ସମ୍ବଲପୁର ମୁନସଫ କୋର୍ଟରେ ଏପ୍ରିଲ ୩ ତାରିଖ ୧୯୫୦ ମସିହାରେ ଏକ ମୋକଦ୍ଦମା ଦାଖଲ ହେଲା। ନଦୀ ଜଳ ପ୍ରଦୂଷଣ ସମ୍ବନ୍ଧରେ ଏହା ହେଉଛି ସମଗ୍ର ଦେଶରେ ସମ୍ଭବତଃ ପ୍ରଥମ ମୋକଦ୍ଦମା। ବାଦୀ ଥିଲେ – ଇବ୍ ନଦୀ କୂଳରେ ବସବାସ କରୁଥିବା ଚାରିଜଣ ପ୍ରତିନିଧି। ପ୍ରତିବାଦୀ ଥିଲେ – ଓରିଏଣ୍ଟ କାଗଜକଳ କର୍ତ୍ତୃପକ୍ଷ। ମାନ୍ୟବର ମୁନସଫ କାଗଜକଳ କର୍ତ୍ତୃପକ୍ଷଙ୍କୁ ମିଲରୁ ନିର୍ଗତ ଦୂଷିତ ପଦାର୍ଥ ଇବ୍ ନଦୀରେ ନ ଛାଡ଼ିବା ପାଇଁ ଆଦେଶ ଦେଲେ। ମିଲ କର୍ତ୍ତୃପକ୍ଷ ଅପିଲ କଲେ ସବ ଜଜ୍ କୋର୍ଟରେ। ସବ ଜଜ୍ ଅପିଲ ଖାରଚ କଲେ। କର୍ତ୍ତୃପକ୍ଷ ହାଇକୋର୍ଟରେ ଅପିଲ ଦାଖଲ କଲେ। ମୋକଦ୍ଦମା ବିଚାରାଧିନ ଥିବା ଅବସ୍ଥାରେ ତତକାଳୀନ ସରକାର ବିଧାନସଭାରେ ଓଡ଼ିଶା ନଦୀ ପ୍ରଦୂଷଣ ଆଇନ, ୧୯୫୩ ଗୃହୀତ କଲେ। ବିଲ ଅନୁସାରେ ନଦୀଜଳ ପ୍ରଦୂଷନ ବିଷୟ କୋର୍ଟ ବିଚାର କରିପାରିବେ ନାହିଁ। ସରକାରଙ୍କ ଦ୍ୱାରା ମନୋନୀତ ଏକ ବୋର୍ଡ଼ ବିଚାର କରିବ। ହାଇକୋର୍ଟ ନିରୁପାୟ। ମୋକଦ୍ଦମା ଦଖାରଜ ହେଲା। ତଳ କୋର୍ଟର ଆଦେଶ ।ନୁସାରେ କାର୍ଯ୍ୟାନୁଷ୍ଠନ ହୋଇ ପାରିଲା ନାହିଁ। ସମ୍ପ୍ରତି ବାଦୀମାନେ ଆଉ ନାହାନ୍ତି, ପ୍ରତିବାଦୀ ବି ନାହାନ୍ତି।
୧୯୪୦ ମସିହାରେ ଓରିଏଣ୍ଟ କାଗଜକଳ ସ୍ତାପିତ ହେଲା। କାଗଜକଳ ସ୍ଥାପିତ ହେଲାପରେ ଇବ୍ ନଦୀ କୂଳରେ ବସବାସ କରୁଥିବା ୫୦ ହଜାର ଗ୍ରାମବାସୀ ଇବ୍ ନଦୀର ଦୂଷିତ ଜଳ ବ୍ୟବହାର କରୋପାରିଲେ ନାହିଁ। କାଗଜକଳରୁ ନିର୍ଗତ ଦୂଷିତ ତଥା ବିଷାକ୍ତ ପଦାର୍ଥ ସିଧାସଳଖ ଇବ୍ ନଦୀରେ ପଡ଼ୁଥିଲା। ମିଲରୁ ନିର୍ଗତ ପଦାର୍ଥ ସିଧାସଳଖ ନଦୀରେ ନ ଛାଡ଼ିବା ପାଇଁ ଗ୍ରାମବାସୀମାନଙ୍କ ଜନପ୍ରତିନିଧି କାଗଜକଳ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କଲେ। କର୍ତ୍ତୃପକ୍ଷ କର୍ଣ୍ଣପାତ କଲେନାହିଁ। ବରଂ ମିଲ ସମ୍ପ୍ରସାରଣ କରିବାକୁ ଲାଗିଲେ।
ପ୍ରଦୂଷଣ ଆହୁରି ବୃଦ୍ଧି ପାଇଲା। କାଗଜକଳ ମାଲିକଙ୍କ ପ୍ରତି ତତ୍‌କାଳୀନ ସରକାରଙ୍କ ଅନୁଗ୍ରହ ଥିବା ଯୋଗୁଁ କର୍ତ୍ତୃପକ୍ଷ ଜନସାଧାରଣଙ୍କୁ ବେଖାତିର କରୁଥିଲେ।
ଓରିଏଣ୍ଟ କାଗଜକଳର ବେଆଇନ କାର୍ଯ୍ୟକଳପଜନିତ ଇବ୍ ନଦୀର ପ୍ରଦୂଷଣ ସମ୍ବନ୍ଧରେ ବିଧାନସଭାରେ ଆଲୋଚନା ହେଲା। ୧୦ ମାର୍ଚ୍ଚ ୧୯୪୯ ରେ ଶ୍ରଦ୍ଧାକର ସୁପକାରଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ନିତ୍ୟାନନ୍ଦ କାନୁନଗୋ କହିଲେ, “ସରକାରଙ୍କ ବିଶ୍ୱାସ ଯେ, କାଗଜକଳରୁ ନିର୍ଗତ ପଦାର୍ଥ ଇବ୍ ନଦୀରେ ଛାଡ଼ିବା ଫଳରେ ଇବ୍ ନଦୀ ଜଳ ଦୂଷିତ ହେଉଛି। ପିଇବା ଓ ଗାଧୋଇବା ପାଇଁ ଅନୁପଯୁକ୍ତ ହେଉଛି।” ମନ୍ତ୍ରୀ ସୂଚନା ଦେଲେ ଯେ ବିଶୋଧନାଗାର ତିଆରି କରିବା ସକାଶେ ସରକାର କାଗଜକଳକୁ ପ୍ରାୟ ୨୩ ଏକର ଜମି ଯୋଗାଇଛନ୍ତି। ଶ୍ରଦ୍ଧାକର ସୂପକାର, ଦୀନବନ୍ଧୁ ସାହୁ, ଲକ୍ଷ୍ମୀନାରାୟଣ ମିଶ୍ର, ସାରଙ୍ଗଧର ଦାସ, ଭୈରବଚରଣ ମହାନ୍ତି, ଉମାଚରଣ ପଟ୍ଟନାୟକ ପ୍ରମୁଖ ବିଧାନସଭା ସଭ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଇବ୍ ନଦୀ ପ୍ରଦୂଷଣର ସମାଧାନ ପାଇଁ ସରକାର ଦୃଢ଼ ପଦକ୍ଷେପ ନିାନ୍ତୁ ବୋଲି ଦଳମତ ନିର୍ବିଶେଷରେ ବହୁ ବିଧାୟକ ଦାବୀ କରିଥିଲେ।
ଉତ୍ତରାଞ୍ଚଳ ରାଜସ୍ୱ କମିଶନର ବି. ଶିବରମଣ ୧୯୫୦ ମସିହା ଫେବୃୟାରୀ ୨, ତାରିଖରେ ଓରିଏଣ୍ଟ କାଗଜକଳ ଓ ଇବ୍ ନଦୀ ପରିଦର୍ଶନ କରିଥିଲେ। ପରିଦର୍ଶନ ପରେ, ଗୁରୁତ୍ୱ ଦୃଷ୍ଟିରୁ କମିଶନର ତାଙ୍କ ରିପୋର୍ଟ ସିଧାସଳଖ ମୂଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇଲେ। ଏହି ପ୍ରଦୂଷଣ ବିଷୟରେ ଅନୁସନ୍ଧାନ କରି ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଓ ଶିଳ୍ପ ବିଭାଗ ନିର୍ଦ୍ଦେଶକଙ୍କୁ ନିଦ୍ଦେଶ ଦେଲେ। ରାଜସ୍ୱ କମିଶନର ତାଙ୍କ ରିପୋର୍ଟରେ ଲେଖିଥିଲେ ଯେ, “କାଗଜକଳରୁ ନିର୍ଗତ ଦୂଷିତ ପଦାର୍ଥ ସିଧାସଳଖ ନଦୀରେ ଯେପରି ପଡ଼ିବ ନାହିଁ, ତାହାର ବନ୍ଦୋବସ୍ତ ମିଲ କର୍ତ୍ତୃପକ୍ଷ କରିବା ନିହାତି ଜରୁରୀ। ଏହାର ସମାଧାନ ପାଇଁ ଅତିଶୀଘ୍ର ବିଶେଷଜ୍ଞମାନଙ୍କ ପରାମର୍ଶ ଦରକାର।”
ଶିଳ୍ପ ବିଭାଗ ନିର୍ଦ୍ଦେଶକ ଏମ.ଏଲ.ନରସିଂହୟା ଓ ଅଲ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ।ଫ ହାଇଜିନ ଏଣ୍ଡ ପବ୍ଲିକ ହେଲଥର ପ୍ରଫେସର ସୁବ୍ରମନିୟମ ତାଙ୍କର ଅନୁସନ୍ଧାନ ରିପୋର୍ଟ ଦେଲେ। ଉଭୟ ବିଶେଷଜ୍ଞ ଦର୍ଶାଇଥିଲେ ଯେ, କାଗଜକଳରୁ ନିର୍ଗତ ଦୂଷିତ ପଦାର୍ଥ ଇବ୍ ନଦୀ ଜଳକୁ ଦୂଷିତ କରୁଛି। ନିର୍ଗତ ପଦାର୍ଥ ସିଧାସଳଖ ନଦୀରେ ନଛାଡ଼ି ବିଶୋଧନାଗାର ତିଆରି କରିବାକୁ ସେମାନେ ପରାମର୍ଶ ଦେଲେ।
ଯଦିଓ ମାର୍ଚ୍ଚ, ୧୯୪୭ରେ ରାଜ୍ୟ ସରକାର କାଗଜକଳକୁ ଅତି ଅଳ୍ପ ଦରରେ ପ୍ରାୟ ୨୩ ଏକର ଜମି ଯୋଗାଇ ଦେଇଥିଲେ, ତଥାପି କର୍ତ୍ତୃପକ୍ଷ ବିଶୋଧନାଗାର ତିଆରି କଲେନାହିଁ। ସେ ସମୟରେ ସମ୍ବଲପୁରରୁ ବହୁ ବିଶିଷ୍ଟ ବ୍ୟକ୍ତି ସମାଜସେବୀ, ଡ଼ାକ୍ତର, ସାମ୍ବାଦିକ ଆଦି ଘଟଣାସ୍ଥଳ ପରିଦର୍ଶନ କଲେ। ଇବ୍ ନଦୀର ଜଳ ପ୍ରଦୂଷଣ ସମ୍ବନ୍ଧରେ ପ୍ରତିବାଦ କଲେ। ବିଧାନସଭାରେ ଆଲୋଚନା ହେଲା। ବହୁ ବିଧାୟକ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କଲେ କିନ୍ତୁ ସରକାର ନୀରବଦ୍ରଷ୍ଟା ହୋଇ ରହିଲେ।
ଇବ୍ ନଦୀ କୂଳରେ ବସବାସ କରୁଥିବା ପ୍ରାୟ ୫୦ ହଜାର ଜନସାଧାରଣଙ୍କ ପ୍ରତିନିଧି କୋର୍ଟର ଆଶ୍ରୟ ନେଲେ। ୧୯୫୦ ମାର୍ଚ୍ଚ ୧୩ ତାରିଖରେ ଶ୍ରଦ୍ଧାକର ସୂପକାର କଟକରେ ଅବସ୍ଥାପିତ ଏଡ଼ଭକେଟ ଜେନେରାଲଙ୍କୁ ଏକ ଦରଖାସ୍ତ ଦେଇ ପ୍ରାର୍ଥନା କଲେ ଯେ, ଇବ୍ ନଦୀ ପ୍ରଦୂଷଣ ସମ୍ବନ୍ଧରେ ସମ୍ବଲପୁର ମୁନସଫ କୋର୍ଟରେ ପବ୍ଲିକ ନୁଇସେନ୍ସ ପାଇଁ ମୋକଦ୍ଦମା ଦାଖଲ କରିବାକୁ ଅନୁମତି ଦିଆଯାଉ। ୧୯୫୦ ମାର୍ଚ୍ଚ ୧୪ ତାରିଖରେ ଏଡ଼ଭକେଟ ଜେନେରାଲ ଲିଖିତ ସମ୍ମତି ଦେଲେ।
୧୯୫୦ ମସିହା ଏପ୍ରିଲ ୩ ତାରିଖରେ ଶ୍ରଦ୍ଧାକର ସୂପକାର ମୁନସଫ କୋର୍ଟରେ ଇବ୍ ନଦୀ ଜଳ ପ୍ରଦୂଷଣ ସମ୍ବନ୍ଧରେ ଏକ ମୋକଦ୍ଦମା ଦାଖଲ କଲେ। ଲିଖିତ ବୟାନରେ ସେ ପ୍ରାର୍ଥନା କଲେ ଯେ, ଇବ୍‌ ନଦୀରେ ଦୂଷିତ ତଥା ବିଷାକ୍ତ ପଦାର୍ଥ ନ ଛାଡ଼ିବା ପାଇଁ ରହିତାଦେଶ ଦିଆଯାଉ। ଆହୁରି ତିନିଜଣ ବାଦୀ ଭାବରେ ରହିଲେ। ସେମାନେ ହେଲେ ମଙ୍ଗଲପୁର ଗାଁର ଗୌନ୍ତିଆ ପୁରୁଷୋତ୍ତମ ହୋତା, ହିହୁରର ନବିନଚନ୍ଦ୍ର ପାଣ୍ଡେ ଓ ସାପଲହରାର ଅର୍ଜ୍ଜୁନ ପଣ୍ଡା। ମାନ୍ୟବର ମୁନସିଫ ଖଗେଶ୍ୱର ମହାନ୍ତି ଅସ୍ଥାୟୀ ରହିତାଦେଶ ଦେଲେ ଯେ, ଓରିଏଣ୍ଟ କାଗଜକଳ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ମିଲରୁ ନିର୍ଗତ ପଦାର୍ଥ ଇବ୍ ନଦୀରେ ଛାଡ଼ି ପାରିବ ନାହିଁ। ଓରିଏଣ୍ଟ କାଗଜକଳ ରହିତାଦେଶ ପ୍ରତ୍ୟାହାର କରିବାକୁ ପ୍ରାର୍ଥନା କଲେ। କୋର୍ଟ ରହିତାଦେଶ ପ୍ରତ୍ୟାହର କଲେନାହିଁ।
୧୯ ଜୁନ, ୧୯୫୦ରେ ଶ୍ରଦ୍ଧାକର ସୂପକାର ମୁନସିଫ କୋର୍ଟରେ ଅଭିଯୋଗ କଲେ ଯେ, କାଗଜକଳ କର୍ତ୍ତୃପକ୍ଷ କୋର୍ଟଙ୍କ ଆଦେଶ ମାନୁନାହାନ୍ତି। ଭରତଚନ୍ଦ୍ର ନାୟକଓ ଭଗବାନ ମିଶ୍ର ମଧ୍ୟ ପ୍ରାର୍ଥନା କଲେ କୋର୍ଟ ଅବମାନନା ପାଇଁ ଓରିଏଣ୍ଟ କାଗଜକଳ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯାଉ। ଏହି ମୋକଦ୍ଦମାରେ ଡାକ୍ତର ବିମ୍ବାଧର ପୂଜାରୀ, ଡାକ୍ତର ଭାବାନୀଶଙ୍କର ପାଢ଼ୀ, ପରମେଶ୍ୱର ପଣ୍ଡା, ବୃନ୍ଦାବନ ନନ୍ଦ, ଚିନ୍ତାମଣି ହୋତା, ରାମାଦିନ ଦୁବେ, କରୁଣାକର ପଣ୍ଡା, ବୃନ୍ଦାବନ ପୂଜାରୀ ଓ ବ୍ରଜମୋହ ବେହେରା ପ୍ରମୁଖ ବାର୍ଦୀାକ ସପକ୍ଷରେ ସାକ୍ଷ୍ୟ ପ୍ରଦାନ କରିଥିଲେ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବୌଧରାମ ଦୁବେ ପୂର୍ଣ୍ଣ ମାତ୍ରାରେ ସାହାଯ୍ୟ କରିଥିଲେ।
ମାନ୍ୟବର ମୁନସଫ ଖଗେଶ୍ୱର ମହାନ୍ତି ୩୧ ମାର୍ଚ୍ଚ ୧୯୫୨ ମସିହାରେ ତାଙ୍କର ପୂର୍ବରୁ ଦେଇଥିବା ଅସ୍ଥାୟୀ ରହିତାଦେଶ ସ୍ଥାୟୀ କଲେ। ପ୍ରତିବାଦୀ ୨୦୦ ଟଙ୍କା ମୋକଦ୍ଦମା ଖର୍ଚ୍ଚ ଦାଖଲ କରିବାକୁ ଆଦେଶ ଦେଲେ। କାଗଜକଳ କର୍ତ୍ତୃପକ୍ଷ ମୁନସଫଙ୍କ ରାୟ ବିରୁଦ୍ଧରେ ସବ ଜଜ୍ କୋର୍ଟରେ ଅପଡିଲ ଦାଖଲ କଲେ।
୬,ଅକ୍ଟୋବର ୧୯୫୨ରେ ସବ ଜଜ୍ ଅପିଲ ଖାରଜ କଲେ ଏବଂ ମୋକଦ୍ଦମା ଖର୍ଚ୍ଚ ୧୦୦ ଟଙ୍କା ଦାଖଲ କରିବାକୁ ଆଦେଶ ଦେଲେ। କାଗଜକଳ କର୍ତ୍ତୃପକ୍ଷ ହାଇକୋର୍ଟରେ ଅପିଲ ଦାଖଲ କଲେ।


ଏହି ମୋକଦ୍ଦମା ବିଚାରାଧିନ ଥିବା ଅବସ୍ଥାରେ, ସରକାର ବିଧାନସଭାରେ ଓଡ଼ିଶା ନଦୀ ପ୍ରଦୂଷଣ ଆଇନ, ୧୯୫୩ ଗୃହୀତ କରେଇଲେ। ଏଥିରେ ବ୍ୟବସ୍ଥା ରହିଲା ଯେ, ନଦୀ ଜଳ ପ୍ରଦୂଷଣ ବିଷୟ କୋର୍ଟ ବିଚାର କରି ପାରିବେ ନାହିଁ। ସରକାରଙ୍କଦ୍ୱାରା ମନୋନୀତ ଏକ ବୋର୍ଡ଼ ଗଠନ କରାଯିବ। ଏଥିରେ ୪ ଜଣ ସରକାରୀ ଓ ୪ ଜଣ ବେସରକାରୀ ସଭ୍ୟ ରହିବେ। ବୋର୍ଡ଼ ଏହାର ବିଚାର କରିବେ।
ବିଧାନସଭାରେ ତତ୍କାଳୀନ ବିରୋଧି ଦଳ ନେତା ଶ୍ରଦ୍ଧାକର ସୂପକାର ବିଲ ବିରୁଦ୍ଧରେ ପ୍ରତିବାଦ କଲେ। ବିଧାନସଭାର ପ୍ରବଳ ପ୍ରତିବାଦ ହେଲା। ବିଲ ସିଲେକ୍ଟ କମିଟିକୁ ପଠାଗଲା। ସିଲେକ୍ଟ କମିଟିର ସଭ୍ୟ ବିଧାୟକ ଫକୀରଚରଣ ଦାସ ଏହି ବିଲ ଜନସାଧାରଣଙ୍କ ସ୍ୱାର୍ଥ ବିରୋଧି ଏବଂ ନିର୍ଦ୍ଦିଷ୍ଟ ଏକ କାରଖାନାର ମାଲିକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଉଦ୍ଦିଷ୍ଟ ବୋଲି ଅଭିଯୋଗ କରି କମିଟିରୁ ଇସ୍ଥାଫା ଦେଲେ।
୧୯୫୩ ଅକ୍ଟୋବର, ୩୦ ତାରିଖରେ ଓରିଏଣ୍ଟ କାଗଜକଳ ଏବଂ ନିର୍ଦ୍ଦିଷ୍ଟ ଏକ କାରଖାନାର ମାଲିକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଉଦ୍ଦିଷ୍ଟ ବୋଲି ଅଭିଯୋଗ କରି କମିଟିରୁ ଇସ୍ଥାଫା ଦେଲେ। ହାଇକୋର୍ଟରେ ଅପିଲ ଦାଖଲ କରିଥିଲେ। ଓଡ଼ିଶା ପ୍ରଦୂଷଣ ଆଇନ ଗୃହୀତ ହୋଇଥିବା ଦୃଷ୍ଟିରୁ, ୧୯୫୬ ନଭେମ୍ବର ୨୦ ତାରିଖରେ ହାଇକୋର୍ଟ ଅପିଲ ଖାରଜ କଲେ। ବିଲ ଅନୁସାରେ, କୋର୍ଟ ନଦୀ ପ୍ରଦୂଷଣ ବିଷୟରେ ବିଚାର କରିପାରିବେ ନାହିଁ।
ଇବ୍ ନଦୀର ପ୍ରଦୂଷଣର ସମାଧାନ ପାଇଁ ମୋକଦ୍ଦମା ଦାଖଲ କରିବା ପରେ ଓଡ଼ିଶା ସରକାର ସର୍ବ ପ୍ରଥମେ ନଦୀ ପ୍ରଦୂଷଣ ଆଇନ ପ୍ରଣୟନ କଲେ। ଅବଶ୍ୟ ପ୍ରତିବାଦୀଙ୍କ ସ୍ୱାର୍ଥରକ୍ଷା ଉଦ୍ଦେଶ୍ୟରେ ଆଇନ ପ୍ରଣୟନ ହେଲା। ସରକାର ଚାହିଁଥିଲେ ଇବ୍ ନଦୀ ପ୍ରଦୂଷଣ ସମସ୍ୟାର ସମାଧାନ ହୋଇ ପାରିଥାନ୍ତା। ସରକାର ଚହିଁଲେ ନାହିଁ। ହୀରାକୁଦ ବୁଡ଼ି ଅଞ୍ଚଳ ଗ୍ରାମବାସୀ ତଥା ସମ୍ବଲପୁରବାସୀଙ୍କ ସ୍ୱାସ୍ଥ୍ୟରକ୍ଷା ପରିବର୍ତ୍ତି ଓରିଏଣ୍ଟ କାଗଜକଳର ସ୍ୱାର୍ଥରକ୍ଷା ହେଲା। ଇବ୍ ନଦୀ କୂଳରେ ଥିବା ଭୁଲକା, ପରତା, ରମ୍ପେଲା, ସାପଲହରା, ତିହୁରା, ମଙ୍ଗଲପୁର, ପତ୍ରାପାଲି ଆଦି ଗ୍ରାମସବୁ ହୀରାକୁଦ ଜଳ ଭଣ୍ଡାର ଯୋଗୁଁ ଦେଶର ମାନଚିତ୍ରତୁ ଉଭେଇଗଲା।
ବାଦୀ ଆଉ ନାହାନ୍ତି। ପ୍ରତିବାଦୀ ବି ନାହାନ୍ତି। ଇବ୍ ନଦୀର ଅଭିଶାପରେ ଓରିଏଣ୍ଟ କାଗଜକଳ ଚିରଦିନ ସକାଶେ ବନ୍ଦ ହୋଇଗଲାଣି।

ଇଂ କରୁଣାକର ସୂପକାର ୧୯୪୧ ମସିହା ଡିସେମ୍ବର ୧୦ ତାରିଖରେ ସମ୍ବଲପୁରରେ ତାଙ୍କର ଜନ୍ମ। ଜାମସେଦପୁର ସ୍ଥିତ ଆରଆଇଟିରୁ ଇଲେକ୍ଟ୍ରିକାଲ ଇଂଜିନିୟରିଙ୍ଗରେ ଡିଗ୍ରି ପାଇ ସରକାରୀ ଚାକିରିରେ ଯୋଗଦେଲେ। ଅବସର ପରେ ଓଡ଼ିଶା ହାଇଡ଼୍ରୋ ପାୱାର କର୍ପୋରେସନର ମେନେଜିଙ୍ଗ ଡାଇରେକ୍ଟର ପଦରୁ ୨୦୦୦ ମସିହାରେ ଅବସର ନେଲେ। ତାଙ୍କର ରଚନା ମଧ୍ୟରୁ ହୀରାକୁଦ ବିସ୍ଥାପନ ଉପରେ ପ୍ରଥମ ଉପନ୍ୟାସ ‘ଚେମା କାଲୋ’, ଇତିହାସ ର ପରିହାସ(୧ମ ଓ ୨ୟ ଖଣ୍ଡ), ସମ୍ବଲପୁରର ପରିଚୟ, ସମ୍ବଲପୁରର କୃତି ସନ୍ତାନ ଓ ନିଜର ଜୀବନୀ ପୁସ୍ତକ ସାଧାରଣ ପୁରୁଷ ଅନ୍ୟତମ।
ସ୍ଥାନୀତ ନିବନ୍ଧଟି ତାଙ୍କର ‘ଇତିହାସର ପରିହାସ-୨ୟ’ ଖଣ୍ଡରୁ ସଂଗ୍ରହ କରିଅଛୁ।