ଗତ ୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀ ସମସ୍ତେ ନିଜ ନିଜର ପ୍ରଚାରରେ ଲାଗିଥାନ୍ତି। ବନ୍ଧୁ ରିତେଶ କୁମାର ଦାସଙ୍କ ସହ ପାଟଧରା ଗାଁମାନଙ୍କୁ ଗଲୁ। ପୂର୍ବରୁ ପଞ୍ଚାୟତ ଦାବୀରୁ ଏବଂ ମାଓବାଦୀଙ୍କ ଭୟରୁ ଭୋଟ ଦେଉ ନଥିବା ପାଟଧରା ଅଞ୍ଚଳରେ ଗୋଟିଏ କଥା ଲକ୍ଷ କଲି। ସେଠାକାର ଲୋକେ ପ୍ରାର୍ଥୀଙ୍କ ସହ ତାଙ୍କ ସମ୍ପର୍କ କେତେ ନିକଟ ତାହା ହିଁ ଚର୍ଚ୍ଚାରେ ଥିଲା। ପାଟଧରା ଗାଁରେ ପହଞ୍ଚିଲା ବେଳକୁ ରାତି ହୋଇ ସାରିଥିଲା। ସୂର୍ଯ୍ୟାସ୍ତ ପରେ ଶିଘ୍ର ଶୋଇ ପଡୁଥିବା ପାଟଧରା ଉପତ୍ୟକା ନିର୍ବାଚନ ଯୋଗୁଁ ଅଧିକ ଚେଉଁଛି ଭଳି ଲାଗିଲା। ଗୋଟିଏ କଥା ଲକ୍ଷକଲି କେଉଁ ପ୍ରାର୍ଥୀର ମନଦୁଃଖ ନ ହେଉ ଏହା ହିଁ ସମସ୍ତେ ନିର୍ଣ୍ଣୟ ନେଇ ଭୋଟ ଦିଅନ୍ତି।

ଏଭଳି ନିର୍ଣ୍ଣୟ କାହିଁକି ନିଅନ୍ତି?
ଏହାକୁ ରାଜନୀତିକ ଦୃଷ୍ଟିକୋଣରୁ କେହି କେବେ ବିଚାର କରି ନାହାନ୍ତି। ବ୍ୟବସ୍ଥା ମଧ୍ୟ ଏହାକୁ କେବେ ଚିନ୍ତା କରିନାହିଁ। ଡ. ଫଣିନ୍ଦମ ଦେଓଙ୍କ ସହ ଡ. ଜିତାମିତ୍ର ପ୍ରସାଦ ସିଂଦେଓ ଙ୍କ ଭଳି ଐତିହାସିକ, ପ୍ରତ୍ନତତ୍ତ୍ୱବିଦ ଖୋଦ ନୂଆପଡା ଜିଲ୍ଲାର। ଯାହାଙ୍କ ଅନ୍ତଃରାଷ୍ଟ୍ରୀୟ କ୍ଷାତି ରହିଅଛି। ନୂଆପଡା ଜିଲ୍ଲା କେବଳ ରାଜ୍ୟ ନୁହଁ ବୈଶ୍ୱିକ ସଭ୍ୟତାକୁ ଦେଇଥିବା ଦାନ ବିଷୟରେ ଉଭୟ ସ୍ପଷ୍ଟ କହି ସାରିଛନ୍ତି। ଜିଲ୍ଲା ପ୍ରଶାସନ ଜିଲ୍ଲା ଗଠନର ୩୦ ବର୍ଷ ପରେ ମଧ୍ୟ ଗୋଟିଏ ବି ଯୋଜନା କରି ନାହିଁ ଯାହାଦ୍ୱାରା ନୂଆପଡା ଜିଲ୍ଲାର ପ୍ରକୃତ ପରିଚୟକୁ ବାକି ପୃଥିବୀ ନିକଟରେ ଉପସ୍ଥାପିତ କରିହେବ। ଯେଉଁ ଅଞ୍ଚଳକୁ ଜିଲ୍ଲାପାଳ ସରକାରୀ କାମରେ ଯିବା ଏକ ଚର୍ଚ୍ଚିତ ଖବର ହୁଏ ସେ ଅଞ୍ଚଳ ପ୍ରଶାସନ ଠାରୁ କେତେ ଦୂରତା ରଖେ ତାହା ସ୍ପଷ୍ଟ ହୋଇଯାଏ।
ଗୁଡାରାଇଜ ନାମରେ ପରିଚିତ ସୁନାବେଡା ଉପତ୍ୟକା ସମୁଦ୍ର ପତନରୁ ୩୪୦୦ ଫୁଟ ଉପରେ ଅନେକ ଗାଁ। ଯାହା ଦୁଇଟି ପ୍ରଦେଶ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ସୀମାରେ ରହିଅଛି। ଓଡ଼ିଶା ଏବଂ ଛତିଶଗଡ଼ ରାଜ୍ୟର ଦୁଇ ଦୁଇଟି ପଞ୍ଚାୟତ ଏହିପରି ଚାରୋଟି ଗ୍ରାମ ପଞ୍ଚାୟତ ରହିଅଛି। ସୁନାବେଡା ଅଞ୍ଚଳ ସୁନାବେଡା ଅଭୟାରଣ୍ୟ ଏବଂ ଛତିଶଗଡ଼ ଅଞ୍ଚଳରେ ଉଦନ୍ତି ଅଭୟାରଣ୍ୟ ରହିଅଛି। ତିନୋଟି କ୍ଷେତ୍ର ଉଦନ୍ତି, ସୁନାବେଡା ଓ ପାଟଧରା। ଓଡ଼ିଶାରେ ସୁନାବେଡା ଅଞ୍ଚଳ କୋମନା ପଞ୍ଚାୟତ ସମିତି ଅଞ୍ଚଳରେ ଆସୁଥିବା ବେଳେ ପାଟଧରା ବୋଡେନ ପଞ୍ଚାୟତ ସମିତି ଅଧିନରେ ଆସିଥାଏ। ପାଟଧରା ଅଞ୍ଚଳର ସମସ୍ତ ୧୬ ଗୋଟି ଗ୍ରାମ ପାହାଡ ତଳ ଭଇଁସାଦାନୀ ଗ୍ରାମ ପଞ୍ଚାୟତ ଅଧିନରେ ଆସେ। ତେଣୁ ପାଟଧରା ଉପତ୍ୟକାର ଲୋକ ଭୋଟ ବର୍ଜନ କଲେ ମଧ୍ୟ ଗଣତନ୍ତ୍ରର କୌଣସି କ୍ଷତି ହୁଏ ନାହିଁ। ସାଇନିପଡା, ଧୋବଘାଟ, ପାଟଧରା ଏବଂ … ଚାରୋଟି ବିଦ୍ୟାଳୟ ମଧ୍ୟରୁ ଦୁଇଟିକୁ ସରକାର ବନ୍ଦ କରି ଦେଇଛନ୍ତି।
ମଇ ୫, ୨୦୨୪ ଦିନ ରାତିରେ ରାତି ପ୍ରାୟ ଆଠଟା ତିରିଶ ମିନିଟ ସମୟ ହେବ। ଜେମନୀ ବାଗ ଘରକୁ ଗଲୁ। ଜେମନୀ ପାଟଧରା ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ପଢେ। ଆଖିକୁ ସ୍ପଷ୍ଟ ଦେଖାଯାଏ ନାହିଁ। ପାଠ କେମିତି ପଢୁ? ଉତ୍ତରରେ ଜେମନୀ କହେ ଶୁଣିକରି ମନେରଖେ। ଜେମନୀ ନିୟମିତ ବିଦ୍ୟାଳୟ ଯାଇ ପାରେ ନାହିଁ। କାରଣ ଘରେ ଅନ୍ଧୀ ମାଁ ଡାଲ ବାଗ। କୋଡିଏ ବର୍ଷ ହେବ ଦୃଷ୍ଟି ବାଧିତ। ମାଁ ଝୀଅ ଦୁହେଁ ଅନ୍ଧୀ। ଝୀଅର ସହଯୋଗ ବିନା ମାଁ କୌଣସି କାମ କରି ପାରନ୍ତି ନାହିଁ। ଗାଧୋଇଯିବା ଠାରୁ ଖାଇବାକୁ ଦେବା ପର୍ଯନ୍ତ ଜେମନୀ ମାଁଙ୍କୁ ସାହାଯ୍ୟ କରିଥାଏ। ବାପା ସାନ ବାଗ ଦିନ ମଜୁରିଆ। ଦୁଇ ମାଁଝୀଅଙ୍କ କଥା ମୁଁ ମୋର ଫେସବୁକ ଏକାଉଣ୍ଟରେ ପୋଷ୍ଟ କଲି। ସେଦିନ ଡାଲ ଏବଂ ଜେମନୀ ମାଝୀଅଙ୍କ ଖବର ଭୂବନେଶ୍ୱରରେ ଉଚ୍ଚଅଧିକାରୀଙ୍କୁ ବିଚଳିତ କରିଥିଲା। ତୁରନ୍ତ ପଦକ୍ଷେପ ନେଲେ। ଦୁହିଙ୍କୁ ନୂଆପଡା ଜିଲ୍ଲା ମହକୁମା ନେଇ ପରୀକ୍ଷା କରି ଦୃଷ୍ଟି ବାଧିତ ପ୍ରମାଣପତ୍ର ମଧ୍ୟ ଦିଆଗଲା। ନିର୍ବାଚନ ସରିଲା। ପୂର୍ବରୁ କଂଗ୍ରେସ ଦଳରୁ ଯିଏ ବିଧାୟକ ହୋଇଥିଲେ। ୨୦୨୪ ନିର୍ବାଚନରେ ବିଜେଡିରେ ସାମିଲ ହୋଇ ପୁଣି ଜିତିଲେ।

ଜାନୁୟାରୀ ୩, ୨୦୨୫ ଦିନ ପାଟଧରା ଯାଇଥିଲି। ସେଠାରେ ଡାଲ ଏବଂ ଜେମନୀର ଖବର ବୁଝିଗଲି। ମାଁଙ୍କୁ ଭତ୍ତା ମିଳୁଥିବା ବେଳେ ଝୀଅକୁ ମିଲୁ ନଥିଲା। କାରଣ କଣ କେହି କହି ପାରିଲେ ନାହିଁ। ମାଁଙ୍କ ସେବା କରି ସାରିଲା ପରେ ଝୀଅ ସ୍କୁଲ ଯାଏ ଅନିୟମିତ। କିଛି ବଦଳି ନାହିଁ। ସାନ ବାଗର ପରିବାରରେ ୧୨୦୦ ଟଙ୍କା ସରକାରୀ ସହଯୋଗ ତାଙ୍କର ଅତିରିକ୍ତ ରୋଜଗାର ହୋଇଛି ମାତ୍ର। ଜେମନୀ ପାଇଁ ଏବେ ବି ତମାମ ଯୋଜନା ଅପହଞ୍ଚ ଯେମିତି।
Leave a Reply