏ ପଦ୍ମପାଖୁଡା ଉପରେ ଦିବ୍ୟଶିଶୁ ଥିବାର ମନ୍ତ୍ରୀଗଣ ଦେଖି ରାଜାଙ୍କୁ ସୂଚନା ଦେଇଥିଲେ ଯାହାଙ୍କୁ ଇନ୍ଦ୍ରଭୁତି ପାଳିତପୁତ୍ର ଭାବରେ ଗ୍ରହଣ କରିଥିଲେ।
ଧନକୋଷକୁ ସମ୍ବଲପୁରର ଧନକଉଡା ଭାବରେ ଅନେକ ଗ୍ରହଣ କରିଥାନ୍ତି। ସମ୍ବଲକ ହୀରା ଉତ୍ପାଦନର ପ୍ରମୁଖ କେନ୍ଦ୍ର ଥିଲା। ଏଠାକାର ଶିରିଷକୁସୁମ ହୀରା ବିଶ୍ୱ ବିକ୍ଷାତ ଥିଲା। ଚଣ୍ଡାମରିଚ ତନ୍ତ୍ର ରତ୍ନାବଳୀ ଗ୍ରନ୍ଥରେ ସମ୍ବଲପୁରକୁ ବଜ୍ରସତ୍ତ୍ୱ କେଳିପୁରୀ ବୋଲି କୁହା ଯାଇଅଛି। ଉତ୍ପାଦନ କ୍ଷେତ୍ରକୁ ଆକ୍ରାନ୍ତାଙ୍କ ଠାରୁ ଉହାଡରେ ରଖା ଯାଉଥିଲା ତେଣୁ ଉତ୍ପାଦନ କ୍ଷେତ୍ର ଏବଂ ବ୍ୟବସାୟ କ୍ଷେତ୍ର ଅଲଗା ଅଲଗା ରଖା ଯାଇଥିଲା। ତେଣୁ ଧନକୋଷ ବା ଧନକଉଡା ବହିରାଗତ ବ୍ୟବସାୟୀଙ୍କ ସହ ବେପାର କରିବା ପାଇଁ ବ୍ୟାପାର କେନ୍ଦ୍ର ଭାବରେ ରଖା ଯାଇଥିଲା।
ପଦ୍ମସମ୍ଭବ କିଶୋରାବସ୍ଥାରେ ଅଥବା କିଶୋରାବସ୍ଥା ପରେ ଏକଦା ଗୋଟିଏ ବଜ୍ର (ବର୍ଚ୍ଛା) ଧରି ରାଜବାଟିର ଛାତ ଉପରେ ନୃତ୍ୟ କରୁଥିଲେ। ହଠାତ୍ ବର୍ଚ୍ଛାଟି ତାଙ୍କ ହାତରୁ ଖସିଗଲା, ଯାହା ଜଣେ ମନ୍ତ୍ରୀଙ୍କ ଛାତିରେ ଗଳିଗଲା। ମନ୍ତ୍ରୀଙ୍କ ମୃତ୍ୟୁ ହୋଇଗଲା। ଏହି ଘଟଣାରେ ପଦ୍ମସମ୍ଭବଙ୍କୁ ନିର୍ବାସନ ଦଣ୍ଡ ଦିଆଗଲା। ସେ ହୁଂକାରାରେ ରହିଲେ। ହୁଂକାରାରେ ସେ ବଜ୍ରବରାହୀଙ୍କ ନିକଟରୁ ଦୀକ୍ଷା ଗ୍ରହଣ କଲେ। ସେ ହୁଂକାରାକୁ ନିଜର ସାଧନାସ୍ଥଳୀ କରିଥିଲେ।
ହୁଂକାରାକୁ ନେଇ ଏକ କାହାଣୀ ରହିଅଛି। ଜଣେ ଗଉଡ ପ୍ରତିଦିନ ପଦ୍ମସମ୍ଭବଙ୍କୁ ଆସି ଖିର ଦେଇଥାନ୍ତି। ଗଉଡଙ୍କ କପାଳରେ ହୁଂକାର ଚିହ୍ନ ଦିଶେ ଯେତେବେଳେ ସେ କଥା କହିବେ। ସିଦ୍ଧି ପାଇଲା ପରେ ପଦ୍ମସମ୍ଭବଙ୍କ ପ୍ରଥମ ଶିଷ୍ୟ ଉକ୍ତ ଗଉଡ ଜଣକ ହୋଇଥିଲେ। ତାଙ୍କ କପାଳରେ ଅଙ୍କିତ ହୁଂକାର କାରଣରୁ ସ୍ଥାନର ନାମ ହୁଂକାରା ଦିଆଗଲା। ଯାହା ବକ୍ରମନ୍ଦିର ପାଇଁ ବିକ୍ଷାତ ସମ୍ବଲପୁର ନିକଟସ୍ଥ ଅଧୁନିକ ହୁମା ଅଟେ। ହୁମା ବକ୍ରମନ୍ଦିରର ପ୍ରବେଶ ଦ୍ୱାରର ବାମକୁ ବଜ୍ରବାରାହୀଙ୍କ ମୂର୍ତ୍ତି ରହିଅଛି। ହୁମାର ଅନ୍ୟଏକ ମୂର୍ତ୍ତି କୁରୁକୁଲ୍ଲାଙ୍କର ରହିଅଛି। ଯାହାକୁ ଏକ ପ୍ରମୁଖ ସାଧନାକ୍ଷେତ୍ର ଭାବରେ ମାନ୍ୟତା ଦେଇଥାଏ। ପିଠର ସମସ୍ତ ମୂର୍ତ୍ତି ଗୋଟିଏ ପ୍ରକାର ପଥରରେ ତିଆରି ହୋଇଅଛି।
ହୁମାରୁ ପଦ୍ମସମ୍ଭବ ଜାହୋର ଯାଇଥିଲେ। ଜାହୋର ଏକ କ୍ଷୁଦ୍ର ରାଜ୍ୟ ଥିଲା। ଯାହାର ଉପସ୍ଥିତି ସମ୍ବଲକ ଏବଂ ଲଙ୍କାର ନିକଟବର୍ତ୍ତି ରାଜ୍ୟ ବୋଲି ଜଣାପଡେ। ଜାହୋର ରାଜକୁମାରୀ ମନ୍ଦର୍ଭାଙ୍କ ପାଣିଗ୍ରହଣ କରିଥିଲେ। ମନ୍ଦର୍ଭାଙ୍କ ପାଇଁ ଉପଯୁକ୍ତ ପାତ୍ର ପାଉ ନଥିଲେ। କୁହାଯାଏ ପ୍ରଥମ ଦେଖାରେ ରାଜକୁମାରୀ ପଦ୍ମସମ୍ଭବଙ୍କୁ ପତି ଭାବରେ ସ୍ୱୀକାର କରି ନେଇଥିଲେ। ମନ୍ଦର୍ଭା ନାଳନ୍ଦାର ପ୍ରଧ୍ୟାପକ ଶାନ୍ତିରକ୍ଷିତଙ୍କ ଭଉଣୀ ଥିଲେ। ମନ୍ଦର୍ଭା ପଦ୍ମସମ୍ଭବଙ୍କ ସହ ତୀବ୍ବତ ମଧ୍ୟ ଯାଇଥିଲେ। ତୀବ୍ବତ
ପଦ୍ମସମ୍ଭବ ଅନେକ ସ୍ଥାନରେ ସାଧନା କରିଥିବା କଥା କୁହାଯାଏ। ସେ ଶ୍ମଶାନରେ ସାଧନା କରୁଥିଲେ। ଏପରିକି ଶ୍ମଶାନରେ ପିଣ୍ଡ ଦେବାପାଇଁ ତିଆରି କରାଯାଉଥିବା ଖାଦ୍ୟକୁ ମଧ୍ୟ ଭୋଜନ ଆକାରରେ ଗ୍ରହଣ କରୁଥିଲେ ଏବଂ ମୃତକର ବସ୍ତ୍ର ମଧ୍ୟ ଧାରଣ କରୁଥିଲେ। ଏପରିକି ଚର୍ମ ମଧ୍ୟ ପରିଧାନ କରୁଥିବା କୁହାଯାଏ। ତାଙ୍କର ଏପରି ବୁଲିବା କଥା ନେଇ ତାଙ୍କୁ ଭଗାବନ ବୋଲି ଲୋକ କହୁଥିଲେ। କୋଶଲୀ ଭାଷାରେ ଭଗାବନ ଅର୍ଥ ଗୋଟିଏ ସ୍ଥାନରେ ରହୁ ନଥିବା ବ୍ୟକ୍ତି ଅଥବା ସର୍ବଦା ଗୋଟିଏ ସ୍ଥାନରେ ସ୍ଥିର ରହୁ ନଥିବା ବ୍ୟକ୍ତିଙ୍କୁ କୁହାଯାଏ।
ସମ୍ବଲପୁର ଏବଂ ସୋନପୁର ମଝିରେ ପୂଜାଡୁଙ୍ଗରୀ ରହିଅଛି। ଏଠାରେ ଯୋଗୀମଠ ନାମରେ ଗୋଟିଏ ସ୍ଥାନ ରହିଅଛି। ପୂଜାଡୁଙ୍ଗରୀ ପ୍ରାଗୈତିହାସିକ ଚିତ୍ର ରହିଥିବା ଗୋଟିଏ ସ୍ଥାନ। ଯାହା ପ୍ରସ୍ତରଯୁଗରୁ ନିଜର ଅସ୍ତିତ୍ୱ ରଖି ଆସିଛି।
ପୂଜାଡୁଙ୍ଗରୀ ବା ଚନ୍ଦଲୀପାଟ ପ୍ରାଚୀନ ସ୍ଥାନ ଅଟେ। ପଦ୍ମସମ୍ଭବ ଜୀବନ୍ତ ଶ୍ମଶାନରେ ସାଧନା କରୁଥିଲେ। ଜୀବନ୍ତ ଶ୍ମଶାନ ଅର୍ଥ ଅହରହ ଜୁଇ ଜଳୁଥିବା ଶ୍ମଶାନ। ଏଭଳି ଶ୍ମଶାନ ସେ ସମୟରେ ରହିଥିବା ସମ୍ଭବ ହୁଏତ ହୋଇ ନପାରେ। କିନ୍ତୁ ପ୍ରାଚୀନ ମଣିଷ ଏଭଳି ସ୍ଥାନ ମାନଙ୍କୁ ନିଜର ପିଦର ଆକାରରେ ବ୍ୟବହାର କରୁଥିଲେ। ଯାହାକୁ ଜୀବନ୍ତ ଶ୍ମଶାନ କୁହାଯାଇ ଥାଏ। ଯେଉଁଠାରେ ପୂର୍ବଜଙ୍କ ଆତ୍ମା ନିବାସ କରିଥାଏ। ୮୪ ସିଦ୍ଧାଚାର୍ଯ୍ୟ ଶୃଙ୍ଖଳାରେ ୫୩ ସଂଖ୍ୟାରେ ଯୋଗୀପାଙ୍କ ନାମ ଆସିଥାଏ। ସର୍ବଦା ଯୋଗରେ ରହୁଥିଲେ ବୋଲି ଯୋଗୀପାଙ୍କୁ ତୀବ୍ବତରେ ଚାଣ୍ଡାଳୀ ପରିବ୍ରାକ ବୋଲି କୁହା ଯାଉଥିଲା।
ଚନ୍ଦେଲ, ଚାନ୍ଦଲୀ ନାମରେ ଅନେକ ପାହାଡ ପଶ୍ଚିମ ଓଡ଼ିଶାରେ ଦେଖିବାକୁ ମିଳେ। ଯେଉଁଠାରେ ପ୍ରାଗୈତିହାସିକ ବା ପ୍ରସ୍ତର ଯୁଗର ଚିହ୍ନ ଦେଖା ଯାଇଥାଏ। ଚନ୍ଦଲୀପାଟ ଚାଣ୍ଡଳୀମାନଙ୍କ ବାସସ୍ଥାନ ଥିଲା। ଯାହାଙ୍କ ଅଧିଷ୍ଠାତ୍ରୀ ଦେବୀ ଚାଣ୍ଡାଳୀ ଅଟନ୍ତି। ପରବର୍ତ୍ତି ସମୟରେ ବିଭିନ୍ନ ନାମ ଧାରଣ କରିଥିବା ଦେବୀ ଶୀକାରୀ ଦେବୀ ଅଟନ୍ତି। କାରଣ ଚନ୍ଦେଲ ନିକଟରେ ରହୁଥିବା ଲୋକେ ଶୀକାର ଉପରେ ନିର୍ଭର କରୁଥିଲେ। ସେମାନେ ପଶୁ ଚମଡା ଓ ମାଂସ ବ୍ୟବସାୟ କରୁଥିଲେ। ଅର୍ଥଶାସ୍ତ୍ର ଆଧାରରେ ଏଠାରେ ଗଣ୍ଡା ଚମଡାର ବର୍ମ ମଧ୍ୟ ପ୍ରସ୍ତୁତ ହେଉଥିଲା।
ଦେବୀଙ୍କ ବିଗ୍ରହରେ ଦେଖାଯାଏ ଯେ ସେ ଗୋଟିଏ ହାଡ ହାତରେ ଧରି ପାଟିରେ ପୁରେଇ ଥାନ୍ତି। ଅନୁମାନ କରାଯାଏ ଚାଣ୍ଡାଳୀଙ୍କ ପରବର୍ତ୍ତି ରୁପ ଚାମୁଣ୍ଡା ଓ ପରେ ଚଣ୍ଡି ଆକାରରେ ମାନ୍ୟତା ପାଇଛନ୍ତି। ସାମାଜିକ ବିଭାଗୀକରଣରେ ଏହିନାମ ଦିଆ ଯାଇଥିବା ଜଣାପଡେ। ଭରତମୁନୀଙ୍କ ନାଟ୍ୟଶାସ୍ତ୍ରରେ ଚାଣ୍ଡାଳୀ ଭାଷାର ଉଲ୍ଲେଖ ରହିଅଛି। ଚାଣ୍ଡାଳୀ ଭାଷା ମାଗଧି ଭାଷା ସମୂହରୁ ଗୋଟିଏ ଅଟେ। ଏମାନେ ରାସ୍ତାରେ ଗଲାବେଳେ ଗୋଟିଏ ବାଡି ଧରି ରାସ୍ତାରେ ଠକ୍ ଠକ୍ ଶବ୍ଦକରି ଯାଉଥିଲେ। ଏମାନେ ଶିକାରୀ ସମ୍ପ୍ରଦାୟର ଥିଲେ। ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକର ଘୁନା ନିକଟରେ ଶିକେରପାଟ ଦେବୀ ଶୀକାରୀ ଦେବୀ ଅଟନ୍ତି। ଇନ୍ଦ୍ରଭୁତିଙ୍କ ଜ୍ଞାନସିଦ୍ଧି ଅନୁସାରେ ଚାଣ୍ଡାଳୀ ଗୋଟିଏ ଯୋଗମୁଦ୍ରା ଅଟେ। ଯାହା ମହିଳାଙ୍କ ଦ୍ୱାରା ସାଧନା କରା ଯାଉଥିଲା। ଚାଣ୍ଡାଳୀ ବା ଚନ୍ଦେଲ ଗୋଟିଏ ସାଧନାକ୍ଷେତ୍ର ଥିଲା। ଜାହୁରରେ ମଧ୍ୟ ମହାସିଦ୍ଧମାନେ ସିଦ୍ଧି ପାଇଛନ୍ତି।
ସମ୍ବଲକରେ ପ୍ରଥମ କରି କାଳଚକ୍ରତନ୍ତ୍ରର ପ୍ରଚାର ହୋଇଥିଲା। ଉପଜ ପାଇଁ ଉର୍ବରତାର ଆବଶ୍ୟକ ରହିଥାଏ। ଉଭୟ ମଣିଷ ଏବଂ କୃଷି ପାଇଁ ଏହାକୁ ଧରି ନିଆଯାଏ। ଉପଜ ଆଧାରିତ ଧାର୍ମିକ ସଂସ୍କୃତି ହେଉଛି କାଳଚକ୍ର ତନ୍ତ୍ର। ଭାରତବର୍ଷର ପ୍ରଥମ ତାନ୍ତ୍ରୀକ ପୁସ୍ତକ ‘ହେ ବଜ୍ରତନ୍ତ୍ର’ (ମହିଳାଙ୍କ ପାଇଁ) ଏବଂ ‘ଗୌହସମାଜ ତନ୍ତ୍ର’ (ପୁରୁଷଙ୍କ ପାଇଁ) ର ମିଶ୍ରଣ ହେଉଛି କାଳଚକ୍ରତନ୍ତ୍ର।

ତନ୍ତ୍ରଶାସ୍ତ୍ର ମଣିଷ ଶରୀରରେ ଶହସ୍ରାର ସହ ସାତୋଟି ଚକ୍ରର ବ୍ୟାକ୍ଷାନ କରିଥାଏ। ଅନୁତ୍ତରୋତ୍ତରା ଯୋଗତନ୍ତ୍ର ଚାରିଗୋଟି ଚକ୍ରକୁ ସ୍ୱୀକାର କରିଥାଏ। ପ୍ରତି ଚକ୍ରରେ ଚାରିଜଣ ଦେବୀ ଲଳନା, ପଣ୍ଡରା, ମାମିକୀ ଓ ତାରାଙ୍କ ଅବସ୍ଥାନକୁ କହିଥାଏ। ପ୍ରତିଦେବୀ ପଞ୍ଚଧାନୀବୁଦ୍ଧଙ୍କ ମଧ୍ୟରୁ ଚାରିଜଙ୍କ ସହ ସଂଯୁକ୍ତ ରହିଥାନ୍ତି। କ୍ରମ ଅନୁସାରେ ପଞ୍ଚଧାନୀ ବୁଦ୍ଧଙ୍କ ମଧ୍ୟରୁ ଚାରିଜଣ ହେଲେ ଅକୋସବ୍ୟ, ରତ୍ନସମ୍ଭବ, ବୁଦ୍ଧଅମିତାଭ ଓ ଅମୋଘସିଦ୍ଧି। ଅକୋସବ୍ୟ ହାତୀ ଉପରେ ପଦ୍ମ-ଉପବିଷ୍ଟ ରହିଥାନ୍ତି; ରତ୍ନସମ୍ଭବ ଅଶ୍ୱ ଉପରେ ବଜ୍ର-ଉପବିଷ୍ଟ ରହିଥାନ୍ତି; ବୁଦ୍ଧଅମିତାଭ ବଜ୍ର-ଉପବିଷ୍ଟ ଓ ଦୁଇହାତ ଯୋଗମୁଦ୍ରାରେ ରହିଥାଏ ଏବଂ ଅମୋଷସିଦ୍ଧି ଦାଗରହିତ ଶ୍ୱେତବର୍ଣ୍ଣ ସେ ସିଂହ ଉପରେ ମଣ୍ଡଳକେନ୍ଦ୍ରରେ ରହିଥାନ୍ତି।
ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଲଳନା, ପଣ୍ଡରା, ମାମିକୀ ଓ ତାରାଙ୍କ ମୂର୍ତ୍ତି ମିଳିଅଛି। ଯେଉଁମାନେ କାଳଚକ୍ରତନ୍ତ୍ରର କେନ୍ଦ୍ରିୟ ଦେବତା ଅଟନ୍ତି। ତେଣୁ ଉପର ମହାନଦୀ ଉପତ୍ୟକା ହିଁ ଉଡ୍ଡୀୟାନ ଅଟେ। ଉଡ୍ଡୀୟାନ ଦୁଇ ଭାଗରେ ବିଭକ୍ତ ଥିଲା ସମ୍ବଲକ ଓ ଲଙ୍କାପୁରୀ। ଅଧ୍ୟୟନ କହିଥାଏ ମହାନଦୀ ଉପତ୍ୟକା ସମ୍ବଲକ ହେଲେ ତେଲନଦୀ ଉପତ୍ୟକା ବା ଚକ୍ରକୋଟ ମଣ୍ଡଳ ଲଙ୍କାପୁରୀର ମାନ୍ୟତା ପାଇଥିଲା। ତଲନଦୀ ଉପତ୍ୟକାରେ ଲଙ୍କେଶ୍ୱରୀଙ୍କ ପୂଜା କରାଯାଏ। ଲଙ୍କାର ଅଧିଷ୍ଠାତ୍ରୀ ଦେବୀ ଲଙ୍କେଶ୍ୱରୀ ଅଟନ୍ତି। ଦେବୀ କୃଷ୍ଣବର୍ଣ୍ଣା, ମୁକ୍ତକେଶି ଏବଂ ଲାଲବସ୍ତ୍ର ପରିହିତା ମଇଷି ବାହାନରେ ଉପବିଷ୍ଟ ରହନ୍ତି। ଯାହାର ପ୍ରାଗୈତିହାସିକ ତଥ୍ୟ ନୂଆପଡାର ସୁନାବେଡା ଉପତ୍ୟକାରେ ଆମେ ପାଇଅଛୁ। ସୁନାବେଡାରେ ମଇଷି ଶବ୍ଦଯୁକ୍ତ ଅନେକ ସ୍ଥାନ ରହିଅଛି। ଉପତ୍ୟକାର ପୂର୍ବକୁ ଭଇଁଷାମୁଣ୍ଡିପାଟ ଦେବୀ ଅଛନ୍ତି ଯାହାଙ୍କ ମୁଣ୍ଡ ମଇଷିମୁଣ୍ଡ ଅଟେ। ଆଦି ଯୋଗିନୀ ସଂସ୍କୃତିରେ ମଇଷି ମୁଣ୍ଡଥିବା ଯୋଗିନୀଙ୍କ ଅସ୍ତିତ୍ୱ ରହିଅଛି। ଯାହା ରାଣୀପୁର ଝରିଆଲର ପ୍ରଥମ ଚଉଷଠିଯୋଗିନୀ ମନ୍ଦିରରେ ମଧ୍ୟ ଦେଖାଯାଏ। ଉପର ମହାନଦୀ ଉପତ୍ୟକା ଦୁଇଲକ୍ଷ ବର୍ଷପୁର୍ବେ ଗୋଣ୍ଡୱାନା ଥିଲା ଏବଂ ତେଲନଦୀ ଉପତ୍ୟକା ଚାଣକ୍ୟଙ୍କ ମତରେ ଅଜେୟ କନ୍ଧଭୂମୀ ଥିଲା। ଆଦିବାସୀମାନେ ଲଙ୍କେଶ୍ୱରୀଙ୍କୁ ଅଧିଷ୍ଠାତ୍ରୀ ଭାବରେ ପୂଜା କରି ଆସୁଛନ୍ତି। ନର୍ଲା ନିକଟସ୍ଥ ଅସୁରଗଡରେ ମଧ୍ୟ ଲଙ୍କେଶ୍ୱରୀ ପୂଜା ପାଇଥାନ୍ତି।

ପୂଜା ଡୁଙ୍ଗରୀରୁ ସୁନାବେଡା ଉପତ୍ୟକା ପର୍ଯ୍ୟନ୍ତ ଆମେ ଗୋଟିଏ ପ୍ରକାର ପ୍ରାଚିନ ସଂସ୍କୃତି ରହିଥିବା ପ୍ରମାଣ ଆମେ ପାଇଅଛୁ। ଉଡ୍ଡୀୟାନ ସମ୍ବଲକ ଏବଂ ଲଙ୍କାର ଉପସ୍ଥିତି ଉପରମହାନଦୀ ଉପତ୍ୟକା ହିଁ ଅଟେ। କାରଣ ସମ୍ବଲ ଓ ସମ୍ବଲକର ଆକ୍ଷରିକ ଅର୍ଥ ମଧ୍ୟ ଭିନ୍ନ ଅଟେ।
ଅନ୍ୟଏକ ପ୍ରସଙ୍ଗ ଏଠାରେ ଉଲ୍ଲେଖ କରାଯିବା ଆବଶ୍ୟକ। ତୃତୀୟ ମହାସିଦ୍ଧ ବିରୋପା ପାଲବଂଶର ଦାୟାଦ ଥିଲେ। ପାଲବଂଶ ଅଧିନରେ ଦକ୍ଷିଣ କୋଶଲ ରହିଥିଲା। ବିରୋପା ପଞ୍ଚଶିଳବୁଦ୍ଧଧମ୍ମରେ ଦୀକ୍ଷିତ ହୋଇ ସୋମପୁରୀ ବୁଦ୍ଧବିହାରରେ ୨୪ ବର୍ଷ ସାଧନା କରିଥିଲେ। ସେ ଏହି ଦୀର୍ଘ ସାଧନାରେ ମଧ୍ୟ ସିଦ୍ଧି ପାଇ ପାରିନଥିଲେ। ପରବର୍ତ୍ତି ସମୟରେ ସେ ମହାମୁଦ୍ରା ସାଧନା ପାଇଁ ଉଡ୍ଡୀୟାନ ଆସିଥିଲେ। ଏଠାରେ ସେ ପାରାମାଂସ ଖାଇବା ପାରେ ସିଦ୍ଦିଲାଭ କରିଥିଲେ। ପାରାମାଂସ ଖାଇବା ଏକ ପ୍ରତିକାତ୍ମକ ତାନ୍ତ୍ରୀକଭାଷା ଅଟେ। ଲକ୍ଷ୍ମୀଙ୍କରାଙ୍କ ଅଦ୍ୱେୟସିଦ୍ଧି ଏହି ପ୍ରତିକାତ୍ମକ ଭାଷା ତନ୍ତ୍ରତତ୍ତ୍ୱ ବ୍ୟାକ୍ଷାନରେ କୁହା ଯାଉଥିବା ସ୍ୱୀକାର କରିଥାଏ।
ପାରାମାଂସର ପ୍ରତିକାତ୍ମକ ବ୍ୟାକ୍ଷାନକୁ ସ୍ପଷ୍ଟ କରିବା ପାଇଁ ରାଣୀପୁର ଝରିଆଲର ଏକ ବିସ୍ତୃତ ଅଧ୍ୟୟନ ଆବଶ୍ୟକ କରିଥାଏ। ରାଣୀପୁର ଝରିଆଲର ଇତିହାସ ପ୍ରସ୍ତରଯୁଗରୁ ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ଏକ ନିରନ୍ତତା ରଖିଥାଏ। ପ୍ରଗୈତିହାସିକ ଯୁଗର ତଥ୍ୟ ଗୋଣ୍ଡ, କନ୍ଧ ପରେ ବୁଦ୍ଧଧମ୍ମରେ ସଫଳତାର ସହ ପ୍ରୟୋଗ ହୋଇ ପ୍ରଥମେ ଭାରତର ପୂର୍ବାଞ୍ଚଳ ଓ ପରେ ଏସିଆ ମହାଦେଶର ଏକ ବିରାଟ ଅଞ୍ଚଳ ସହ ୟୁରୋପର କେତେକ ଅଞ୍ଚଳକୁ ବ୍ୟାପିଥିଲା। ଏହାପରେ ଆର୍ଯ୍ୟଧର୍ମରେ ଏହାର ପ୍ରୟୋଗ ହୋଇ ଭାରତବର୍ଷରେ ବ୍ୟାପିଥିଲା। ବୁଦ୍ଧ ଓ ଆର୍ଯ୍ୟ ଧର୍ମରେ ଏହାର ପ୍ରଭାବ ଯୋଗୁ ଭାରତରେ ସଂଗଠିତ ହୋଇଥିବା ଯୋଗିନୀ-ଆନ୍ଦୋଳନ ଏକ ସଫଳ ଆଧ୍ୟାତ୍ମିକ କ୍ରାନ୍ତି ହୋଇ ପାରିଥିଲା। ଏଣୁ ରାଣୀପୁର ଝରିଆଲ ଆଦିଯୋଗିନୀ ତନ୍ତ୍ରପିଠ ଭାବରେ ମାନ୍ୟତା ପାଇଥାଏ।
ବିରୋପାଙ୍କ ପାରାମାଂସ ପ୍ରତିକ ଅଧ୍ୟୟନରେ ଦ୍ୱିତୀୟ ସୋମପୁରୀ ବୁଦ୍ଧବିହାର ରାଣୀପୁର ଝରିଏଲ ଅଟେ ବୋଲି ସ୍ପଷ୍ଟ ହୋଇଥାଏ।
Leave a Reply